କିଏ ବୁଝିବ ବାଉଁଶ କାରିଗରଙ୍କ ଦୁଃଖ; ବାଉଁଶ ବଦଳରେ ଲୋକେ କିଣୁଛନ୍ତି ପ୍ଲାଷ୍ଟିକ ଜିନିଷ

ଚିନ୍ତାରେ ବାଉଁଶ କାରିଗର । ଆଉ ଆଗପରି ବ୍ୟବସାୟ ହେଉନାହିଁ । ଲୋକେ ପ୍ଲାଷ୍ଟିକ ଜିନିଷ କିଣୁଛନ୍ତି । ତେଣୁ ହଜିଯାଉଛି କୌଳିକ ବୃତ୍ତି ।

ବାଉଁଶ ବଦଳରେ ଲୋକେ କିଣୁଛନ୍ତି ପ୍ଲାଷ୍ଟିକ ଜିନିଷ

ବାଉଁଶ ବଦଳରେ ଲୋକେ କିଣୁଛନ୍ତି ପ୍ଲାଷ୍ଟିକ ଜିନିଷ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

ନବରଙ୍ଗପୁର; ବାଉଁଶରେ ତିଆରି ହେଉଛି ଅନେକ ସାମଗ୍ରୀ । କୁଲା, ପାଛିଆ, ସିଇରା, ବିଞ୍ଚଣା କାଠି, ଗଉଣୀଠୁ ଆରମ୍ଭ କରି ଆହୁରୀ ଅନେକ ଘରକରଣା ସାମଗ୍ରୀ ବାଉଁଶରେ ତିଆରି ହୋଇଥାଏ । ପୂର୍ବରୁ ଲୋକେ ବାଉଁଶର ଘରକରଣା ଜିନିଷ ଅଧିକ କିଣୁଥିବାବେଳେ ଏବେ ଆବଶ୍ୟକତାକୁ ପୁରା କରୁଛି ବଜାରର ଶସ୍ତା ପ୍ଲାଷ୍ଟିକ୍ ଜିନିଷ । କହିବାକୁ ଗଲେ ପ୍ଲାଷ୍ଟିକ ହିଁ ଛଡ଼ାଇ ନେଇଛି ବାଉଁଶ କାରିଗରଙ୍କ ବେଉସା ।

ଧିରେଧିରେ ବିଲୁପ୍ତ ହେବାରେ ଲାଗିଛି ଅତୀତର ବାଉଁଶ କାରିଗରି ଜିନିଷ । କାରିଗରଙ୍କ ବେଉସା ମଧ୍ୟ ବୁଡ଼ିବାକୁ ଲାଗିଲାଣି । ପୁରାତନ ସଂସ୍କୃତି ପରମ୍ପରା ସହ ଜଡ଼ିତ ବାଉଁଶର ଜିନିଷ ଏବେ କାଁ ଭାଁ ଦେଖିବାକୁ ମିଳୁଛି । ଶୁଭ କାର୍ଯ୍ୟ ହେଉ କି ଅଶୁଭ କାର୍ଯ୍ୟ ବାଉଁଶର ଆବଶ୍ୟକତା ସବୁଠି ଥିବାବେଳେ ଏବେ ଆଧୁନିକ ଯୁଗରେ ଆଉ କେହି ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଯାହାଦ୍ୱାରା ବାଉଁଶ କାରିଗରଙ୍କ ଜୀବନ ବେସ୍ ପ୍ରଭାବିତ ହୋଇଛି । ରୋଜଗାର କରିବାରେ ଏବେ ଅନେକ ପଛରେ ପଡ଼ିଯାଇଛନ୍ତି ବାଉଁଶ କାରିଗର । ପରିଶ୍ରମ ଅନୁଯାୟୀ ଉଚିତ୍ ପ୍ରାପ୍ୟ ବି ମିଳୁ ନାହିଁ । ତାସହ ଅନେକ କାରିଗର ଏବେ ଅନ୍ୟ କାମ ଧନ୍ଦାକୁ ମନ ବଳାଇଲେଣି ।

ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକରେ ବାଉଁଶ କାରିଗର ମାନେ ବସବାସ କରି ଆସୁଛନ୍ତି l ପୂର୍ବ ପୁରୁଷର ଏହି ବେଉସାକୁ ପାଥେୟ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ଏବେ କାରିଗରମାନେ ଅନେକ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି । ଗାଁରେ ପ୍ରାୟ ୩୦ରୁ ୪୦ ପରିବାର ବାଉଁଶ କାରିଗର ଅଛନ୍ତି l ଏମାନେ ବର୍ଷ ତମାମ ବାଉଁଶରେ ତିଆରି ଜିନିଷ ପ୍ରସ୍ତୁତ କରନ୍ତି । ବାଉଁଶ କିଣି ତାକୁ ପ୍ରଥମେ ପାତିଆ କରି କାଟିଥାନ୍ତି l ପରେ ସେଇ ବାଉଁଶ ପାତିଆରୁ ବିଭିନ୍ନ ଜିନିଷ ଯେପରିକି କୁଲା, ଚାଙ୍ଗୁଡ଼ି, ପାଲ, ମସିଣା ଓ ଟୋକେଇ ଇତ୍ୟାଦି ଅନେକ ପ୍ରକାରର ଜିନିଷ ବୁଣିଥାନ୍ତି l ବାଉଁଶ ଖୋଜି ଆଣି ଏସବୁ ଜିନିଷ ପ୍ରସ୍ତୁତ କରିବାରେ ୪ ରୁ ୫ ଦିନ ସମୟ ଲାଗିଥାଏ । ପ୍ରସ୍ତୁତ ଜିନିଷକୁ ନେଇ ହାଟ ବଜାର କିମ୍ବା ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି l ହେଲେ ଏହି ଆଧୁନିକ ଯୁଗରେ ବାଉଁଶ ଟୋକେଇ ପରିବର୍ତ୍ତେ ପ୍ଲାଷ୍ଟିକର ଅଧିକ ବ୍ୟବହାର ହେତୁ ବିକ୍ରି କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି  ବୋଲି ବ୍ୟବସାୟୀ କହିଛନ୍ତି l



କାରିଗରଙ୍କ କହିବାନୁଯାଇ ଉଚିତ ପାଉଣା ନପାଇବାରୁ ଆର୍ଥିକ ସମସ୍ୟା ଦେଖାଯାଉଛି । ଏହାସହ ପେଟକୁ ମୁଠେ ଦାନା ଯୋଗାଡ଼ କରିବା ବି କଷ୍ଟସାଧ୍ୟ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ନାହିଁ । ତେଣୁ ସରକାରୀ ସ୍ତରରେ କିଛି ସହଯୋଗର ଆବଶ୍ୟକତା ରହିଛି । ସରକାର ସହଯୋଗ କଲେ କୌଳିକ ବୃତ୍ତି ବଞ୍ଚିବା ସହ ବାଉଁଶ କାରିଗରଙ୍କ ପାଇଁ ଏକ ନୂଆ ରାହା ସୃଷ୍ଟିହେବ ବୋଲି ସ୍ଥାନିୟବାସୀ କହିଛନ୍ତି ।
Published by:Soubhagya Mishra
First published: