ବ୍ରହ୍ମପୁରରେ ବାଂଲାଦେଶର ମହିଳା କ୍ରିକେଟର ସାଜିଦା; ନିଜକୁ ଫିଟ୍ ରଖିବାକୁ ନେଉଛନ୍ତି ଟ୍ରେନିଂ

ବାଂଲାଦେଶର ମହିଳା କ୍ରିକେଟ ଖେଳାଳି ସାଜିଦା ଅକତର ମେଘଲା ବ୍ରହ୍ମପୁରରେ। ସେପ୍ଟମ୍ବର ମାସରେ ହେବାକୁ ଥିବା ଏସିଆ କପରେ ଭାଗ ନେବା ପୂର୍ବରୁ ନିଜକୁ ଫିଟ କରିବା ନିମନ୍ତେ ଫିଜିକାଲ ଏକାଡ଼େମୀରୁ ନେଉଛନ୍ତି ଟ୍ରେନିଂ।

ବ୍ରହ୍ମପୁରରେ ବାଂଲାଦେଶର ମହିଳା କ୍ରିକେଟର ସାଜିଦା

ବ୍ରହ୍ମପୁରରେ ବାଂଲାଦେଶର ମହିଳା କ୍ରିକେଟର ସାଜିଦା

  • Share this:
News18 Odia Digital

ବ୍ରହ୍ମପୁର: ବର୍ତ୍ତମାନର ପରିସ୍ଥିତିରେ ସମସ୍ତେ ନିଜକୁ ଫିଟ୍‌ ରଖିବାରେ ବ୍ୟସ୍ତ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଖେଳାଳୀମାନେ ମଧ୍ୟ ନିଜର ଫିଟନେସ୍ ଉପରେ ଗୁରୁତ୍ବ ଦେଇଥାନ୍ତି। ଏଥିପାଇଁ ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆରେ ଫିଜିକାଲ୍ ଏକାଡ଼େମୀରେ ଦିନକୁ ଦିନ ଲାଗିଥାଏ ଯୁବକ ଯୁବତୀଙ୍କ ଭିଡ଼। କିଏ ଏଠି ନିଜକୁ ଫିଟ୍‌ ରଖିବାକୁ ଆସେ ତ ଆଉ କିଏ ସେନାରେ ସାମିଲ ହେବା ପାଇଁ ଆସିଥାଏ।

ବ୍ରହ୍ମପୁର ଫିଜିକାଲ ଏକାଡ଼େମୀର ଏଭଳି ଫିଟନେସ ଫଣ୍ଡାକୁ ୟୁଟ୍ୟୁବରେ ଦେଖି ବ୍ରହ୍ମପୁରରେ ପହଞ୍ଚିଛନ୍ତି ବାଂଲାଦେଶର ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ତଥା ସ୍ପିନ ବୋଲର ସାଜିଦା ଅକତାର ମେଘଲା।

କ୍ରିକେଟର ମେଘଲା ଗତକାଲି ଠାରୁ ଫିଜିକାଲ ଏକାଡ଼େମୀରେ ନିଜର ଟ୍ରେନିଂ ଆରମ୍ଭ କରିଥିବା ବେଳେ ଦୀର୍ଘ ୨୦ ଦିନ ଧରି ଟ୍ରେନିଂ ନେବେ। ଏଭଳି ଜଣେ ଇଣ୍ଟରନ୍ୟାସନାଲ୍‌ କ୍ରିକେଟର ଟ୍ରେନିଂ ନେଉଥିବା ଯୋଗୁଁ ଫିଜିକାଲ ଏକାଡ଼େମୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କ ମନୋବଳ ବୃଦ୍ଧି ହେଉଥିବା କହିଛନ୍ତି ସେ।

