News 18 Odia Digital
ଭୁବନେଶ୍ୱର; ଆପୋଲୋ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik) ପହଞ୍ଚିଛନ୍ତି । ଏଥିସହ କିପରି ଚିକିତ୍ସା କରାଯାଉଛି ସେ ସମ୍ପର୍କରେ ଟିକିନିକ ତଥ୍ୟ ସଂଗ୍ରହ କରୁଛନ୍ତି । କିପରି ଉତ୍ତମ ଚିକିତ୍ସା କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । କେବଳ ସେତିକି ନୁହେଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରିବାର ସଦସ୍ୟ ଘଟଣାକୁ ନେଇ ଖୁବ ବ୍ୟସ୍ତ ବିବ୍ରତ ହୋଇପଡିଥିବାବେଳେ ମୁଖ୍ୟମନ୍ତ୍ରୀ ପରିବାରକୁ ସାନ୍ୱତା ଦେଇଛନ୍ତି । ନବଦାସଙ୍କ ପୁଅଙ୍କ ହାତରେ ହାତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ବ୍ୟସ୍ତ ହୁଅନି ଧର୍ଯ୍ୟ ଧର ସବୁ ଠିକ ହୋଇଯିବ । ଏହା ସହ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଝାରସୁଗୁଡା ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ । ଗୁଳି ସିଧା ଯାଇ ନବ ଦାସଙ୍କ ଛାତିରେ ବାଜିଥିଲା । ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଝାରସୁଗୁଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡର କରାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାରପୋର୍ଟରୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବା ସମୟରେ ନିଜେ ଡିସିପି ପ୍ରତୀକ ସିଂ ନିଜେ ସୁରକ୍ଷାର ତଦାରଖ କରିଥିଲେ ।
ତେବେ ଜଣେ ଏଏସଆଇ କାହିଁକି ଓ କେଉଁ ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ କଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଚକ୍ରାନ୍ତ ନା ଅନ୍ୟ କିଛି ସେନେଇ କାହା ପାଖରେ ଉତ୍ତର ନାହିଁ । ରକ୍ଷକ କିପରି ଭକ୍ଷକ ସାଜିବ ବା ସୁରକ୍ଷା ଯୋଗାଉଥିବା କର୍ମଚାରୀ ଯଦି ଗୁଳିମାଡ କରିବେ ତେବେ ସୁରକ୍ଷା ଉପରେ ଆଉ କାହାର ବିଶ୍ୱାସ ରହିବ ଏନେଇ ସଭିଙ୍କ ମନରେ ସନ୍ଦେହ ଜାତ ହେଲାଣି । ତେବେ ଘଟଣାର ତଦନ୍ତ ତଥା ଖୋଳତାଡ ହେଲେ ହିଁ ତଥ୍ୟ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି । ମନ୍ତ୍ରୀଙ୍କ ଅନ୍ୟ ସ୍ଥାନକୁ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥାଏ । ତେବେ ଏଠାରେ ଯଦି ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା ଦିଆଯାଇଥିଲା ତେବେ ଏପରି ଘଟଣା କାହିଁକି ଘଟିଲା । ମନ୍ତ୍ରୀଙ୍କ ପିଏସଓ ସେହି ସମୟରେ କଣ କରୁଥିଲେ । ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁଳିମାଡ କରିଥିବା ପୋଲିସ ଏଏସଆଇ ପୂର୍ବରୁ ଥିଲେ ମନ୍ତ୍ରୀଙ୍କର ପିଓସଓ । ହୁଏ ତ ସେହି ସମୟରେ କୌଣସି ବ୍ୟକ୍ତିଗତ ରାଗ ଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା ପ୍ରଶ୍ନ ମଧ୍ୟ ଉଠୁଛି । ପୂର୍ବରୁ ନବ ଦାସଙ୍କ ପିଏସଓ ଥିବା ଗୋପାଳ ଦାସ । ୧୮ ବର୍ଷ ହେବ ଝାରସୁଗୁଡା ଜିଲ୍ଲାରେ ଅଛନ୍ତି । ଦୀର୍ଘ ବର୍ଷ ହେବ ଗୋଟିଏ ଜିଲ୍ଲାରୁ ଅନ୍ୟତ୍ର ବଦଳି ହୋଇନାହିଁ ବୋଲି ସୂଚନା ରହିଛି ।
ସେପଟେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିବା ଘଟଣାରେ ମୁହଁ ଖୋଲିଛନ୍ତି ଗୋପାଳ ଦାସଙ୍କ ପତ୍ନୀ । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଘଣ୍ଟେ ତଳେ ଶୁଣିଲି ଏପରି ହୋଇଛି ବୋଲି । ମୁଁ ନିଜେ ଆଶ୍ଚର୍ଯ୍ୟ, ସକାଳୁ କଥା ବି ହୋଇନି ତାଙ୍କ ସହ । ୭ କି ୮ ବର୍ଷ ହେବ ମାନସିକ ଅବସ୍ଥା ଭଲ ନଥିଲା । ପୂର୍ବରୁ ଥରେ ଥାନାରୁ କୁଆଡେ ପଳାଇଯାଇଥିଲେ ।। ମେଡିସିନ ଖାଉଥିଲେ । କନେଷ୍ଟବଳରୁ ପ୍ରମୋଶନ ହୋଇ ଏଏସଆଇ ହୋଇଥିଲେ । ଛୁଟିରେ ଆସିବା ସମୟରେ ସାଧାରଣ ବ୍ୟବହାର କରୁଥିଲେ । ସେ ଖୁବ ଭଲ ଏମିତି କାହିଁକି କଲେ ମୁଁ କିଛି ଜାଣିପାରୁନି ।ସେ ମତେ କିଛି କହିନାହାନ୍ତି ନବ ଦାସଙ୍କ ବିଷୟରେ । ସେ ଜଣେ ସ୍ପୋର୍ଟମ୍ୟାନ ଥିଲେ । ସ୍ତ୍ରୀ ହିସାବରେ ଏ ଖବର ଶୁଣି ମତେ ଭଲ ଲାଗୁନି । ୪ ମାସ ତଳେ ଛୁଟିରେ ଆସିଥିଲେ ଭଲ ଥିଲେ । ଆଜି ସକାଳେ ଝିଅକୁ ଭିଡିଓ କଲ୍ କରିଥିଲେ । କଥା ହେବା ସମୟରେ ଅନ୍ୟ ଏକ ଫୋନ କଲ୍ ଆସିବାରୁ କହିଲେ ଫୋନ ରଖ ଗୋଟେ କଲ୍ ଆସୁଛି । ମୁଁ ୧୫ ଦିନ ତଳେ କ୍ୱାଟରକୁ ଯାଇଥିଲି । ମେଡିସିନ ଖାଉଥିଲେ ମଝିରେ ମଝିରେ ମେଡିସିନ ଛାଡିଦେଇଥିଲେ । ମୁଁ କହିବାରୁ ଖାଇଥିଲେ । ଏବେ ଖାଉଥିଲେ କି ନାହିଁ ମୁଁ ପଚାରିନଥିଲି । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ । ଆପଣ ଷ୍ଟାଫଙ୍କୁ ପଚାରନ୍ତୁ ସେ ସମସ୍ତଙ୍କ ସହ ଭଲ । ମୁଁ କଣ କରିବି ନିଜେ କିଛି ଭାବି ପାରୁନି । ପିଲାମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେମାନେ ଭାବୁଛନ୍ତି ହଠାତ କିପରି ଏପରି ହୋଇଗଲେ ବାପା । ବ୍ରହ୍ମପୁରରେ କନେଷ୍ଟବଳ ଥିଲେ ପ୍ରମୋଶନ ପରେ ଝାରସୁଗୁଡା ବଦଳି ହୋଇଯାଇଥିଲା ।
ଗୋପାଳ ଦାସଙ୍କ ପୁଅ କହିଛନ୍ତି, ବାପା ସବୁବେଳେ ହସିକି କଥା ହେଉଥିଲେ । ଦଶହରା ସମୟରେ ବାପାଙ୍କ ଦେହ ଟିକେ ଖରାପ ହୋଇଥିଲା । ଛୁଟିନେବା ପାଇଁ ଚାହୁଁଥିଲେ । ମୁଁ ସେ ସମୟରେ ମାଆଙ୍କ ସହ ବାପାଙ୍କ ପାଖକୁ ଯାଇଥିଲି । ବିପି, ଏସିଡ ମଧ୍ୟ ଅଛି, ଗୋଡ ଫୁଲିଯାଉଥିଲା ।
ଏହି ଖବର ପଢ଼ନ୍ତୁ -
http://ମାନସିକ ଅବସ୍ଥା ଖରାପ ଥିଲା ମେଡିସିନ ଖାଉଥିଲେ; ଗୋପାଳ ଦାସଙ୍କ ପତ୍ନୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।