News 18 Odia Digital
ବ୍ରହ୍ମପୁର; ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଆରା କଳାକୃତି । ଅଦରକାରୀ ଥଣ୍ଡା ପାନୀୟ ଠିପି ଓ ବିୟର ଟିଣ ଡ଼ବାକୁ ନେଇ ବିଭିନ୍ନ କଳାକୃତି କରିଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇ ସପ୍ତାହ ଧରି ସହରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଅଧିକ ଥଣ୍ଡାପାନୀୟ ଠିପି ସହିତ କିଛି ବିୟର ଟିଣ ଡ଼ବା ସଂଗ୍ରହ କରିଥିଲେ ଛାତ୍ରଛାତ୍ରୀ । ଏହାପରେ ଫିଟର ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ କଳାକୃତି କରିବାରେ ଲାଗିପଡିଥିଲେ । ସଂଗୃହିତ ହୋଇଥିବା ଅଦରକାରୀ ଜିନିଷକୁ ବିଭିନ୍ନ ଆକାର କରି କଳାକୃତି କରିବା ସହିତ ସେଥିରେ ରଙ୍ଗ ଦେଇଥିଲେ । ଯାହାଫଳରେ ଏହି ଅଦରକାରୀ ସାମଗ୍ରୀରେ ନିର୍ମାଣ କରାଯାଇଥିବା ସୁନ୍ଦର ସୁନ୍ଦର କଳାକୃତି ଏବେ ଆଇଟିଆଇ ପରିସରରେ ଶୋଭା ପାଉଛି । ଏଥିସହ ବର୍ତ୍ତମାନ ମଧ୍ୟ ଅନେକ କଳାକୃତି ଗଢ଼ିବାରେ ଲାଗି ପଡ଼ିଛନ୍ତି ଛାତ୍ରଛାତ୍ରୀ ।

କଳାକୃତି ଗୁଡିକର ସୌନ୍ଦର୍ଯ୍ୟ ଆଖି ଝଲସିବା ପରି । ଏହି କଳାକୃତି ଗୁଡ଼ିକ କେବଳ ଯେ ସୁନ୍ଦର ଦିଶୁଛି ତାହା ନୁହେଁ ବରଂ ଏହି କଳାକୃତି ମଧ୍ୟରେ ଦେଖିବାକୁ ମିଳିଛି ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଜ୍ଞାନ । ପ୍ରଥମେ ଛୋଟ ଛୋଟ ବାଇକ, କାର୍ କରିବା ପରେ ପ୍ରଜାପତି, କଙ୍କଡ଼ା ବିଚ୍ଛା ତିଆରି କରିଥିଲେ ଛାତ୍ରଛାତ୍ରୀ । ନିର୍ମାଣ କରିଥିବା ଛୋଟ ଛୋଟ କଳାକୃତି ବେଶ ସୁନ୍ଦର ଦେଖାଯାଇଥିଲା । ଯାହାଫଳରେ ଆହୁରି ବଡ଼ ବଡ଼ କଳାକୃତି କରିବା ନିମନ୍ତେ ଇଚ୍ଛା ବଢ଼ିଥିଲା । ତେଣୁ ଏଭଳି ଅଦରକାରୀ ସାମଗ୍ରୀରେ ଅନେକ କଳାକୃତି କରିପାରିଲୁ ଏବଂ ଏହାଦ୍ୱାରା ଅନେକ ପ୍ରାକ୍ଟିକାଲ ଜ୍ଞାନ ବଢ଼ିବା ସହିତ ଅଦରକାରୀ ସାମଗ୍ରୀରେ ଘରକୁ ସୁନ୍ଦର କରିବା ନିମନ୍ତେ କଳାକୃତି ମଧ୍ୟ ନିର୍ମାଣ କରାଯାଇପାରିଲା ବୋଲି କହିଛନ୍ତି,‘‘ ‘ଆଇଟିଆଇର ଛାତ୍ର ଦ୍ୱାରିକାନାଥ ସାହୁ ।

‘‘ଆଇଟିଆଇର ଫିଟର ଓ ଇଲେକଟ୍ରୋନିକ୍ସ ବିଭାଗର ଛାତ୍ରମାନେ ଦୁଇ ହଜାର ଥଣ୍ଡା ପାନୀୟ ଠିପି ବ୍ୟବହାର କରି ପେଙ୍ଗୁୟିନ୍ ଓ ପେଚା ନିର୍ମାଣ କରିଛନ୍ତି । ସେହିପରି ୧ ହଜାରରୁ ୧୫୦୦ ଠିପିକୁ ନେଇ ବଡ଼ ମାଛ, ୫୦୦ ଠିପିରେ ସପୁରୀ, ପଣସ, କୁକୁର ମୁଣ୍ଡ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ପ୍ରଜାପତି, କଙ୍କଡ଼ା ବିଚ୍ଛା ସହ ବାଇକ, ଟ୍ରେନ ଓ ମେସିନ୍ ଗନ ଭଳି ଅନେକ କଳାକୃତି କରାଯାଇଛି । ବର୍ତ୍ତମାନ ମଧ୍ୟ ବର୍ଜ୍ୟବସ୍ତୁକୁ ନେଇ ଅନେକ କଳାକୃତି ନିର୍ମାଣ ଜାରୀ ରହିଛି । ଏହି ସବୁ ନିର୍ମାଣ କରିବା ଦ୍ୱାରା କିଛି ନୂଆ ଶିକ୍ଷା ଲାଭ କରିବା ସହିତ ନିଜ ଭିତରେ ରହିଥିବା ଅନ୍ତର୍ନୀହିତ ଗୁଣାବଳୀକୁ ମଧ୍ୟ ପ୍ରକାଶ କରିବାରେ ଏହା ବେଶ ସହାୟକ ହୋଇଥାଏ ବୋଲି କହିଛନ୍ତି,‘‘ ଆଇଟିଆଇର ଛାତ୍ର ଦିବ୍ୟଚନ୍ଦ୍ର ଜେନା ।

