ମହିଳା ଦିବସ ଆଗରୁ ମହିଳା ପୋଲିସ କର୍ମୀଙ୍କ ପାଇଁ ସୁଖବର: କାର୍ଯ୍ୟକ୍ଷେତ୍ରରେ ବଢ଼ିବ ସୁବିଧା

ଏଣିକି ମା' ହେବାକୁ ଯାଉଥିବା ବା ନୂଆ କରି ମା’ ହୋଇଥିବା ମହିଳା ପୋଲିସ କର୍ମଚ଼ାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ କେତେକ ବିଶେଷ ସୁବିଧା । ମହିଳା ପୋଲିସ କର୍ମଚ଼ାରୀମାନଙ୍କ ୟୁନିଫର୍ମର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯିବ ।

ମହିଳା ଦିବସ ଆଗରୁ ମହିଳା ପୋଲିସ କର୍ମୀଙ୍କ ପାଇଁ ସୁଖବର: କାର୍ଯ୍ୟକ୍ଷେତ୍ରରେ ବଢ଼ିବ ସୁବିଧା
ସମ୍ମିଳନୀରେ ଯୋଗଦେଇଥିବା ସବୁ ପୋଲିସ କର୍ମଚ଼ାରୀ ମହିଳା ଥିଲେ ।
  • News18 Odia
  • Last Updated: March 6, 2020, 10:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବିଶ୍ୱ ମହିଳା ଦିବସର ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସର ମହିଳା ପୋଲିସ କର୍ମଚ଼ାରୀମାନଙ୍କ ପାଇଁ କେତେକ ଖୁସିର ଖବର ଆସିଛି । ଏଣିକି ମା' ହେବାକୁ ଯାଉଥିବା ବା ନୂଆ କରି ମା’ ହୋଇଥିବା ମହିଳା ପୋଲିସ କର୍ମଚ଼ାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ କେତେକ ବିଶେଷ ସୁବିଧା । କର୍ତ୍ତବ୍ୟ ଯେପରି ମାତୃତ୍ବର ପଥରୋଧ ନ କରେ ସେଥିପ୍ରତି ଦିଆଯିବ ସ୍ବତନ୍ତ୍ର ଦୃଷ୍ଟି । ତା’ ସହ ମହିଳାମାନଙ୍କ ୟୁନିଫର୍ମର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯିବ ।

ପ୍ରଥମ ଥର ଲାଗି ରାଜ୍ୟରେ କାର୍ଯ୍ୟରତ ମହିଳା ପୋଲିସ କର୍ମଚ଼ାରୀମାନଙ୍କ ପାଇଁ ଆୟୋଜିତ ଏକ ସମ୍ମିଳନୀରେ ଏ ସବୁ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ବିଷୟରେ ସୂଚ଼ନା ମିଳିଛି । କଟକ ସ୍ଥିତ ଷଷ୍ଠ ବଟାଲିୟନରେ ଆୟୋଜିତ ଏହି ମହିଳା ପୋଲିସ ସମ୍ମିଳନୀରେ ଯୋଗ ଦେଇଥିବା କନଷ୍ଟେବଲ ଠାରୁ ଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତ କର୍ମଚ଼ାରୀ ଥିଲେ ମହିଳା ।

କର୍ମକ୍ଷେତ୍ରରେ ମହିଳା ପୋଲିସ କର୍ମଚ଼ାରୀଙ୍କ ପ୍ରତି ଲିଙ୍ଗଗତ ଭେଦଭାବକୁ ଦୃଢ଼ ହସ୍ତରେ ଦମନ କରାଯିବ ଓ ସେମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରକୁ ଅଧିକ ବ୍ୟବହାର ଉପଯୋଗୀ କରିବା ଉପରେ ଜୋର୍‌ ଦିଆଯିବ । ଏହି ସମ୍ମିଳନୀରେ ଏମିତି କିଛି ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ ସେଥି ମଧ୍ୟରୁ ଅନେକ ପ୍ରସ୍ତାବକୁ ତୁରନ୍ତ ପୁରଣ କରିବା ପାଇଁ ଡିଜିପି ଅଭୟ ସମ୍ମତି ପ୍ରଦାନ କରିଥିଲେ ।

“ଯେଉଁ ଥାନାରେ ମହିଳା ଥାନାଧିକାରୀ ଥାଆନ୍ତି, ସମ୍ପୃକ୍ତ ଅଧିକାରୀଙ୍କୁ ଦେଖି ସେହି ଥାନା ଅଧୀନରେ ଥିବା ଲୋକଙ୍କ ସହ ସେ ଅଞ୍ଚଳର କୁନିକୁନି ଝିଅ ଓ ମହିଳାମାନେ ମଧ୍ୟ ପ୍ରେରଣା ପାଇଥାନ୍ତି । ଓଡିଶାରେ ଏବେ ୧୦୨ଟି ଥାନାରେ ମହିଳା ଥାନାଅଧିକାରୀ ଅଛନ୍ତି । ଏହି ସଂଖ୍ୟା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବହୁତ ଅଧିକ । ଆଗାମୀ ଦିନରେ କିଭଳି ଭାବେ ଅଧିକରୁ ଅଧିକ ମହିଳା ଥାନାଧିକାରୀର ଦାୟୀତ୍ବ ତୁଲାଇବେ ସେଥି ପ୍ରତି ଉଦ୍ୟମ କରାଯିବ,” କହିଛନ୍ତି ଡିଜିପି ଅଭୟ ।

ସାତ ଘଣ୍ଟା ଧରି ଚ଼ାଲିଥିବା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୮ ଜଣ ମହିଳା ପୋଲିସ କର୍ମଚ଼ାରୀ । କନିଷ୍ଠ କର୍ମଚ଼ାରୀମାନେ ମନ ଖୋଲି ନିଜ ସମସ୍ୟାଗୁଡ଼ିକ ବାବଦରେ ବରିଷ୍ଠ କର୍ମଚ଼ାରୀଙ୍କୁ ଅବଗତ କରାଇ ଥିଲେ ।

“ମୁଁ ପୂର୍ବରୁ ସର୍ବଭାରତୀୟ ମହିଳା ପୋଲିସ କର୍ମଚ଼ାରୀ ସମ୍ମିଳନୀଗୁଡିକରେ ଭାଗ ନେଇଛି । କିନ୍ତୁ ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ଭଳି ସମ୍ମିଳନୀ ପରିଚାଳନା କରିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅଛି । ଏହି ଭଳି ଏକ ସମ୍ମିଳନୀର ଅନେକ ଆବଶ୍ୟକତା ଥିଲା । ଏହା ଦ୍ବାରା କାର୍ମକ୍ଷେତ୍ରରେ ମହିଳାମାନଙ୍କ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକୁ ଦୂର କରିବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି,” କହିଛନ୍ତି ଆଇଜି ଏସ୍‌. ସାଇନୀ ।

ଏହି ସମ୍ମିନଳୀରେ ଯୋଗ ଦେଇଥିବା ମହିଳା ପୋଲିସ କର୍ମଚ଼ାରୀମାନଙ୍କ ପଦୋନ୍ନତି, କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନ, ଲିଙ୍ଗଗତ ଭେଦଭାବ, ପୋଷାକ ଓ କ୍ରୀଡ଼ା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଚ଼ାରିଟି ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଯୋଗ ଦେଇଥିବା ମହିଳାମାନଙ୍କ ମଧ୍ୟରୁ ୩୨ ଜଣ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା କଥା ମଧ୍ୟ ସାମନାକୁ ଆସିଥିଲା । ସେମାନଙ୍କୁ ଏ ସମସ୍ୟାର ଉପଯୁକ୍ତ ନିରାକରଣ ପାଇଁ ଉପାୟ କହିବା ସହ ନିରାକରଣର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା ।
First published: March 6, 2020, 10:29 PM IST