ବାରବାଟୀ ଟି-୨୦: ମାତ୍ର ୧୫ ମିନିଟରେ ଶେଷ ହୋଇଗଲା ୫ ହଜାର ଟିକେଟ

ଟି-୨୦ ମ୍ୟାଚ ପାଇଁ ଆସନ୍ତା ୯ ଓ ୧୦ ତାରିଖରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟରରେ ଅଫଲାଇନରେ ଟିକେଟ ବିକ୍ରି କରାଯିବ।

ବାରବାଟୀ ଟି-୨୦

ବାରବାଟୀ ଟି-୨୦

  • Share this:
News18 Odia Digital

କଟକ: ବାରବାଟୀ ଟି-୨୦ ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳି ଥିବା ବେଳେ ଅନଲାଇନ ଟିକେଟ ବିକ୍ରି ବ୍ୟବସ୍ଥା ଦର୍ଶକଙ୍କ ମଧ୍ୟରେ ଘୋର ନିରାଶ ଭାବ ସୃଷ୍ଟି କରିଛି। କାରଣ ବିକ୍ରି ପାଇଁ ଅନଲାଇନକୁ ପ୍ଲାଟଫର୍ମକୁ ଆସିବାର ମାତ୍ର ୧୫ ମିନିଟରେ ଗାୟବ ହୋଇଗଲା ପାଞ୍ଚ ହଜାର ଟିକେଟ।

ଓସିଏର ପୂର୍ବ ନିର୍ଦ୍ଧାରିତ ଘୋଷଣା ମୁତାବକ ବୁଧବାର ଦିନ ୧୧ଟା ଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବାକୁ କଥା। କିନ୍ତୁ ମଧ୍ୟାନ୍ନ ଯାଇ ଅପରାହ୍ନ ହେଲା ତଥାପି ଅନଲାଇନ ଟିକେଟ ବିକ୍ରି ଦାୟିତ୍ବ ନେଇଥିବା ପେଟିଏମର ଆପ୍ଲିକେସନ୍ ଟିକେଟ ବୁକିଂ ଅପସନ୍ ଆକ୍ଟିଭ ହୋଇନଥିଲା। ଫଳରେ ଟିକେଟ ବୁକିଂ ପାଇଁ ଆତୁର ଥିବା କ୍ରିକେଟ ପ୍ରେମୀଙ୍କର ବ୍ୟାକୁଳତା ଆହୁରି ବୃଦ୍ଧି ପାଇଥିଲା।

ଶେଷରେ ଅପରାହ୍ନ ୧.୪୫ ମିନିଟ ସମୟରେ ପେଟିଏମର ଆପ୍ଲିକେସନ୍ ଟିକେଟ ବୁକିଂ ଅପସନ୍ ଆକ୍ଟିଭ ହୋଇଥିଲା ସତ। ମାତ୍ର କେହି କିଛି ବୁଝିବା ଆଗରୁ ମାତ୍ର ୧୫ ମିନିଟ ମଧ୍ୟରେ ପାଞ୍ଚ ହଜାର ଟିକେଟ ମଧ୍ୟରୁ କେବଳ ୮ ହଜାର ଟଙ୍କା ମୂଲ୍ୟ ବିଶିଷ୍ଟ ନିୟୁ ପାବିଲିୟନ୍ ଟିକେଟ ବ୍ୟତୀତ ଅନ ସମସ୍ତ ବର୍ଗର ଟିକେଟ ବିକ୍ରି ହୋଇଥିବା ଦର୍ଶାଗଲା। ଏହାର ସମୟ ପରେ ନିୟୁ ପାବିଲିୟନର ଟିକେଟ ମଧ୍ୟ ବିକ୍ରି ହୋଇଯାଇଥିବା ସମ୍ପୃକ୍ତ ଆପ୍ଲିକେସନରେ ଦର୍ଶାଯାଇଥିଲା।

ତେବେ ଏହି ଭଳି ବିଭ୍ରାଟକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ ଟିକେଟ ବୁକିଂ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ ହୋଇଥିବା କ୍ରିକେଟ ପ୍ରେମୀ। "ଅନଲାଇନରେ ଟିକେଟ କିଣିବା ପାଇଁ ମୁଁ ସକାଳ ସାଢେ ୧୦ଟାରୁ ପେଟିଏମ ଆପ୍ଲିକେସନ ଖୋଲିକି ବସିଥିଲି। ଦିନ ୧୧ରେ ଖୋଲିବା କଥା କିଛି ୧୨ଟା ସୁଦ୍ଧା ବି ପେଟିଏମ ଆପ୍ଲିକେସନ ଖୋଲି ନଥିଲା। ଏହା ପରେ ହଠାତ ୧.୪୫ ମିନିଟରେ ଖୋଲିଲା କିନ୍ତୁ ଏକଥା ଶୁଣି କି ମୁଁ ପେ-ଟିଏମ ଆପ୍ଲିକେସନକୁ ଖୋଲିବା ପୂର୍ବରୁ ସମସ୍ତ ଟିକେଟ ବିକ୍ରି ହୋଇ ସାରିଥିଲା," କହିଛନ୍ତି କଟକ ବାସିନ୍ଦା ଜଗନ୍ନାଥ ମହାନ୍ତି।

ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଯୋଗାଯୋଗ କରିବାକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତେବେ ଓସିଏ ଅନ୍ୟ ଜଣେ କର୍ମକର୍ତ୍ତାଙ୍କ କହିବା ମୁତାବକ, "ଦିନ ୧୧ଟାରୁ ପାୟ ୬୦,୦୦୦ ଲୋକ ଏକା ସାଙ୍ଗରେ ଟିକେଟ ପାଇଁ ପେଟିଏମ ସାଇଟରେ ଲଗଇନ କରିବାର ସର୍ଭର ଅକାମି ହୋଇଯାଇଥିଲା। ଲୋଡ କମିବା ପରେ ଅପରାହ୍ନରେ ସାଇଟ ଖୋଲିଥିଲା। ସେହି ସମୟରେ ଯେଉଁମାନେ ଲଗ-ଇନ କରିଥଲେ ସେମାନେ ହିଁ ଟିକେଟ ପାଇଛନ୍ତି।’’

ବାରବାଟୀ ଷ୍ଟାଡିୟମର ୪୪,୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ୨୯,୧୫୪ଟି ବିକ୍ରି କରାଯିବ। ସେଥିମଧ୍ୟରୁ ୨୧,୧୫୪ ଟିକେଟ ସାଧାରଣ ଦର୍ଶକମାନଙ୍କୁ ବିକ୍ରି କରାଯିବାକୁ ଥିବା ବେଳେ ବାକି ଟିକେଟ ଗୁଡ଼ିକୁ ଟିକେଟ ଓସିଏ ଓ ବିସିଆସିଇର ସଦସ୍ୟ ତଥା ଏହି ଦୁଇ ସଙ୍ଗଠନ ସହିତ ଅନୁବନ୍ଧିତ ସଂଘଗୁଡ଼ିକୁ ବିକ୍ରି କରାଯିବ। ଆସନ୍ତା ଜୁନ ୯ ଓ ୧୦ ତାରିଖରେ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟରରେ ଅଫଲାଇନରେ ଟିକେଟ ବିକ୍ରି କରାଯିବ।
Published by:Lipina Das
First published: