ଠକେଇ ପଛରେ ଭଉଣୀ ମାଷ୍ଟରମାଇଣ୍ଡ ରହିଛି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି ଅପରାଧର ଫର୍ଦ୍ଦ । ନକଲି ଡାକ୍ତର ରମେଶ ସ୍ବାଇଁର ଅପରାଧ ତାଲିକା ସରିବାର ନା ନେଉନି । ଖାଲି ରାଜ୍ୟ ନୁହେଁ, ରାଜ୍ୟ ବାହାରେ ମଧ୍ୟ ବ୍ୟବସାୟୀଙ୍କୁ ଚୂନ ଲଗାଇଛି ରମେଶ । ଆନ୍ଧ୍ରପ୍ରଦେଶର ରାଜମୁଣ୍ଡରେ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୪ ଲକ୍ଷ ଠକିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ନକଲି ଡାକ୍ତରଙ୍କ ପୂରା କାରନାମା ପଛରେ ଭଉଣୀଙ୍କ ହାତ ଥିବା କୁହାଯାଉଛି । ଭଉଣୀ ହିଁ ହେଉଛନ୍ତି ପୂରା ଘଟଣାର ମାଷ୍ଟରମାଇଣ୍ଡ । ଭାଇ ବାହାଘରରେ ଭଉଣୀ ସାକ୍ଷୀ ଥିବା ପୋଲିସ କହିଛି ।
ଭାଇ ଠକେଇ କରୁଥିଲା, ଭଉଣୀ ରଚୁଥିଲା ବ୍ଲୁ ପ୍ରିଣ୍ଟ । ଭାଇ ବାହାଘରରେ ଭଉଣୀ ଥିଲା ସାକ୍ଷୀ । ଭାଇ ନୂଆ ନୂଆ ମହିଳାଙ୍କୁ ବିବାହ କରୁଥିଲା, ଭଉଣୀ ନେଉଥିଲା ନଣନ୍ଦ ପୁଟୁଳି । ଦିନକୁ ଦିନ ଖୋଲିବାରେ ଲାଗିଛି ଠକ ରମେଶ ସ୍ବାଇଁର ଠକେଇ ପେଡ଼ି । ଏବେ ରମେଶ ନାଁରେ ରାଜ୍ୟ ବାହାରୁ ଆସିଛି ଠକେଇ ଅଭିଯୋଗ । ଚାରା କିଣା ନାଁରେ ଆନ୍ଧ୍ରପ୍ରଦେଶର ରାଜମୁଣ୍ଡି ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ୪ଲକ୍ଷ ଟଙ୍କା ଠକିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ସେହିଭଳି ରମେଶ ନାଁରେ ଜଣେ ଡାକ୍ତର ମଧ୍ୟ ଅଭିଯୋଗ କରିଛନ୍ତି । ନିଜ ପସନ୍ଦର ମେଡିସିନ ଲେଖିବାକୁ ରମେଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିବା ସହ ରମେଶଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ସେପଟେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ପୂରା ଠକେଇ ପଛରେ ରମେଶର ଭଉଣୀ ହିଁ ମାଷ୍ଟରମାଇଣ୍ଡ । ତେଣୁ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ମହିଳା ଥାନା ପୋଲିସ ।
ଠକ ରମେଶ ସ୍ବାଇଁ ୧୯୯୦ରୁ ୨୦୧୦ ଯାଏଁ କାମାକ୍ଷାନଗରରେ ଚଳାଇଥିଲା ରାଜୁତି। କାମାକ୍ଷାନଗରରେ ଏକ ବେଆଇନ କ୍ଲିନିକ୍ କରି ଚିକିତ୍ସା ଆଳରେ ରୋଗୀଙ୍କୁ ଲୁଟୁଥିବା ନେଇ ଅଭିଯୋଗ ହୋଇଛି । ଚିକିତ୍ସା ସମୟରେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି । କେବଳ ଚିକିତ୍ସା ନୁହେଁ, ଜମି କିଣା ନାଁରେ ମଧ୍ୟ ଲୋକଙ୍କୁ ଠକିଥିବା ସାମ୍ନାକୁ ଆସିଛି । କିଛି ଲୋକ ଅଭିଯୋଗ କରିଛନ୍ତି, କଙ୍କଡ଼ାହାଡ଼ରୁ ବେଆଇନ ଭାବେ କାଠ ଚାଲାଣ କରୁଥିଲା ରମେଶ । ତାଙ୍କ ସ୍ତ୍ରୀ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିବା ଜଣାପଡ଼ିଛି।
ବୁଧବାର ଦିନ ଠକ ରମେଶର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବ । ଏବେ ସୁଦ୍ଧା ରମେଶର କାଣିଚାଏ ଗୁମର ବି ପାଇ ପାରିନି ପୋଲିସ । ତେଣୁ ଅଧିକ ତଦନ୍ତ ପାଇଁ ପୁଣିଥରେ ରମେଶକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ମହିଳା ଥାନା ପୋଲିସ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।