ଗାଡ଼ି ମିଳିଲା.. ପୋଷାକ ମିଳିଲା.. କୁଆଡ଼େ ଗଲେ ନନ୍ଦକିଶୋର? ୧୧ ଦିନ ହେବ ଅପେକ୍ଷାରେ ପତ୍ନୀ

ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିବା କାହାଣୀ ଏବେ ନେଇଛି ନୂଆ ମୋଡ଼ । ଅଜଗର ଚର୍ଚ୍ଚା ପୂରା ମିଛ ବୋଲି ଜଣାପଡ଼ିବା ପରେ ନନ୍ଦକିଶୋରଙ୍କ ତଲାସିକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା ।

ଗାଡ଼ି ମିଳିଲା.. ପୋଷାକ ମିଳିଲା.. କୁଆଡ଼େ ଗଲେ ନନ୍ଦକିଶୋର? ୧୧ ଦିନ ହେବ ଅପେକ୍ଷାରେ ପତ୍ନୀ

ଗାଡ଼ି ମିଳିଲା.. ପୋଷାକ ମିଳିଲା.. କୁଆଡ଼େ ଗଲେ ନନ୍ଦକିଶୋର? ୧୧ ଦିନ ହେବ ଅପେକ୍ଷାରେ ପତ୍ନୀ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ଵର: କଟକ ଜିଲ୍ଲା ବାଙ୍କୀ ଥୋରିଆପାଟଣା ସାହିର ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିବା କାହାଣୀ ଏବେ ନେଇଛି ନୂଆ ମୋଡ଼ । ଅଜଗର ଚର୍ଚ୍ଚା ପୂରା ମିଛ ବୋଲି ଜଣାପଡ଼ିବା ପରେ ନନ୍ଦକିଶୋରଙ୍କ ତଲାସିକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ସ୍ତ୍ରୀ । ୧୧ ଦିନ ବିତିଲାଣି କଟକ ଜିଲ୍ଲା ବାଙ୍କୀ ଥୋରିଆପାଟଣା ସାହିର ନନ୍ଦକିଶୋର ବେହେରାଙ୍କର ମିଳୁନି ଖୋଜ ଖବର ।

ନନ୍ଦ କିଶୋରଙ୍କୁ ଅଜଗର ଗିଳିଥିବା ନେଇ ଚାଲିଥିବା ଅବାସ୍ତବ ଚର୍ଚ୍ଚା ଥମିଯାଇଥିଲେ ମଧ୍ୟ ନନ୍ଦକିଶୋରଙ୍କ ତଲାସିକୁ ନେଇ ପୋଲିସ ଦେଖାଉନାହିଁ ତତ୍ପରତା । ଖାଲି ପୋଲିସ ନୁହେଁ, ବନ ବିଭାଗର ନିଷ୍କ୍ରିୟତା ବିରୋଧରେ ମଧ୍ୟ ସ୍ୱର ଉଠାଇଛନ୍ତି ଗାଁ ଲୋକେ । କହିଛନ୍ତି, ନନ୍ଦକିଶୋରଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନ ଉପରୁ କେବଳ କ୍ରାଇମବ୍ରାଞ୍ଚ ହିଁ ପରଦା ହଟାଇପାରିବ । ତେଣୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବା ଦରକାର । ଥୋରିଆପାଟଣା ସାହିର ୭୭ ବର୍ଷୀୟ ନନ୍ଦକିଶୋରଙ୍କ ପୁଅ-ଝିଅ କେହି ନାହାନ୍ତି । ପୁତୁରା ରାମଚନ୍ଦ୍ର ବେହେରାଙ୍କ ପାଖରେ ସପତ୍ନୀକ ରହୁଥିଲେ ନନ୍ଦକିଶୋର । ଗାଡ଼ିରେ ଗାଁ ଗାଁ ବୁଲି ଲୁଗା ବ୍ୟବସାୟ କରନ୍ତି ନନ୍ଦକିଶୋର । ଗତମାସ ୨୮ ତାରିଖରେ ନନ୍ଦକିଶୋର ଘରୁ ଗାଡ଼ି ଧରି ବାହାରି ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ । ଆଖପାଖ ଗାଁରେ ଦାଦାଙ୍କୁ ଖୋଜିଥିଲେ ରାମଚନ୍ଦ୍ର ।

ଗାଁଠାରୁ ୧୭ କିଲୋମିଟର ଦୂର ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବେଙ୍ଗପାଣି ଘାଟିରେ ପଡ଼ିଥିଲା ଦାଦାଙ୍କ ଲୁନା ଗାଡ଼ି ଓ ଲୁଗାପଟା । ସନ୍ଦେହରେ ଗାଁ ଲୋକଙ୍କୁ ଧରି ଆହୁରି ଖୋଜାଖୋଜି କରିବାରୁ ଗାଡ଼ି ପଡ଼ିଥିବା ସ୍ଥାନରୁ ପ୍ରାୟ ୧ କିଲୋମିଟର ଦୂରରେ ଏକ ପେଟଫୁଲା ଅଜଗରକୁ ଦେଖିଥିଲେ । ଯେଉଁଥିରୁ ଲୋକଙ୍କ ସନ୍ଦେହ ହୋଇଥିଲା ଯେ କାଳେ ଅଜଗର ନନ୍ଦକିଶୋରଙ୍କୁ ଗିଳି ଦେଇଥାଇପାରେ । ଏ ସଂପର୍କରେ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ ନନ୍ଦକିଶୋରଙ୍କ ପୁତୁରା । ନନ୍ଦକିଶୋରଙ୍କ ନିଖୋଜ ସହିତ ଦୁର୍ଘଟଣା କିମ୍ବା ସାପ ଗିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ବାଙ୍କୀ ଥାନାରେ ଦୁଇ ଦୁଇଟି ଏତଲା ଦେଇଛନ୍ତି ପୁତୁରା ରାମଚନ୍ଦ୍ର । ପୋଲିସ କେବଳ ଗାଡ଼ି ଓ ପୋଷାକ ସିଜ୍ କରି ବସି ପଡ଼ିଥିବା ବେଳେ ବନ କର୍ମଚାରୀ ନିରବ । ଏହା ଭିତରେ ୧୧ ଦିନ ବିତିଗଲାଣି । ଚନ୍ଦକା ଡିଏଫଓ କହିଛନ୍ତି, ଅଜଗର ମଣିଷକୁ ଗିଳିବା କଥା କେବଳ ଗୁଜବ । ତାଛଡ଼ା ବନ ବିଭାଗର ବିନା ଅନୁମତିରେ ଅଭୟାରଣ୍ୟର ନିଷିଦ୍ଧ ଅଞ୍ଚଳକୁ କେହି ଯାଇପାରିବେନି । ତେଣୁ ସେଠାରୁ କେମିତି ଏକ ଗାଡ଼ି ଓ ପୋଷାକ ମିଳିଲା ? ତାଛଡ଼ା ସୋସିଆଲ ମିଡିଆରେ ଆସିଥିବା ଅଜଗର ଫଟୋ ଡମପଡ଼ା ଅଭୟାରଣ୍ୟର କି ନୁହେଁ, ତାର ଅନୁଧ୍ୟାନ କରାଯାଉଛି । ନନ୍ଦକିଶୋରଙ୍କ ତଲାସିରେ ପୋଲିସକୁ ତଦନ୍ତରେ ସହଯୋଗ କରୁଛନ୍ତି ଡମପଡ଼ା ରେଞ୍ଜର । ନନ୍ଦ ମଉସାଙ୍କୁ ଅଜଗର ଗିଳିବା କଥା ପୂରା ମିଛ । ଏକଥା ବନ ବିଭାଗ କହୁଛି, ବିଶେଷଜ୍ଞ କହୁଛନ୍ତି, ଏମିତି କି ପୋଲିସ ବି ସ୍ପଷ୍ଟ କରୁଛି । ତାହେଲେ ନନ୍ଦକିଶୋର କେମିତି ନିଖୋଜ ହୋଇଗଲେ?  ଗାଡ଼ି, ପୋଷାକ ପାଇବା ପରେ ନନ୍ଦକିଶୋରଙ୍କ ପତ୍ତା କାହିଁକି ଲଗାଇପାରୁନି ପୋଲିସ ? ନିଖୋଜ ହେବା ପଛରେ ଦୁର୍ଘଟଣା, ଅନ୍ୟ କୌଣସି ଅଘଟଣ ନା ଅପରାଧ ରହିଛି, ଘଟଣାର ପର୍ଦ୍ଦାଫାସ ଉପରେ ସଭିଙ୍କ ଅପେକ୍ଷା ।
Published by:Soubhagya Mishra
First published: