News18 Odia Digital
ଭୁବନେଶ୍ୱର: ସରଗରମ ପଦ୍ମପୁର ରାଜନୀତି। ମାଳ ମାଳ ନେତା ମନ୍ତ୍ରୀ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଛନ୍ତି। ନିଜ ଦଳ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରୁଛି ଦଳ। ଏହାରି ଭିତରେ ଏକ ଭିଡ଼ିଓ ସାମ୍ନାକୁ ଆସୁଛି। ବିଜେଡି ପ୍ରାର୍ଥୀ ବର୍ଷା ବରିହା କୋହଭରା କଣ୍ଠରେ ଏକ ଭିଡ଼ିଓ କରି ବିଜେପି ତାଙ୍କୁ ମାନସିକ ଆଘାତ ଦେଉଛି ବୋଲି କହିଛନ୍ତି।
ଭିଡ଼ିଓରେ ବର୍ଷା କହୁଛନ୍ତି ମୁଁ ପଦ୍ମପୁରରେ ଜନ୍ମ ହୋଇଛି, ଏଠାରେ ପାଠ ମଧ୍ୟ ପଢ଼ିଛି। କିନ୍ତୁ ମୋ ବାହାଘରକୁ ନେଇ ସୋସିଆଲ ମିଡିଆରେ ଏପରି ଚର୍ଚ୍ଚା ହେଉଛି ଯାହା ମୋତେ ଆଘାତ ଦେଉଛି। ପୂର୍ବରୁ ଏ ବାବଦରେ ଚର୍ଚ୍ଚା ହେଉନଥିଲା। କିନ୍ତୁ ଯେବେଠୁ ମୋ ନାଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ସେବେଠାରୁ ଏପରି କରାଯାଉଛି। ସାମାଜିକ ଗଣ ମାଧ୍ୟମରେ ଯେଉଁଭଳି ଅପପ୍ରଚାର ହେଉଛି, ତାହା ମୋ ନାରୀତ୍ବକୁ ଅପମାନ ପହଞ୍ଚାଉଛି। ମୋତେ ବହୁତ କଷ୍ଟ ଦେଉଛି।
ଆଗରୁ ଏ ବାବଦରେ କୌଣସି ଅସୁବିଧା ନଥିଲା। ବିଜେଡ଼ି ପ୍ରାର୍ଥୀ ହେବା ପରଠୁ ସୋସିଆଲ ମିଡ଼ିଆ, ଗଣମାଧ୍ୟମ ଏପରିକି ପବ୍ଲିକ ମିଟିଂରେ ମଧ୍ୟ କହୁଛନ୍ତି। ଏହା କଣ ନାରୀକୁ ସମ୍ମାନ। ମୁଁ ଧର୍ମେନ୍ଦ୍ର ବାବୁ ଓ ପ୍ରଦୀପ ବାବୁଙ୍କୁ ପଚାରୁଛି, ଆପଣଙ୍କ ଘରେ ମୋ ବୟସର ଝିଅ, ଭଉଣୀ ଅଛି। ଏପରି ନାରୀମାନଙ୍କୁ ସମ୍ମାନ! ଏହା ଆମ ପଶ୍ଚିମ ଓଡିଶାର ସଂସ୍କୃତି ନା ଭାରତର ପରମ୍ପରା ବୋଲି ପ୍ରଶ୍ନ କରିଛନ୍ତି ବର୍ଷା।ଆହୁରି ମଧ୍ୟ ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ସାଂସଦ ହୋଇଛନ୍ତି, ଏବେ ଓଡ଼ିଶାରୁ ରାଜନୀତି କରୁଛନ୍ତି। ପଦ୍ମପୁର ମୋ ନିଜ ଜନ୍ମମାଟି, ମୁଁ ଏଠାରୁ ରାଜନୀତି କରିପାରିବନିକି? ମୋ ଜନ୍ମମାଟିଠୁ ଅଲଗା କରିବା ପାଇଁ ସେମାନେ ଗୋଟେ ହୀନ ରାଜନୀତି କରୁଛନ୍ତି।
ରାଜନୀତିରେ ଶାଳୀନତା ପ୍ରସଙ୍ଗରେ ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ମା ମାନଙ୍କୁ ସମ୍ମାନ ଦେଇଛନ୍ତି। ଯେଉଁମାନେ ମୋତେ ଅପବାଦ କରୁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର ମା ମାନଙ୍କୁ କିପରି ସମ୍ମାନ ଦିଆଯାଏ। ମୁଖ୍ୟମନ୍ତ୍ରୀ ମା ମାନଙ୍କୁ ସମ୍ମାନ ଦେଉଛନ୍ତି ବୋଲି ଆଜି ୧ ନଂ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଯେଉଁମାନେ ମୋତେ ନିନ୍ଦା ଅପବାଦ ଦେଉଛନ୍ତି, ଯାହା କହିବାର କୁହ, ମୁଁ ପଦ୍ମପୁରରେ ଅଛି। ପଦ୍ମପୁର ଲୋକମାନଙ୍କ ସହ ସବୁବେଳେ ଠିଆ ହୋଇଥିବି। ପଦ୍ମପୁରରେ ସେବା କରୁଥିବି। ଆପଣ ଯାହା କହିବାର ଅଛି କୁହନ୍ତୁ ମୋତେ ଲଢ଼ିବାର ଅଛି ଲଢ଼ିବି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।