News18 Odia Digital
ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ପଦ୍ମପୁର। ଉପନିର୍ବାଚନ ପ୍ରଚାର ପାଇଁ ଆଜି ପଦ୍ମପୁର ଯାଇଛନ୍ତି ମୁଖ୍ଯମନ୍ତ୍ରୀ । ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ, ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧିତ । ନିର୍ବାଚନୀ ସଭାରେ ବର୍ଷାଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ । ଭାଷଣ ଦେବା ପୂର୍ବରୁ ମଞ୍ଚରେ ଉପସ୍ଥିତ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଣ୍ଡିଆ ମାରିଥିଲେ ବର୍ଷା। ମଞ୍ଚ ଉପରେ ଭାଷଣ ଦେଉ ଦେଉ କାନ୍ଦିପକାଇଥିଲେ ବିଜେଡ଼ି ପ୍ରାର୍ଥୀ ବର୍ଷା ।
ସମସ୍ତଙ୍କୁ ଜୁହାର, ଭୂମିଷ୍ଠ ପ୍ରମାଣ। ମୋତେ ଆଶୀର୍ବାଦ ଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଛନ୍ତି। ଏତେ ବଡ଼ ଜନ ସମାବେଶରେ ଦେଖି ମୋ ବାପା ଖୁସି ହୋଇଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ସହ ଦେଖି ଖୁସି ଯାଇଯାଇଥାନ୍ତେ। ଆପଣ ମାନେ ମୋ ପରିବାର। ଆପଣଙ୍କୁ ନିବେଦନ ଆପଣ ମୋତେ ଆର୍ଶୀବାଦ କରନ୍ତୁ।ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ଧାରାକୁ ଆଗେଇ ନେବା ପାଇଁ ମୋତେ ସୁଯୋଗ ଦିଅନ୍ତୁ। ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋତେ ସେହି ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ଯେଉଁ ଗାଁକୁ ବି ଯାଉଛୁ ସେଠାରେ ଲୋକମାନେ ବାପାଙ୍କ କଥା କହୁଛନ୍ତି। ଏତିକି କହିବା ବେଳେ କାନ୍ଦି ପକାଇଥିଲେ ବର୍ଷା। ଆପଣଙ୍କ ମାନଙ୍କ ଏଇ ସମ୍ପର୍କ ବାପା ତିଆରି କରି ଯାଇଛନ୍ତି। ଏହା ଦେଖି ମୋତେ ଖୁସି ଲାଗୁଛି।
ବର୍ଷା କହିଛନ୍ତି, ମା ମାନେ ହେଉଛନ୍ତି ଦୁର୍ଗା, କାଳୀ ଓ ସରସ୍ୱତୀ। ସେମାନେ ମୋତେ ଆର୍ଶୀବାଦ କରିଛନ୍ତି। ଯେବେଠୁ ମୁଁ ବିଜେଡ଼ି ପ୍ରାର୍ଥୀ ହୋଇଛି ସେବେଠୁ ବିଜେପି ମୋ ଵିଵାହକୁ ବହୁତ କଥା କହୁଛନ୍ତି। ଆପଣଙ୍କ ଘରେ ମା ଭଉଣୀ ଯଦି ରାଜନୀତିକୁ ଆସିବେ ଓ ତାଙ୍କ ସହ ଯଦି ଏପରି ହୁଏ ମୁଁ ଏହାକୁ ଦୃଢ଼ ନିନ୍ଦା କରିବି।
ମୁଁ ଆପଣଙ୍କ ଝିଅ, ଆପଣଙ୍କ ମାଟିର ଝିଅ। ବିଜୟ ସିଂ ବରିହାଙ୍କ ଝିଅ। ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ସାଙ୍ଗରେ ଥିବି। ବାପା ଯେପରି ଆପଣଙ୍କ ସେବା କରିଥିଲେ ଆପଣଙ୍କ ସାଙ୍ଗରେ ଥିଲେ ଜୀବନ ଥିବା ପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ ଥିବି ଆପଣଙ୍କ ସେବା କରୁଥିବି ବୋଲି କହିଛନ୍ତି ବର୍ଷା।
ଗତକାଲି ବିଜେଡି ପ୍ରାର୍ଥୀ ବର୍ଷା ବରିହା କୋହଭରା କଣ୍ଠରେ ଏକ ଭିଡ଼ିଓ କରି ବିଜେପି ତାଙ୍କୁ ମାନସିକ ଆଘାତ ଦେଉଛି ବୋଲି କହିଥିଲେ। ଭିଡ଼ିଓରେ ବର୍ଷା କହିଛନ୍ତି ମୁଁ ପଦ୍ମପୁରରେ ଜନ୍ମ ହୋଇଛି, ଏଠାରେ ପାଠ ମଧ୍ୟ ପଢ଼ିଛି। କିନ୍ତୁ ମୋ ବାହାଘରକୁ ନେଇ ସୋସିଆଲ ମିଡିଆରେ ଏପରି ଚର୍ଚ୍ଚା ହେଉଛି ଯାହା ମୋତେ ଆଘାତ ଦେଉଛି। ପୂର୍ବରୁ ଏ ବାବଦରେ ଚର୍ଚ୍ଚା ହେଉନଥିଲା। କିନ୍ତୁ ଯେବେଠୁ ମୋ ନାଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ସେବେଠାରୁ ଏପରି କରାଯାଉଛି। ସାମାଜିକ ଗଣ ମାଧ୍ୟମରେ ଯେଉଁଭଳି ଅପପ୍ରଚାର ହେଉଛି, ତାହା ମୋ ନାରୀତ୍ବକୁ ଅପମାନ ପହଞ୍ଚାଉଛି। ମୋତେ ବହୁତ କଷ୍ଟ ଦେଉଛି।
ପାଇକମାଳରେ ପ୍ରଚାର ସମୟରେ ଭାବବିହ୍ୱଳ ହୋଇ ପଡ଼ିଥିଲେ ବର୍ଷା। ଏପରି ଏକ ଭିଡିଓ ବେଶ୍ ଭାଇରାଲ ହେଉଥିଲା। ଏକ ସଭାରେ ସମ୍ବୋଧିତ କରିବା ବେଳେ କାନ୍ଦି ପକାଇଥିଲେ ବର୍ଷା। ପ୍ରଚାର ସମୟରେ ବର୍ଷା କହିଥିଲେ ଆପଣଙ୍କ ସୁଖ ଦୁଃଖରେ ରହିଥିବି ଏକଥା କହି ସେ କାନ୍ଦୁଥିବା ଦେଖିବାକୁ ମିଳିଛି। ଠିକ୍ ସେହି ସମୟରେ ମଞ୍ଚ ତଳେ ଥିବା ମହିଳାମାନେ ବି କାନ୍ଦୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।