‘ବନ୍ଦେ ଉତ୍କଳ ଜନନୀ’ ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ; ମାଗଣା ଅନଲାଇନ୍‌ ପଢ଼େଇବ TCS କମ୍ପାନୀ

ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କାଳଜୟୀ କୃତି ପଢ଼ିବାର ସୁଯୋଗ ପାଇବେ। ରାଜ୍ୟର ୧୦୧ଟି ଉତ୍କର୍ଷ ଓ ୨୧୪ଟି ଆଦର୍ଶ ବିଦ୍ୟାଳୟରେ TCS କମ୍ପାନୀ ସହାୟତାରେ ମାଗଣାରେ ଡିଜିଟାଲ କ୍ଳାସ୍ ଆରମ୍ଭ ହେବ ।

‘ବନ୍ଦେ ଉତ୍କଳ ଜନନୀ’ ଏଣିକି ସ୍କୁଲ ପାଠ୍ୟକ୍ରମରେ ରହିବ; ମାଗଣା ଅନଲାଇନ୍‌ ପଢ଼େଇବ TCS କମ୍ପାନୀ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ଡାହାଣ) ଏକ ଶ୍ରେଣୀ ଗୃହର ଫାଇଲ୍ ଫଟୋ
  • News18 Odia
  • Last Updated: November 13, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ଓ ଗାଇବାର ସୁଯୋଗ ପାଇବେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ଏହି ପଦକ୍ଷେପ ଶିକ୍ଷାରେ ସଂସ୍କାର ଆଣିବା ତଥା ସ୍କୁଲ ଛାତ୍ରଛାତ୍ରୀଙ୍କୁ କଳା, ସଂସ୍କୃତି ଓ ଐତିହ ସମ୍ପର୍କରେ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ନେଇଚାଲିଥିବା ପଦକ୍ଷେପମାନଙ୍କ ମଧ୍ୟରୁ ଅନ୍ୟତମ । ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ରାଜ୍ୟ ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଗତ ମଇ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆ ଭାଇଭଉଣୀମାନେ ଏହି ଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ଗୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ଼ କରିବା ସହିତ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭଦ୍ରକ ଜିଲ୍ଲାରେ ଥିବା ଏକ ଆଦର୍ଶ ବିଦ୍ୟାଳୟ


ଶିକ୍ଷାରେ ଆଉ ଏକ ବଡ଼ ସଂସ୍କାରମୂଳକ ପଦକ୍ଷେପ ନେଇ ଗଣ ଶିକ୍ଷା ବିଭାଗ ଉତ୍କର୍ଷ ଓ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅନଲାଇନ ଶିକ୍ଷାଦାନ କରିବାକୁ ଟିସିଏସ୍‌ (ଟାଟା କନସଲଟାନ୍ସୀ କମ୍ପାନୀ) ସହିତ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ କରିଛି ।

ଏଣିକି ଉତ୍କର୍ଷ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ହେବ ଡିଜିଟାଲ ଶିକ୍ଷାଦାନ । ଟିସିଏସ ସହ ରାଜ୍ୟ ଗଣ ଶିକ୍ଷା ବିଭାଗର ଚୁକ୍ତିପତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦୧ଟି ଉତ୍କର୍ଷ ଓ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ କ୍ଳାସ ଆରମ୍ଭ ହେବ । ଟାଟା କନସଲାଟାନ୍ସୀ ଲିମିଟେଡ଼ ସିଏସଆର ତରଫରୁ ବିନା ମୂଲ୍ୟରେ ପାଠ ପଢ଼ାଯିବ। ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠପଢ଼ା, ଭିଡିଓ, ଗୃହପାଠ୍ୟ, ଡିବେଟ୍‌, କ୍ୱିଜ ଓ ସର୍ବେକ୍ଷଣ ଆଦି ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ ଅନଲାଇନ ମାଧ୍ୟମରେ ଶିଖିପାରିବେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜର ସୁବିଧା ଦେଖି ଦିନକୁ ୧ରୁ ୨ ଘଣ୍ଟା ସମୟ ଦେଇ ପାଠପଢ଼ା ଶେଷ କରିବେ।

ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

‘‘କରୋନା କାଳରେ ଛାତ୍ରଛାତ୍ରୀମାନେ ଯେମିତି ପାଠପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥି ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଆଜି ଆଦର୍ଶ ଓ ଉତ୍କର୍ଷ ବିଦ୍ୟାଳୟ ପାଇଁ ଡିଜିଟାଲ କ୍ଳାସରୁମ ନେଇ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟକୁ ମିଶାଇ ୧୦୧ଟି ସ୍କୁଲରେ ଅନଲାଇନ ଶିକ୍ଷାଦାନ ଚାଲୁରହିଛି । ଏହା ବ୍ୟତୀତ ଦୀକ୍ଷା ଓ ମଧୁ ଆପ୍‌ ଜରିଆରେ ବି ଭିଡିଓ ଓ ଅଡ଼ିଓ ଯୋଗେ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ହ୍ଵାଟ୍ସଆପ ଜରିଆରେ ବି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଉଛନ୍ତି ।



ଅନଲାଇନ୍‌ ଶିକ୍ଷାଦାନ ପାଇଁ ବ୍ୟବହୃତ ଏହି ସମସ୍ତ ଉପାୟ ସତ୍ତ୍ୱେ ରାଜ୍ୟର ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ବେଳେ ବାକି ୩୮ ଲକ୍ଷ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି ।
Published by: Anand Shankar Thankur Das
First published: November 13, 2020, 11:42 PM IST
corona virus btn
corona virus btn
Loading