ମାଗଣାରେ ସେନା ଗଢୁଥିବା ବ୍ରହ୍ମପୁର ଫିଜିକାଲ ଏକାଡ଼େମୀ ପାଇଁ ଏକ ଗର୍ବର ବିଷୟ। କାରଣ ଫିଜିକାଲ ଏକାଡ଼େମୀରେ ଯୋଗ ଦେଇଛନ୍ତି ବାଂଲାଦେଶ ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ତଥା ସ୍ପିନ ବୋଲର ସାଜିଦା ଅକତାର ମେଘଲା। ମେଘଲା ଫିଜିକାଲ ଏକାଡ଼େମୀର ଫିଟନେସ୍‌ ଭିଡ଼ିଓ ୟୁଟ୍ୟୁବରେ ଦେଖିଥିଲେ। ୟୁଟ୍ୟୁବରୁ ଫିଟନେସର ଟ୍ରେନିଂ ଦେଖି ସେ ଆକର୍ଷିତ ହେବା ସହିତ ଗତକାଲି ଠାରୁ ଫିଜିକାଲ ଏକାଡ଼େମୀରେ ନିଜର ଟ୍ରେନିଂ ଆରମ୍ଭ କରିଛନ୍ତି।

ବିଭିନ୍ନ ଆନ୍ତର୍ଜାତୀୟ ମହିଳା କ୍ରିକେଟରେ ଭାଗ ନେଇ ନିଜର ଦେଶ ସୁନାମ ଅର୍ଜନ କରିସାରିଛନ୍ତି ମେଘଲା। ମେଘଲା ଇଣ୍ଡିଆ, ପାକିସ୍ତାନ, କେନିଆ, ସାଉଥ ଆଫ୍ରିକା ଭଳି ବିଭିନ୍ନ ଦେଶ ସହିତ କ୍ରିକେଟ ଖେଳି ସାରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ଏସିଆ କପ୍‌ ରହିଥିବା ଯୋଗୁଁ ନିଜର ଫିଟନେସ୍‌ ଯୋଗୁଁ ସେ ଚିନ୍ତିତ ରହିଥିଲେ। ବର୍ତ୍ତମାନ ମେଘଲା ୬୪ କିଲୋ ରହିଥିବା ବେଳେ କିଭଳି ନିଜର ଓଜନକୁ କମାଇପାରିବେ ସେ ନେଇ ଫିଜିକାଲ ଏକାଡ଼େମୀରେ ଯୋଗ ଦେଇଛନ୍ତି। ୨୦ ଦିନ ଧରି ବ୍ରହ୍ମପୁରରେ ରହି ଏକାଡ଼େମୀରୁ ଟ୍ରେନିଂ ନେବେ ସେ। ଟ୍ରେନିଂ ଶେଷ ହେବା ମଧ୍ୟରେ ସେ ନିଶ୍ଚିତ ଭାବେ ପ୍ରାୟ ୭ ରୁ ୮ କିଲୋ ଓଜନ କମ ହୋଇଯିବେ ବୋଲି ଆଶାବାଦୀ ଅଛନ୍ତି ସେ।

ବାଂଲାଦେଶ ମହିଳା କ୍ରିକେଟ ଦଳର ଖେଳାଳୀ ମେଘଲା ୟୁଟ୍ୟୁବରୁ ଭିଡ଼ିଓ ଦେଖି ଫିଜିକାଲ ଏକାଡ଼େମୀ ସହ ଯୋଗାଯୋଗ କରି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେ ଯେଉଁ ଲକ୍ଷ୍ୟ ନେଇ ଆସିଛନ୍ତି ତାହାକୁ ପୂରଣ କରିବା ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି ଟ୍ରେନର ସୀମାଞ୍ଚଳ ବାରିକ। ଉଭୟ ସକାଳ ଓ ସନ୍ଧ୍ୟା ସମୟରେ ମେଘଲାଙ୍କୁ ଫିଟନେସ ଟିପ୍ସ ଶିକ୍ଷା ଦିଆଯାଉଛି।

‘‘୨୦ ଦିନ ମଧ୍ୟରେ ନିଜର ଓଜନ ୭ ରୁ ୮ କେଜି କମାଇବା ନେଇ ସେ ଆଶାବାଦୀ ରହିଥିବା ବେଳେ ମାତ୍ର ୧୫ ଦିନ ମଧ୍ୟରେ ତାହା ହୋଇପାରିବ। ଏଥିନିମନ୍ତେ ମେଘଲାଙ୍କୁ ସମସ୍ତ ପ୍ରକାରର ଟ୍ରେନିଂ ଦେଉଛି ମୁଁ। ବର୍ତ୍ତମାନ ତାଙ୍କ ଓଜନ ୬୪ କେଜି ରହିଥିବା ବେଳେ ଖୁବଶୀଘ୍ର ୫୬ ରୁ ୫୭ କେଜି ଓଜନ ହୋଇକି ସେ ବ୍ରହ୍ମପୁର ଛଡ଼ିବେ। ଅନ୍ୟ ଦେଶର ଜଣେ ଆନ୍ତର୍ଜାତୀୟ ଖେଳାଳୀ ବ୍ରହ୍ମପୁର ସହରକୁ ଆସି ଏକାଡ଼େମୀରେ ଟ୍ରେନିଂ ନେବା ନିହାତି ଏକ ଗର୍ବର କଥା। ସେ ଟ୍ରେନିଂ ପାଇଁ ଆସିବା ପରେ ତାଙ୍କୁ ଦେଖି ଟ୍ରେନିଂ ନେଉଥିବା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରେରଣା ପାଇପାରିବେ,’’ କହିଛନ୍ତି ମେଘଲାଙ୍କ ଟ୍ରେନର ସୀମାଞ୍ଚଳ ବାରିକ।

ଜଣେ ବାଂଲାଦେଶ ମହିଳା କ୍ରିକେଟର ଖେଳାଳୀଙ୍କ ଟ୍ରେନିଂ ନେଉଥିବା ଦେଖି ଏକାଡ଼େମୀର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କ ଠାରୁ କିଛି ଶିକ୍ଷା ଲାଭ କରୁଛନ୍ତି। ବିଶେଷ କରି ଛାତ୍ରୀମାନେ ଟ୍ରେନିଂ ଶେଷ ହେବା ପରେ ମେଘଲାଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥାନ୍ତି। ଯାହାଫଳରେ ଯଦି ଏଭଳି ଅନ୍ୟ ଦେଶରୁ ଛାତ୍ରଛାତ୍ରୀ ଟ୍ରେନିଂ ନେବା ପାଇଁ ବ୍ରହ୍ମପୁର ଆସନ୍ତି ତେବେ କେବଳ ଯେ ଟ୍ରେନିଂରେ ସଫଳତା ହେବ ତାହା ନୁହେଁ ବରଂ ସେମାନଙ୍କର ଭାଷା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ମଧ୍ୟ ଅଧିକ ଜ୍ଞାନ ମିଳିଥାଏ ବୋଲି କହିଛନ୍ତି ଟ୍ରେନିଂ ନେଉଥିବା ଛାତ୍ରୀ ବୈଷ୍ଣବୀ ପଣ୍ଡା।

କେବଳ ମେଘଲା ବାଂଲାଦେଶରୁ ଆସିଛନ୍ତି ତାହା ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟ ତଥା ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କଲିକତା, ଦିଲ୍ଲୀ ଭଳି ଅନେକ ସହରରୁ ମଧ୍ୟ ଏହି ଏକାଡ଼େମୀକୁ ଆସିଥାନ୍ତି ଯୁବକମାନେ। ଦୀର୍ଘ ଦିନ ଧରି ଏକାଡ଼େମୀରେ ଟ୍ରେନିଂ ନେବା ପରେ ନିଜକୁ ଫିଟ୍‌ କରି ନିଜ ଅଞ୍ଚଳକୁ ଫେରିଥାନ୍ତି।
Published by:Lipina Das
First published: