ପୁରୀ: ୧୦ ବର୍ଷ ପରେ ସ୍ୱାମୀ ପାଇଲେ ସ୍ତ୍ରୀକୁ, ପୁଅ ପାଇଲେ ମା’କୁ; ନ୍ୟୁଜ୧୮କୁ ଧନ୍ୟବାଦ ଦେଲେ

ନିଜ ମା’ ତାରାଙ୍କୁ ହଜେଇବାର ୧୦ ବର୍ଷ ପରେ ତାଙ୍କୁ ପ୍ରଥମ ଥର ଦେଖି ମା’ ବୋଲି ଡାକିଥିଲେ ୩୫ ବର୍ଷୀୟ ଦେବାଶିଷ । ତା’ ପରେ ତାରା ଓ ତାଙ୍କ ସ୍ୱାମୀଙ୍କ ମିଳନ ଦୃଶ୍ୟ ଥିଲା ବେଶ୍ ହୃଦୟସ୍ପର୍ଶୀ । ସ୍ୱାମୀଙ୍କୁ ଜାବୁଡ଼ି ଧରି କାନ୍ଦି ପକାଇଥିଲେ ତାରା ।

ପୁରୀ: ୧୦ ବର୍ଷ ପରେ ସ୍ୱାମୀ ପାଇଲେ ସ୍ତ୍ରୀକୁ, ପୁଅ ପାଇଲେ ମା’କୁ; ନ୍ୟୁଜ୧୮କୁ ଧନ୍ୟବାଦ ଦେଲେ
ପୁରୀ ବୃଦ୍ଧାଶ୍ରମରେ ତାରାଙ୍କ ସହ ତାଙ୍କ ସାନ ପୁଅ ଦେବାଶିଷ
  • News18 Odia
  • Last Updated: November 8, 2020, 10:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଗତ ୧୦ ବର୍ଷ ତଳେ ତାଙ୍କ ସ୍ତ୍ରୀ ତାରା ନିଖୋଜ ହେବା ପର ଠାରୁ ପ୍ରତି ଦିନ ଶିବ ମନ୍ଦିରରେ ବେଲ ପତ୍ରରେ ତାଙ୍କ ନାଁ ଲେଖି ପ୍ରଭୁଙ୍କୁ ଚଢାଉଥିଲେ ପଶ୍ଚିମ ବଙ୍ଗର ଶଙ୍କର ଭଗତ । ମନରେ ବିଶ୍ୱାସ ଥିଲା ଦିନେ ନା ଦିନେ ତାଙ୍କ ସ୍ତ୍ରୀ ତାରା ମିଳିବେ । ଏବେ ତାରାଙ୍କୁ ସୁରକ୍ଷିତ ଭାବେ ପାଇବା ପରେ ପ୍ରଭୁ ଜଗନ୍ନାଥଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ଶଙ୍କର । ନ୍ୟୁଜ୧୮ ନେଟୱାର୍କର ସଫଳ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଥିବାରୁ ଏହି ଚ୍ୟାନେଲକୁ ବି ସେ ଧନ୍ୟବାଦ ଜଣେଇଛନ୍ତି ।

ତାରାଙ୍କୁ ନେଇ ପୁରୀର ଏକ ବୃଦ୍ଧାଶ୍ରମରୁ ଶଙ୍କର ଓ ତାଙ୍କ ପୁଅ ଫେରିବା ବେଳେ ସେଠାରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଦୀର୍ଘ ଦଶ ବର୍ଷ ପରେ ନିଜ ପରିବାରକୁ ପାଇ ଖୁସିରେ ଆତ୍ମହରା ହୋଇଥିଲେ ତାରା  । ଆଉ ଦୀର୍ଘ ଦିନ ଧରି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଗଢ଼ିଉଠିଥିବା ମଧୁର ସମ୍ପର୍କରେ ଅନ୍ତ ପଡ଼ିବା ଯୋଗୁଁ ତାରାଙ୍କ ଆଖିରୁ ଝରୁଥିଲା ଲୁହ ।

ଏହା ବି ପଢ଼ନ୍ତୁ | ଅଭିନେତା ଆମିର୍ ଖାନଙ୍କ ଝିଅ ଇରା ଖାନ୍ କହିଲେ ୧୪ ବର୍ଷ ବୟସରେ ତାଙ୍କର ଯୌନ ଶୋଷଣ ହୋଇଥିଲା

୨୦୧୦ ମସିହା ଜାନୁଆରୀରେ ପଶ୍ଚିମ ବଙ୍ଗ ବୀରଭୁମ ଜିଲ୍ଲାର ଶାନ୍ତିନିକେତନ ନିକଟସ୍ଥ ବୋଲପୁରର ମାନସିକ ବିକାରଗସ୍ତ ୫୨ ବର୍ଷୀୟା ତାରା ଭଗତ ଘରୁ ନିଖୋଜ ହୋଇଯାଇଥିଲେ । ତାଙ୍କ ୬୦ ବର୍ଷୀୟ ସ୍ୱାମୀ ଶଙ୍କର ଭଗତ ଓ ଦୁଇ ପୁଅ – ୪୫ ବର୍ଷୀୟ ଶୁଭାଶିଷ ଏବଂ ୩୫ ବର୍ଷୀୟ ଦେବାଶିଷ – ପାଖାପାଖି ସବୁ ଅଞ୍ଚଳ ଖୋଜାଖୋଜି କରିଥିଲେ । ମେଦିନିପୁର, କୋଲକାତା, ଦୁର୍ଗାବାଡ଼ି ଓ ନବଦ୍ୱୀପ ଆଦି ଅନେକ ସ୍ଥାନରେ ଖୋଜି ନିରାଶ ହେବା ପରେ ଥାନାରେ ସେ ନିଖୋଜ ହୋଇଥିବା ନେଇ ଏକ ଏତାଲା ଦେଇଥିଲେ ।

ତାରାଙ୍କ ସହ ତାଙ୍କ ସ୍ୱାମୀ ଶଙ୍କର ଭଗତ


‘‘ମୋ’ ସ୍ତ୍ରୀ ତାରା ହଜିବା ଦିନ ଠାରୁ ପରିବାରରେ କାହାରି ମନ ଭଲ ରହୁ ନ ଥିଲା । ସେ ମାନସିକ ବିକାରଗସ୍ତ ଥିବା ସହ କେବଳ ବଙ୍ଗାଳୀ ଭାଷା ଛଡ଼ା ଆଉ କୌଣସି ଭାଷା ଜାଣି ନ ଥିଲେ । ତେଣୁ ଗୋଟେ ବର୍ଷ ଆମେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଆଦି ଜାଗାରେ ତାଙ୍କୁ ଖୋଜିବା ସହ ସେଠାରେ ତାଙ୍କ ଫଟୋ ଲଗାଇଥିଲୁ । ରେଡିଓରେ ବି ବିଜ୍ଞାପନ ଦେଇଥିଲୁ । ଲୋକେ ଭାବିଥିଲେ ମୁଁ ନିର୍ଯ୍ୟତନା ଦେବାରୁ ସେ ଘର ଛାଡ଼ିଦେଇଛି । ତେଣୁ କଳଙ୍କମୁକ୍ତ ହେବା ପାଇଁ ମୋ’ ସ୍ତ୍ରୀକୁ ମୁଁ ଖୋଜିବି ବୋଲି ସ୍ଥିର କରିଥିଲି,’’ କହିଛନ୍ତି ଶଙ୍କର ଭଗତ ।

ତାଙ୍କ ଘର ପାଖରେ ଥିବା ଏକ ଶିବ ମନ୍ଦିରରେ ଦୁଇଟି ବେଲ ପତ୍ର ଆଣି ଗୋଟିକରେ ମହାଦେବଙ୍କ ନାଁ ଓ ଅନ୍ୟଟିରେ ତାରାଙ୍କ ନାଁ ଲେଖି ସେ ସବୁ ଦିନ ପ୍ରଭୁଙ୍କୁ ଚଢାଉଥିଲେ । ଦୀର୍ଘ ୧୦ ବର୍ଷ ହେବ ଏମିତି କରି ଆଶା ରଖିଥିଲେ ତାଙ୍କ ମନକାମନା ପୁର୍ଣ୍ଣ ହେବ । ଏବେ ପୁରୀରେ ତାରାଙ୍କୁ ପାଇବା ପରେ ସେ କଳଙ୍କମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି ଶଙ୍କର ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ନଭେମ୍ବର ୫ ତାରିଖରେ ପୁରୀର ‘ହୋପ୍‌ ଇଜ୍‌ ଲାଇଫ୍‌’ ଆଶ୍ରମରେ ପହଞ୍ଚିଥିଲେ ସ୍ୱାମୀ ଶଙ୍କର ତାଙ୍କ ସାନ ପୁଅ ଦେବାଶିଷ । ମା’ ତାରା ଭଗତଙ୍କୁ ଦେଖି ଦେବାଶିଷଙ୍କ ଆଖରୁ ଲୁହ ଝରିପଡ଼ୁଥିଲା । ଦୀର୍ଘ ୧୦ ବର୍ଷ ପରେ ମା’କୁ ଦେଖିବା ପରେ ତାଙ୍କୁ ମା’ ବୋଲି ଡାକିଥିଲେ ସେ । ତା’ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମିଳନ ଦୃଶ୍ୟ ଥିଲା ବେଶ୍‌ ହୃଦୟସ୍ପର୍ଶୀ  । ସମଗ୍ର ପରିବେଶ ଥିଲା ଭାବବିହ୍ୱଳ । ନିଜ ସ୍ୱାମୀଙ୍କୁ ଜାବୁଡ଼ି ଧରି କାନ୍ଦି ପକାଇଥିଲେ ତାରା ।

ନ୍ୟୁଜ ୧୮ ଓଡିଆର ପୁରୀ ପ୍ରତିନିଧି ଅକ୍ଷୟ ମିଶ୍ର


‘‘କେତେ କୁଆଡ଼ ମା’ଙ୍କୁ ଖୋଜିଥିଲୁ । ହେଲେ ନ୍ୟୁଜ୧୮ ଓଡିଆ ଓ ନ୍ୟୁଜ୧୮ ବାଙ୍ଗଲାକୁ ଅଶେଷ ଧନ୍ୟବାଦ । ପୁରୀର ନ୍ୟୁଜ ୧୮ ଓଡିଆର ପ୍ରତିନିଧି ଅକ୍ଷୟ ମିଶ୍ର ନ୍ୟୁଜ୧୮ ବାଙ୍ଗଲାର ବୋଲପୁର ପ୍ରତିନିଧି ଇନ୍ଦ୍ରଜିତଙ୍କ ସହ ଯୋଗାଯୋଗ କରିଥିଲେ । ସେ ମୋ’ ମା’ର ଭିଡିଓକୁ ସେୟାର କରିଥିଲେ । ଆଉ ମା’ର ଭିଡିଓ ଦେଖି ଆମେ ଚିହ୍ନିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର ପାଇଁ ପ୍ରୟାସ । ମା’କୁ ଫେରି ପାଇଲା ପରେ ନ୍ୟୁଜ ୧୮ ନେଟୱର୍କକୁ ଅଶେଷ ଧନ୍ୟବାଦ ଦେଉଛୁ,’’ ବୋଲି କହିଛନ୍ତି ତାରାଙ୍କ ସାନ ପୁଅ ଦେବାଶିଷ ଭଗତ ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଗଲା; ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦିଆଗଲା VIDEO

ତାରାଙ୍କ ବିଷୟରେ ବୃଦ୍ଧାଶ୍ରମରୁ ମିଳିଥିବା ସୂଚନା ଅନୁସାରେ କୌଣସି ପ୍ରକାରେ ପୁରୀରେ ପହଞ୍ଚିବା ପରେ ସେ ଜଣେ ବ୍ୟକ୍ତିଙ୍କ ଘରେ ବାସନ ମାଜି ରହୁଥିଲେ । ଚାରି ବର୍ଷ ପରେ ସେହି ବ୍ୟକ୍ତି ତାଙ୍କୁ ଘରୁ ବାହାର କରିଦେବା ପରେ ବୃଦ୍ଧାଶ୍ରମ ବିଜୟସ୍ୱାଧାରରେ ସେ ରହିଥିଲେ । ହେଲେ ପରେ ସେଠି ବୃଦ୍ଧାମାନଙ୍କୁ ରଖାଯିବ ନାହିଁ ବୋଲି ନିୟମ ହେବା ପରେ ‘ହୋପ୍‌ ଇଜ୍‌ ଲାଇଫ୍‌’ ଆଶ୍ରମର କର୍ମକର୍ତ୍ତାମାନେ ତାଙ୍କୁ ନେଇ ଆସିଥିଲେ ।

‘‘ଆମର ଏଇଠି ତାରାଙ୍କ ସହ ୨୦ ଜଣ ଅନ୍ତେବାସୀ ରହନ୍ତି । କରୋନା ବେଳେ ମୋଦିଙ୍କ ଘଣ୍ଟ ବଜାଇବା ଦିନ ଆମ ଆଶ୍ରମର ଅନ୍ତେବାସୀମାନେ ଘଣ୍ଟ ବଜାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତା’ରକେ ଦିନେ ମା’ ତାରା ନିଜ ଘରର ଠିକଣା କହିବା ପରେ ନ୍ୟୁଜ୧୮ ଓଡ଼ିଆର ପୁରୀ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲୁ । ସେ ନ୍ୟୁଜ୧୮ ବାଙ୍ଗଲାର ବୋଲପୁର ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ । ଏବେ ଆମେ ତାରାଙ୍କୁ ତାଙ୍କ ପରିବାର ସହ ମିଶାଇବାରେ ସଫଳ ହୋଇଛୁ,’’ କହିଛନ୍ତି ‘ହୋପ୍‌ ଇଜ୍‌ ଲାଇଫ୍‌’ର ସମ୍ପାଦକ ସୁରେଶ ନନ୍ଦ ।

ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

ପଶ୍ଚିମ ବଙ୍ଗ ଥାନାର ଏତାଲା ସହ ଅନ୍ୟ ଆବଶ୍ୟକ କାଗଜପତ୍ର ସହ ଏକ ଅଣ୍ଡରଟେକିଂ ରଖି ତାରାଙ୍କୁ ତାଙ୍କ ସ୍ୱାମୀ ଓ ପୁଅଙ୍କୁ ହସ୍ତାନ୍ତର କରାଯାଇଥିଲା । ମାନସିକ ଭାରସାମ୍ୟ ହରାଇଥିବା ତାରା ପୁରୀରେ ବୃଦ୍ଧାଶ୍ରମରେ ସୁରକ୍ଷିତ ରହିବା ସହ ଅନ୍ତେବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ । ‘‘ଏବେ ସେ ଚାଲିଯାଉଥିବାରୁ ଆମେ ଅନ୍ତେବାସୀଙ୍କ ମନରେ ଉଭୟ ଦୁଃଖ ଓ ଖୁସି ଅଛି,’’ କହିଛନ୍ତି ୮୦ ବର୍ଷୀୟା ଅନ୍ତେବାସୀ ରମାମଣୀ ଦେଇ ।



ପୁରୀ ସହରରେ ସରକାରୀ ଓ ଘରୋଇ ମିଶି ଅନେକ ଜରାଶ୍ରମ ଖୋଲିଛି । ହେଲେ ଘରୋଇ ଜରାଶ୍ରମଗୁଡ଼ିକର ତଥ୍ୟ ସରକାରଙ୍କ ପାଖରେ ନ ଥିବାରୁ ଏଭଳି ଅନେକ ବୃଦ୍ଧ ଓ ବୃଦ୍ଧା ବିଭିନ୍ନ ଜରାଶ୍ରମରେ ପଡ଼ିରହିଛନ୍ତି । ସେମାନଙ୍କ ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ ହେବା ପରେ ପରିବାର ଓ ସରକାରୀ ଅଧିକାରୀମାନେ ମୁଖ୍ୟତଃ ସରକାରୀ ଆଶ୍ରମରେ ଖୋଜୁଛନ୍ତି । ଘରୋଇ ଆଶ୍ରମଗୁଡ଼ିକରେ ସେମାନଙ୍କ ପରିଜନ ଥିଲେ ବି ତଥ୍ୟ ନ ଥିବାରୁ ନିଖୋଜ ବ୍ୟକ୍ତି ମିଳିବାରେ ଏମିତି ବର୍ଷ ବର୍ଷ ଲାଗିଯାଉଛି ବୋଲି କହିଛନ୍ତି ବୁଦ୍ଧିଜିବୀମାନେ ।
Published by: Anand Shankar Thankur Das
First published: November 8, 2020, 10:25 PM IST
corona virus btn
corona virus btn
Loading