ବାଲେଶ୍ୱର: ବାଂଲାଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ବ୍ରାଉନ୍ ସୁଗାର କାରବାରର ଏବେ ପେଣ୍ଠ ସ୍ଥଳୀ ପାଲଟିଛି ବାଲେଶ୍ବର ଜିଲ୍ଲା । ଟ୍ରେନ୍, ବସ୍ ଓ ଦାମୀ କାର୍ ଯୋଗେ ପ୍ରତେକ ଦିନ ସାରା ଓଡ଼ିଶାକୁ ଏଇଠୁ ହିଁ ବ୍ରାଉନ୍ ସୁଗାର ଚା଼ଲାଣ ହେଉଛି ବୋଲି ଜଣା ପଡ଼ିଛି।
ବର୍ଷକ ମଧ୍ୟରେ ଦୁଇ କେଜିରୁ ଅଧିକ ବ୍ରାଉନ୍ ସୁଗାର ଜବତ ହେବା ସହିତ ଅନେକ ଚାଲାଣକାରୀ ଗିରଫ ହୋଇଥିଲେ ମଧ୍ୟ ମାଷ୍ଟର୍ମାଇଣ୍ଡକୁ ଏ ପର୍ଯ୍ୟନ୍ତ ଧରି ପାରୁନି ପୋଲିସ୍ କିମ୍ବା ଅବକାରୀ ବିଭାଗ । ସେପଟେ ଏହି କାରବାରରେ ବେପାରୀଙ୍କ ସହିତ ପୋଲିସ ଓ ଅବକାରୀ ବିଭାଗର କିଛି କର୍ମଚାରୀଙ୍କ ସଂପୃକ୍ତି ରହୁଥିବାର ଅଭିଯୋଗ ହୋଇଆସୁଛି ।
ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଲୁଚି଼ ଲୁଚ଼ି ଅନେକ ଯୁବକ ଓ ପ୍ରୌଢ଼ ବ୍ରାଉନ୍ ସୁଗାର୍ ସେବନ କରୁଥିବାର ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ଶହ ଶହ ଯୁବକ ଏଇ ଧଳା ଜହର କବଳରେ ଛନ୍ଦି ହୋଇଯାଉଛନ୍ତି । ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟର କଳା କାରବାର ବଢ଼ିବାକୁ ଲାଗୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏବେ ପୋଲିସ ଓ ଅବକାରୀ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।
ପୋଲିସ୍ର ଅନୁସନ୍ଧାନରୁ ପ୍ରାପ୍ତ ସୂଚନା ଅନୁସାରେ ଏଇ ଧଳା ଜହର ପ୍ରକୃତରେ ଆସୁଛି ବାଂଲାଦେଶରୁ । ପ୍ରଥମେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲାରେ ବ୍ରାଉନସୁଗାର ଆସି ପହଞଚ଼ୁଛି । ତାପରେ ଏହାକୁ ବ୍ୟବସାୟୀମାନେ ଲକ୍ଷ୍ମଣନାଥ ଗେଟ୍ ଦେଇ ବାଲେଶ୍ବର ସହରକୁ ଆଣୁଛନ୍ତି ।
ସୂତ୍ରଙ୍କ ଅନୁସାରେ ବାଲେଶ୍ବର ସହରର ଜଳେଶ୍ବର ଓ ଅରଡ଼ବଜାର ଅଞ୍ଚଳରୁ ସାରା ରାଜ୍ୟକୁ ଚା଼ଲାଣ ହେଉଛି ବ୍ରାଉନ୍ ସୁଗାର୍। ମୁଖ୍ୟତଃ ଖୋର୍ଦ୍ଧା, ପୁରୀ, କଟକ ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳକୁ ହେଉଛି ଚାଲାଣ ବୋଲି କହିଛନ୍ତି ପାଲ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ନିରିକ୍ଷକ ଜଗଦିଶ ଚନ୍ଦ୍ର ।
ତେବେ ଗତ ବର୍ଷକର ରେକର୍ଡ଼ ଦେଖିଲେ ପୋଲିସ୍ ଓ ଗୋଇନ୍ଦା ବିଭାଗ ଦ୍ବାରା 3 କେଜିରୁ ଅଧିକ ବ୍ରାଉନ୍ ସୁଗାର୍ ଜବତ ହୋଇସାରିଛି । ପୋଲିସ୍ ଦ୍ୱାରା ପ୍ରାୟ 2 କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ କଟକ ଅବକାରୀ ବିଭାଗ ମଧ୍ୟ ଏକ କେଜିରୁ ଉର୍ଦ୍ଧ୍ୱ ଧଳା ଜହର ଜବତ କରିଛି ।
ଯଦି ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗର ରେକର୍ଡ଼ ଦେଖାଯାଏ ମାତ୍ର 300ରୁ 400 ଗ୍ରାମ ବ୍ରାଉନ୍ସୁଗାର୍ ଜବତ କରିବାରେ ସଫଳ ହୋଇପାରିଛି ବିଭାଗ । ତେବେ ଏ ନେଇ ଅବକାରୀ ବିଭାଗର ଅଜବ ଯୁକ୍ତି । ଷ୍ଟାଫ୍ ