News 18 Odia Digital
ନୀଳଗିରି: ଅପହଞ୍ଚ ଯୋଜନା ଓ ଦୁର୍ନୀତି ବିରୋଧରେ ଏବେ ସାଧାରଣ ଲୋକେ ଧାରଣା ଦେବା ଆରମ୍ଭ କଲେଣି । କିନ୍ତୁ ସେମାନଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ସରକାରୀ କର୍ମୀ ଧାରଣାକୁ ଭଣ୍ଡୁର କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅପଣାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ ।
ସୂଚନା ଅନୁସାରେ, ଗରିବ ଲୋକଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ନପହଞ୍ଚିବା, ନିର୍ମାଣ କାମରେ ଦୁର୍ନୀତି ଓ ଆରଟିଆଇରେ ମଗାଯାଉଥିବା ତଥ୍ୟ ପ୍ରଦାନ କରାଯାଉ ନ ଥିବା ଅଭିଯୋଗରେ ଏହି ଧାରଣା ଚାଲିଛି । କିନ୍ତୁ ଧାରଣାକୁ ଭଣ୍ଡୁର କରିବା ନିମନ୍ତେ ଏଠାରେ ବାଇଡଙ୍ଗ ପକେଇ ଦିଆଯାଇଥିଲା।ଧାରଣା ଆରମ୍ଭ ହେବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ଦେହ କୁଣ୍ଡାଇ ହେବା ଆରମ୍ଭ ହୋଇଥିଲା। ଆଉ ଯିଏ ଧାରଣା ସ୍ଥଳରେ ବସିଲା କୁଣ୍ଡେଇ ହୋଇ ନାକେଦମ ହେଲା । ଧାରଣା ଦେଉଥିବା ଅନେକ ଲୋକେ ଅସମ୍ଭାଳ ହୋଇ ସ୍ଥାନ ଛାଡ଼ି ଘରକୁ ଚାଲି ଯାଇଥିଲେ ।
ସେପଟେ ଧାରଣାକୁ ବିରୋଧ କରି କିଛି ଲୋକ ହୋହଲ୍ଲା କରିଥିଲେ । ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଆଇଟିଡିଏ ଅଫିସ ଆଗରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ଧାରଣାରେ ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଥିଲେ । ଚିତ୍ତରଞ୍ଜନ କହିଛନ୍ତି, ଧାରଣାକୁ ଭଣ୍ଡୁର କରିବା ନିମନ୍ତେ ଏଠାରେ ବାଇଡଙ୍ଗ ପକେଇ ଦିଆଯାଇଥିଲା । ଧାରଣା ଆରମ୍ଭ ହେବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ଦେହ କୁଣ୍ଡାଇ ହେଲା । ଯାଞ୍ଚ କରିବାରୁ ଜଣାପଡ଼ିଲା, ଅଫିସ ପାଚେରିରେ ପରସ୍ତ ପରସ୍ତ ବାଇଡଙ୍କ ରହିଛି । ସେଠାରୁ ପବନରେ ଉଡ଼ି ଆସି ଲୋକଙ୍କ ଦେହରେ ଲାଗି ଯାଇଛି ବାଇଡଙ୍କ। ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ପରେ ମଧ୍ୟ ଧାରଣାକାରୀ ହଟିନଥିଲେ, ନିଜ ଜିଦରେ ଅଟଳ ରହି ସେମାନେ ଧାରଣା ଦେବା ସହ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଲୋକେ ସେହି ସ୍ଥାନରେ କନା ଢାଙ୍କି ଧାରଣା ଜାରି ରଖିଥିଲେ । କିଛି ସମୟ ପରେ ଗୋଟିଏ ଗୋଷ୍ଠୀର ଲୋକ ଆସି ସେମାନଙ୍କୁ ବିରୋଧ କରିବା ସହ ଧାରଣା ବନ୍ଦ କରିବାକୁ ଧମକ ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସକୁ ଜଣାଇବା ସତ୍ତ୍ୱେ ଠିକ୍ ସମୟରେ ଧାରଣା ସ୍ଥଳରେ କୌଣସି ପୁଲିସ କର୍ମଚାରୀ ଦିଆଯାଇ ନ ଥିବାରୁ ଏଭଳି ଘଟଣା ଘଟିଥିଲା । ଉତ୍ତେଜନା ବୃଦ୍ଧି ହେବାରୁ ପୁଲିସ ପହଞ୍ଚି ସ୍ଥିତକୁ ନିୟନ୍ତ୍ରଣ କରିଥିଲା। ଦୁର୍ନୀତି ଧରାପଡ଼ିଯିବା ଭୟରେ ଅଫିସରମାନେ ଧାରଣାକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରିଥିଲେ ବୋଲି ଲୋକେ କହିଛନ୍ତି । ଏନେଇ ଜେଇଙ୍କ ବିରୋଧରେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।