News18 Odia Digital
ପୁରୀ: ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ଆରମ୍ଭ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ, ନିର୍ମଳ ଓ ଆବର୍ଜନାମୁକ୍ତ କରିବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
"ଏଣିକି ପ୍ରତି ରବିବାର ସକାଳେ ଏହି କାର୍ଯ୍ୟକ୍ରମ କରାଯିବ । ପରବର୍ତ୍ତୀ ସପ୍ତାହରେ ପେଣ୍ଠକଟା ସମେତ ଅପରିଷ୍କାର ହୋଇଥିବା ଅନ୍ୟ ବେଳାଭୂମିକୁ ନିୟମିତ ସଫା କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି," କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

"ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ଯୋଗୁଁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ବ୍ଲୁ ଫ୍ଲାଗ ବିଚ ହେବା ପରେ ଅନ୍ତର୍ଜାତୀୟ ସ୍ତରରେ ପୁଣି ଏକ ପରିଚୟ ପାଇସାରିଛି । ଆଉ ଏହାକୁ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଗତବର୍ଷ ମୋ ବିଚ୍ କ୍ୟାମ୍ପେନ ପରେ ଚଳିତ ବର୍ଷ ପୁଣି ବେଳାଭୂମି ସଫେଇ ଅଭିଯାନ ସହ ସଚେତନତା ନେଇ ଆରମ୍ଭ ହୋଇଛି।
"ଏହି ଅବସରରେ ଆହ୍ୱାନ କରାଯାଇଥିବା ଫଟୋ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ହୋଇଥିବା ସନ୍ତୋଷ କୁମାର ସ୍ୱାଇଁଙ୍କୁ ୫ ହଜାର ଟଙ୍କା, ଦ୍ୱିତୀୟ ହୋଇଥିବା ଶାଶ୍ୱତ ରଞ୍ଜନ ସାହୁଙ୍କୁ ୩ ହଜାର ଓ ସୋମନାଥ ବାରିକଙ୍କୁ ତୃତୀୟ ପୁରସ୍କାର ଭାବେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି," କହିଛନ୍ତି ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ।

"ଦେଶୀ ତଥା ବିଦେଶୀ ପର୍ଯ୍ୟଟକଙ୍କର ପୁରୀ ବେଳାଭୂମି ପ୍ରତି ରହିଛି ଅନେକ ଆକର୍ଷଣ । ଆଉ ଶ୍ରୀମନ୍ଦିର ପରେ ବେଳାଭୂମିର ଦୃଶ୍ୟ ଉପଭୋଗ ସହ ସମୁଦ୍ର ସ୍ନାନର ମଜା ନେବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କପ ବେଶ ଭିଡ ରହିଥାଏ । ତେଣୁ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି," କହିଛନ୍ତି ସାସ୍କୃତିକ ସଙ୍ଗଠନ ଫେଟ ଫାଇଟର ତଥା ମାଲଖମ୍ବ ଗୁରୁ ଜ୍ଞାନ ରଂଜନ ମହାନ୍ତି।

"ଆମେ ବରୋଦାରୁ ଆସିଥିଲୁ । ହେଲେ ପୁରୀ ବେଳାଭୂମିରେ ସଫେଇକୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ସହ ସାସ୍କୃତିକ କାର୍ଯ୍ୟକ୍ରମରେ ଗୋଟିପୁଅ , ଯୋଗ, ମାଲଖମ୍ବ, ୱାଟର ସ୍ପୋର୍ଟସ, ପିଲାମାନଙ୍କ ପାଇଁ ଫନ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ସହ କୁଇଜ କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ମଜା କଲୁ । ବିଶେଷ କରି ସକାଳେ ଯୋଗରେ ପର୍ଯ୍ୟଟକମାନେ ଯୋଗଦାନ କରି ଏହାର ମଜା ନେଇଥିବା ବେଳେ ସେଲଫି ପଏଣ୍ଟ ସହ ଦସ୍ତଖତ ଅଭିଯାନର ମଧ୍ୟ ଆୟୋଜନ କରାଯାଇଛି । ହେଲେ ସିଗ୍ନେଚର କ୍ୟାମ୍ପେନରେ ଆମେ ବିଚରେ ଟଏଲେଟ ବ୍ୟବସ୍ଥା ନ ଥିବାରୁ ତାହା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛୁ," କହିଛନ୍ତି ବରୋଦାରୁ ଆସିଥିବା ମହିଳା ପର୍ଯ୍ୟଟକ ୪୫ ବର୍ଷୀୟ ଶର୍ମିଷ୍ଠା ବଂଶଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।