‘‘ବିଭିନ୍ନ ସମୟରେ ଆଇଟିଆଇର ଛାତ୍ରଛାତ୍ରୀ କିଛି ନା କିଛି ସାମଗ୍ରୀକୁ ନେଇ ନୂଆ କଳାକୃତି ନିର୍ମାଣ କରି ନିଜର ପ୍ରାକ୍ଟିକାଲ ଜ୍ଞାନ ଦେଖାଇଥାନ୍ତି । କିନ୍ତୁ ପ୍ରଥମ ଥର ନିମନ୍ତେ ଏଭଳି ନିଆରା କଳାକୃତି କରାଯାଇଛି । ଏହି ସାମଗ୍ରୀକୁ ଘରର ଇଣ୍ଟରିୟର ଡ଼ିଜାଇନ୍ ପାଇଁ ବ୍ୟବହାର କରିପାରିବା । ଛାତ୍ରଛାତ୍ରୀମାନେ ଏଭଳି ଅଦରକାରୀ ସାମଗ୍ରୀରୁ କଳାକୃତି କରିବା ଦ୍ୱାରା ସେମାନଙ୍କ ହାତରେ କିଛି ନିର୍ମାଣ କରିବା ନିମନ୍ତେ ଏକ ବିଦ୍ୟା ରହିଲା । ଯାହାକି ଭବିଷ୍ୟତରେ ଯଦି ସେମାନେ କିଛି ଚାକିରି ନ ପାଇପାରିବେ ତେବେ ଏଭଳି କଳାକୃତି କରି ଭଲ ରୋଜଗାର କରିପାରିବେ ବୋଲି କହିଛନ୍ତି,‘‘ ଆଇଟିଆଇର ଶିକ୍ଷକ କାହ୍ନଚରଣ ବେହେରା।

‘‘ସାଧାରଣତଃ ଥଣ୍ଡା ପାନୀୟ ପିଇବା ପରେ ଏହାର ଠିପିକୁ ଫୋପାଡ଼ି ଦେଇଥାନ୍ତି ଲୋକେ । ଯାହାଫଳରେ ଏହି ଠିପି ଗୁଡ଼ିକ ଏତେତେଣେ ପଡ଼ି ଅଳିଆ ଆବର୍ଜନା ବୃଦ୍ଧି ହେବା ସହିତ ପରିବେଶ ପ୍ରଦୂଷିତ କରାଇଥାଏ । ଏହିକ୍ରମରେ ବ୍ରହ୍ମପୁର ସହରରୁ ପ୍ରତିଦିନ ପ୍ରାୟ ୫ ହଜାରରୁ ଅଧିକ ଥଣ୍ଡାପାନୀୟ ଠିପି ବାହାରେ ପଡ଼ିଥାଏ । ତେଣୁ ଏହାକୁ କିଭଳି ଭାବେ ସଂଗ୍ରହ କରି କିଛି କଳାକୃତି ହୋଇପାରିବ ଏନେଇ ଚିନ୍ତା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସହଯୋଗରେ ବର୍ତ୍ତମାନ ସଂଗୃହିତ ଥଣ୍ଡାପାନୀୟ ଠିପି ଓ ବିୟର ଟିଣ ଡ଼ାବାକୁ ନେଇ ବହୁ କଳାକୃତି କରାଯାଇଛି । ଯାହାଫଳରେ ପରିବେଶ ପ୍ରଦୂଷଣକୁ ରୋକିବା ସମ୍ଭବପର ହେବା ସହିତ ଏଥିରୁ ସୁନ୍ଦର ସୁନ୍ଦର କଳାକୃତି ମଧ୍ୟ ବାହାରିପାରିଲା ବୋଲି କହିଛନ୍ତି,‘‘ ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ।
ଆଇଟିଆଇର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଳାକୃତି ଅନେକ ରେକର୍ଡ଼ରେ ସାମିଲ ହୋଇଛି । ବର୍ତ୍ତମାନ ପ୍ରଥମ ଥର ନିମନ୍ତେ ଏହି କଳାକୃତିକୁ ଦେଖି ସମସ୍ତେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ଅନେକ ପ୍ରଶଂସା କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।