ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମିଳିଲା ଅନୁମତି; କେବଳ ଗଞ୍ଜାମବାସୀ ଦର୍ଶନ କରିପାରିବେ
କରୋନା କଟକଣା ମଧ୍ୟରେ ପାଳିତ ହେବାକୁ ଥିବା ଏହି ଯାତ୍ରାକୁ କେବଳ ଗଞ୍ଜାମ ଜିଲ୍ଲାବାସୀ ଦର୍ଶନ କରିପାରିବେ ବୋଲି ବି.ଏମ୍.ସି. କହିଛି। ଜିଲ୍ଲା ବାହାରର ଭକ୍ତମାନଙ୍କୁ ମାଁଙ୍କୁ ଦର୍ଶନ କରିବା ପାଇଁ ଏ ଥର ସହରକୁ ନ ଆସିବାକୁ ଅନୁରୋଧ କରାଯାଇଛି ।

ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଏକ ଦୃଶ୍ୟ; (ଡାହାଣ) ମାଁ ବୁଢ଼ୀ ଠାକୁରାଣୀଙ୍କ ବିଗ୍ରହ
- News18 Odia
- Last Updated: March 10, 2021, 10:14 PM IST
ବ୍ରହ୍ମପୁର: ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଗାଇଡ଼ଲାଇନ୍ । ଗୁରୁବାର ଦିନ ମାଁଙ୍କ ଯାତ୍ରକୁ ନେଇ ଯାତ୍ରା ପରିଚାଳନା କମିଟି, ଦେଶୀବେହେରା ସାହି ବାସିନ୍ଦା ଓ ବ୍ରହ୍ମପୁର ମହାନଗର ନିଗମ (ବି.ଏମ୍.ସି.) ମଧ୍ୟରେ ହୋଇଛି ପ୍ରାଥମିକ ବୈଠକ । ଏହି ବୈଠକରେ କିଭଳି କରୋନା କଟକଣା ମଧ୍ୟରେ ମାଁଙ୍କ ଯାତ୍ରା ଅନୁଷ୍ଠିତ ହେବ ସେ ନେଇ ବି.ଏମ୍.ସି. ପକ୍ଷରୁ ଅନୁମତି ଦିଆଯାଇଛି ।
ପୂର୍ବରୁ ମାସେ ଧରି ଏହି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ କିଛି ଦିନ କମ୍ ହେବ । କଳାକୁଞ୍ଜ, ପାରମ୍ପରିକ ବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଏହା ଛଡ଼ା ଘଟ ପରିକ୍ରମା କରିବା ସମୟରେ ମଧ୍ୟ ମାଁଙ୍କ ପାଦକୁ ଧୋଇ ପାରିବେ ନାହିଁ ଭକ୍ତ । ମାଁଙ୍କୁ କେବଳ ଜିଲ୍ଲାବାସୀ ଦର୍ଶନ କରିପାରିବେ । ଅନ୍ୟ ଜିଲ୍ଲା ତଥା ରାଜ୍ୟର ଭକ୍ତମାନେ ମାଁଙ୍କୁ ଦର୍ଶନ କରିବା ପାଇଁ ଚଳିତ ବର୍ଷ ସହରକୁ ନ ଆସିବାକୁ ବି.ଏମ୍.ସି. ପକ୍ଷରୁ ଅନୁରୋଧ କରାଯାଇଛି ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

ବି.ଏମ୍.ସି. କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ସଭାପତିତ୍ୱରେ ବସିଥିବା ବୈଠକର ଏକ ଦୃଶ୍ୟ
‘‘ପୂର୍ବରୁ ମାଁଙ୍କ ଯାତ୍ରା ମାସକ ଧରି ଆୟୋଜିତ ହେଉଥିଲେ ବି ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କମ୍ ଦିନ ଆୟୋଜିତ କରିବା ନେଇ ପଦକ୍ଷେପ ନିଆଯାଇଛି । ସହରର ବିଭିନ୍ନ ସାହିରେ ହେବାକୁ ଥିବା କଳାକୁଞ୍ଜକୁ ମଧ୍ୟ ବନ୍ଦ କରାଯାଇଛି । କୌଣସି ପ୍ରକାରର ପାରମ୍ପରିକ ବେଶ ବାହାରିବ ନାହିଁ । କେବଳ ଜିଲ୍ଲାବାସୀ ହିଁ ମା’ଙ୍କୁ ଦର୍ଶନ କରିପାରିବେ,’’ କହିଛନ୍ତି ବି.ଏମ୍.ସି. କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର ।
ଏହା ବି ପଢ଼ନ୍ତୁ | ରାତିରେ ଜଲଦି ଶୋଇପଡ଼ୁଛନ୍ତି କି? ଯଦି ହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ
କରୋନାର ପ୍ରକୋପ ବର୍ତ୍ତମାନ ସୁଦ୍ଧା ରହିଥିବା ଯୋଗୁଁ ମାଁଙ୍କ ଯାତ୍ରା ହେବ କି ନାହିଁ ସେ ନେଇ ଆଶା ଆଶଙ୍କାରେ ଥିଲେ ସହରବାସୀ । କିନ୍ତୁ ଏହି ସବୁ ଆଶଙ୍କା ଆଜି ଦୂରୀଭୂତ ହୋଇଛି । ଚଳିତ ବର୍ଷ କମ୍ ଦିନ ହେଉ ପଛେ ମାଁଙ୍କ ଯାତ୍ରାକୁ ଅନୁମତି ମିଳିଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ମାଁଙ୍କ ଯାତ୍ରାକୁ ନେଇ କିଛି କଟକଣା ରହିଥିବା ବେଳେ ଏହି ସମସ୍ତ କଟକଣାକୁ ପାଳନ କରିବେ ବୋଲି କହିଛନ୍ତି ବ୍ରହ୍ମପୁର ସହରବାସୀ । ଯାତ୍ରା ଉପରେ ଏଭଳି କଟକଣାକୁ ସ୍ବାଗତ କରିଛନ୍ତି ଯାତ୍ରା ପରିଚାଳକ ତଥା ବୁଢ଼ୀ ଠାକୁରାଣୀଙ୍କ ବାପା ।

ଏ ବର୍ଷ ମାଁଙ୍କର କୌଣସି ପ୍ରକାରର ପାରମ୍ପରିକ ବେଶ ବାହାରିବ ନାହିଁ ।
‘‘କରୋନା କଟକଣା ମଧ୍ୟରେ ରହି କିଭଳି ଯାତ୍ରା ହେବ ସେ ନେଇ ବି.ଏମ୍.ସି. ସବୁ ପ୍ରକାରର ପ୍ରସ୍ତୁତି କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତିରେ ସହଯୋଗ କରାଯିବ ବୋଲି କହିଛନ୍ତି ସେ । ବହୁ ପୁରାତନ କାଳରୁ ଘଟ ପରିକ୍ରମାର ପରମ୍ପରା ରହିଥିବା ବେଳେ ଘଟ ପରିକ୍ରମାକୁ ଅନୁମତି ମିଳୁ ବୋଲି ସେ ବି.ଏମ୍.ସି.କୁ ଅନୁରୋଧ କରିବା ସହିତ ଆବଶ୍ୟକ ସ୍ଥଳେ ମାଁଙ୍କ ପାଦ ଧୁଆକୁ ନିଷେଧ କରାଗଲେ ଭିଡ଼ କମିପାରେ,’’ ଯାତ୍ରା ପରିଚାଳକ ପି. ଦୁର୍ଗାପ୍ରସାଦ ଦେଶୀବେହେରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର ଓ କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍
ମାଁଙ୍କ ଯାତ୍ରାକୁ ନେଇ ବିଶେଷ ରୂପେ ଖୁସି ଅଛନ୍ତି ଦେଶୀବେହେରା ସାହି ବାସିନ୍ଦାମାନେ । ଗିନି, ମୃଦଙ୍ଗ ଓ ଘଣ୍ଟ ଘଣ୍ଟା ଧରି ମାଁଙ୍କୁ ସେମାନେ ସ୍ବାଗତ କରିଥାନ୍ତି । ମାଁ ନିଜ ମନ୍ଦିରରୁ କିଛି ଦିନ ପାଇଁ ନିଜ ଘରକୁ ଆସିଥାନ୍ତି । ନିଜ ଘରକୁ ଆସିବା ପରେ ମାଁଙ୍କୁ ଅସ୍ଥାୟୀ ପୀଠରେ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଛୁଟୁଥାଏ । କିନ୍ତୁ ଚଳିତ ବର୍ଷ କେବଳ ଗଞ୍ଜାମ ଜିଲ୍ଲାବାସୀ ହିଁ ମାଁଙ୍କୁ ଦର୍ଶନ କରିବା ନେଇ ବି.ଏମ୍.ସି. ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜିଲ୍ଲା ଓ ରାଜ୍ୟ ବାହାରରେ ରହୁଥିବା ସହରବାସୀଙ୍କ ସମ୍ପର୍କୀୟମାନେ ଚଳିତ ବର୍ଷ ମାଁଙ୍କୁ ଦର୍ଶନ କରିପାରିବେ ନାହିଁ ।
ମହାଶିବରାତ୍ର ପରେ ମାଁଙ୍କ ପାରମ୍ପରିକ ପୂଜକ ତଥା ସିଦ୍ଧାନ୍ତି ପାଞ୍ଜି ପକାଇ ଯାତ୍ରା ନିମନ୍ତେ କେବେ ଶୁଭଖୁଣ୍ଟି ସ୍ଥାପନ କରାଯିବ ଓ କେତେ ଦିନ ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଲ ଦିନ ରହିଛି ସେ ନେଇ ନିଷ୍ପତ୍ତି ନିଆଯିବ । ସିଦ୍ଧାନ୍ତିର ନିଷ୍ପତ୍ତି ପରେ ପୁଣି ଥରେ ବି.ଏମ୍.ସି. ଓ ଯାତ୍ରା ପରିଚାଳନା କମିଟି ସହ ବୈଠକ କରାଯାଇ ଶେଷ ନିଷ୍ପତ୍ତି ନିଆଯିବ ।