ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Bodybuilding competition: ବିଦେଶରେ ଦେଶକୁ ଗର୍ବିତ କରାଇଲେ ଓଡ଼ିଆ ପୁଅ ଚନ୍ଦନ କୁମାର ସାହୁ

Bodybuilding competition: ବିଦେଶରେ ଦେଶକୁ ଗର୍ବିତ କରାଇଲେ ଓଡ଼ିଆ ପୁଅ ଚନ୍ଦନ କୁମାର ସାହୁ

ମଧ୍ୟବିତ୍ତ ପରିବାରରୁ ଯାଇ ବିଶ୍ବ ସ୍ବାସ୍ଥ୍ୟ ସୁନ୍ଦର ପ୍ରତିଯୋଗିତାରୁ ସ୍ବର୍ଣ୍ଣ ଆଣିଥିବାକୁ ନେଇ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ବ୍ରହ୍ମପୁର ପୁଅ ଚନ୍ଦର କୁମାର ସାହୁ ।

Bodybuilding competition: ବିଦେଶରେ ଦେଶକୁ ଗର୍ବିତ କରାଇଲେ ଓଡ଼ିଆ ପୁଅ ଚନ୍ଦନ କୁମାର ସାହୁ
ବିଦେଶରେ ଦେଶକୁ ଗର୍ବିତ କରାଇଲେ ଓଡ଼ିଆ ପୁଅ ଚନ୍ଦନ କୁମାର ସାହୁ
  • News18 Odia
  • Last Updated: October 12, 2021, 1:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବିଦେଶରେ ଦେଶର ନାମକୁ ଗର୍ବିତ କଲେ ବ୍ରହ୍ମପୁରର ସୁନା ପୁଅ । ଉଜବେକିସ୍ତାନର ତାସକେଣ୍ଡରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବ୍ରହ୍ମପୁରର ଚନ୍ଦନ କୁମାର ସାହୁ । ଚନ୍ଦନ ୬୦ କେଜି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ଜଣେ ମଧ୍ୟବିତ୍ତ ପରିବାରରୁ ଯାଇ ବିଶ୍ବ ସ୍ବାସ୍ଥ୍ୟ ସୁନ୍ଦର ପ୍ରତିଯୋଗିତାରୁ ସ୍ବର୍ଣ୍ଣ ଆଣିଥିବାକୁ ନେଇ ଏବେ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ସ୍ବର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁରକୁ ଫେରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ସାମାଜିକ ସଙ୍ଗଠନମାନେ ମଧ୍ୟ ଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁର ପାଇଁ ଗର୍ବ ଆଣିଥିବା ବେଳେ ସରକାର ଯଦି କିଛି ଆର୍ଥକ ସହାୟତା କରିଥାନ୍ତେ ତେବେ ଆହୁରି ଅଧିକ ପ୍ରତିଯୋଗିତାରେ ଭାଗ ନେଇ ବିଜୟ ହେବେ ବୋଲି ସେ ଆଶା ରଖିଛନ୍ତି ।

କଥାରେ ଅଛି ମନୋବଳ ଯଦି ଦୃଢ଼ ଥାଏ ତେବେ କୌଣସି କାର୍ଯ୍ୟ ଅସମ୍ଭବ ହୋଇନଥାଏ । ଠିକ୍‌ ଏଭଳି କିଛି ହୋଇଛି ବ୍ରହ୍ମପୁରର ଚନ୍ଦନ କୁମାର ସାହୁଙ୍କ କ୍ଷେତ୍ରରେ । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହିର ଚନ୍ଦନ କୁମାର ସାହୁଙ୍କ ବାପା ଚା' ଦୋକାନ କରି ନିଜର ପରିବାରକୁ ଚଳାଉଥିବା ବେଳେ ଚନ୍ଦନ ବହୁ କଷ୍ଟରେ ଜିମରେ ଆଡମିଶନ୍ ନେଇ ଅଭ୍ୟାସ ଜାରି ରଖିଥିଲେ । ଏଭଳି ଦୀର୍ଘ ନଅ ମାସ ଧରି ପରିଶ୍ରମ ଜାରି କରିବା ପରେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରଥମେ ଚନ୍ଦନ ଚଣ୍ଡିଗଡ଼ ଠାରେ ଅଗଷ୍ଟ ମାସ ୨୯ ତାରିଖରେ ବିଶ୍ବ ସୁନ୍ଦର ସ୍ବସ୍ଥ୍ୟ ପ୍ରତିଯୋଗିତାର ଟ୍ରାଏଲରେ ଯୋଗ ଦେଇଥିଲେ । ଏଥିରେ ଚନ୍ଦନ କୃତିତ୍ବ ଲାଭ କରିଥିଲେ । ଏହା ପରେ ଅକ୍ଟୋବର ୧ରୁ ଆଠ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନର ତାସକେଣ୍ଡରେ ଅନୁଷ୍ଠିତ ହୋଇଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ସେ। ଆଉ ସ୍ବର୍ଣ୍ଣ ପଦତ ଜିତି ସମସ୍ତଙ୍କୁ ଗର୍ବିତ କରିଛନ୍ତି ସେ ।

ଜିମରେ ଘଣ୍ଟା ଘଣ୍ଟା କଠିନ ପରିଶ୍ରମ କରୁଥିଲେ ଚନ୍ଦନ କୁମାର ସାହୁ


ଏହି ଅବସରରେ ସେ କହିଛନ୍ତି, ‘‘ଭାରତ ପକ୍ଷରୁ ମୁଁ ପ୍ରଥମ ଥର ପାଇଁ ଏଥିରେ ପ୍ରତିନିଧିତ୍ବ କରିଥିଲେ । ୬୦ ୦କେଜି ବର୍ଗରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇପାରିଛି । ମୁଁ ସ୍ବର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁରକୁ ଫେରିବା ପରେ ମତେ ବିଭିନ୍ନ ମହଲରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ନଥିଲେ ସୁଦ୍ଧା ନିଜର ପରିଶ୍ରମ ଯୋଗୁଁ ମୁଁ ଆଜି ସ୍ବର୍ଣ୍ଣ ପାଇପାରିଛି । ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ ଆହୁରି ଆଗକୁ ଯାଇପାରିବି।’’

ପୂର୍ବତନ ଜାତୀୟ ସ୍ବର୍ଣ୍ଣ ପଦକ ବିଜେତା ଏସ.ରାଜେଶ ବାବୁ ଆଚାରୀଙ୍କ ଠାରୁ ଚନ୍ଦନ ତାଲିମ ନେଉଥିଲେ ।

‘‘ଦୀର୍ଘ ନଅ ମାସ ଧରି ପ୍ରତିଦିନ ପ୍ରାୟ ଆଠ ଘଣ୍ଟା ଜିମ୍‌ରେ ଅଭ୍ୟାସ କରିଥିଲେ ଚନ୍ଦନ । ଏପରିକି ଜିମ୍‌ ହିଁ ତାଙ୍କର ଘର ପାଲଟି ଯାଇଥିଲା । କେବଳ ଖାଇବା ସମୟରେ ଘରକୁ ଯାଇ ପୁଣି ଜିମକୁ ଫେରୁଥିଲେ ଆଉ ଅଭ୍ୟାସ କରି ଚାଲିଥିଲେ । ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଯିବା ସମୟରେ ଆଶା ରହିଥିଲା ନିଶ୍ଚିତ ଭାବେ ଚନ୍ଦନ କୃତିତ୍ବ ଲାଭ କରିବେ । ଠିକ୍‌ ସେଭଳି ଚନ୍ଦନ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ରହ୍ମପୁର ତଥା ଭାରତର ନାମ ରଖିଛନ୍ତି । କଠିନ ଅଭ୍ୟାସ ସହ କାର୍ଯ୍ୟ ପ୍ରତି ନିଷ୍ଠା ଯୋଗୁଁ ସେ ଏଭଳି ସଫଳତା ଲାଭ କରିଛନ୍ତି,’’ କହିଛନ୍ତି ଚନ୍ଦନଙ୍କ କୋଚ୍‌ ଏସ.ରାଜେଶ ବାବୁ ଆଚାରୀ ।

ସ୍ବର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁରକୁ ଫେରିବା ପରେ ଚନ୍ଦନକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା


ଚନ୍ଦନଙ୍କ ଏଭଳି ସଫଳତାକୁ ନେଇ ବେଶ ଖୁସୀ ତାଙ୍କ ବାପା-ମା' । କାରଣ ଏକ ମଧ୍ୟବିତ୍ତ ପରିବାରରୁ ଚନ୍ଦନ ରହିଥିଲେ ସୁଦ୍ଧା ବହୁ କଷ୍ଟରେ ଜିମରେ ଅଭ୍ୟାସ ଜାରି ରଖିଥିଲେ । ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ଚନ୍ଦନ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଯୋଗୁଁ ଗର୍ବିତ ଅନୁଭବ ହେଉଛି ବୋଲି କହିଛନ୍ତି ଚନ୍ଦନଙ୍କ ବାପା-ମା' ।

ଚନ୍ଦନକୁ ସଫଳତାକୁ ନେଇ ବ୍ରହ୍ମପୁର ସହରର ସମେତ ଗଞ୍ଜାମ ଜିଲ୍ଲାରେ ଖୁସୀର ଲହରୀ ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏବେ ଜରୁରୀ ହୋଇପଡ଼ିଛି ।
Published by: Lipina Das
First published: October 12, 2021, 1:10 PM IST