News18 Odia Digital
Malkangiri: ଅବିଶ୍ବସନୀୟ ପ୍ରୟାସ, ଅଭୂତପୂର୍ବ ଯାତ୍ରା; ଦୁବାଇ ଯିବେ ବଣ୍ଡାଘାଟିର ଅନାଥ ଝିଅ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଇବେ ବୁଦ୍ରୀ କିର୍ଷାନି । ବୁର୍ଜ ଖଲିଫା (burj khalifa) ସହରରେ ଚମକ ଦେଖାଇବେ ମାଲକାନଗିରି ବଣ୍ଡା ଝିଅ । ଦୁବାଇ(Dubai)ରେ ନିଜ ପ୍ରତିଭା ଦେଖାଇବେ ବଣ୍ଡା ଝିଅ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ପୂରାପୁରି ସତ । ଆସନ୍ତା ମେ’ ମାସରେ ଦୁବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଇପିକଲ ପକ୍ଷରୁ ଭାଗନେବେ ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ (Budri Kirsani) । ଯାହାଙ୍କର ଯାତ୍ରା ସତରେ ପ୍ରେରଣାଦାୟକ ।
ଇପିକଲ ପକ୍ଷରୁ ମେ’ ମାସରେ ଦୁବାଇରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାଗନେବେ ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶାରୁ ମନୋନୀତ କରିଥିବା ୫ ଝିଅ ମଧ୍ୟରୁ ଜଣେ ହେଉଛନ୍ତି ବୁଦ୍ରୀ କିର୍ସାନୀ । ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ।
ବୁଦ୍ରୀଙ୍କ ଯାତ୍ରା ସତରେ ଅବିଶ୍ବସନୀୟ । ଖଇରପୁଟ ବ୍ଲକ ବଣ୍ଡାଘାଟିର ଦାନ୍ତିପଡ଼ା ଗାଁରେ ବୁଦ୍ରୀଙ୍କ ଘର । ପିଲାଟି ଦିନରୁ ବାପାମାଆଙ୍କୁ ହରାଇ ବେସାହାରା ହୋଇପଡ଼ିଥିଲେ । ଘରେ ବୁଦ୍ରୀଙ୍କ ବ୍ୟତୀତ ଅନ୍ୟ ୪ ଭଉଣୀ । ଇଚ୍ଛା ନଥିଲେ ବି ପରିବାରର ଆର୍ଥକ ଅବସ୍ଥା ଦେଖି କଲମ ଛାଡ଼ି କୋଦାଳ ଧରିବାକୁ ଚାହିଁଲେ । ତେବେ ଭଉଣୀର ପାଠପଢ଼ା ପ୍ରତି ଆଗ୍ରହକୁ ଦେଖି ସାଥ୍ ଦେଲେ ୪ ଭଉଣୀ । ମୂଲ ଖଟି ବୁଦ୍ରୀଙ୍କୁ ଶିକ୍ଷିତ କରିବାକୁ ନେଲେ ପଣ । ପ୍ରଥମେ ଏମ୍ଭି-୨୭ ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାସ କଲେ । ପରେ ମାଲକାନଗିରି ଆଇଟିଆଇରେ ଇଲେକ୍ଟୋନିକ୍ସ ମେକାନିକାଲ ବିଭାଗରେ ନାମ ଲେଖାଇଥିଲେ । ତାଙ୍କର କଠନ ପରିଶ୍ରମ ଏବେ ସାର୍ଥକ ହେବାକୁ ଯାଉଛି । ଓଡ଼ିଶା ଅନ୍ୟ ୪ ଝିଅଙ୍କ ସହ ଦୁବାଇରେ ନିଜ ପ୍ରତିଭା ଦେଖାଇବେ ବୁଦ୍ରୀ ।
ଶିକ୍ଷାର ଆଲୁଅ, ସବୁ ଅନ୍ଧକାରକୁ ଦୂର କରିଦିଏ । ବୁଦ୍ରୀଙ୍କ ସଫଳତା ହେଉଛି ଏହାର ଜ୍ବଳନ୍ତ ଉଦାହରଣ । ସଂଘର୍ଷ ଜାରି ରଖିଲେ ଦିନେ ନା ଦିନେ ସୁଯୋଗ ମିଳିବ ଏଥିରେ ସନ୍ଦେହ ନାହିଁ । ବୁଦ୍ରୀଙ୍କ ଏହି ସଫଳତା ବଣ୍ଡା ଘାଟିର ଅନେକ ଗରିବ ଲୋକଙ୍କ ପାଇଁ ଏକ ପ୍ରେରଣା ସାଜିବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।
ରିପୋର୍ଟ: ମହେନ୍ଦ୍ର ପାଣୀଗ୍ରାହୀ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।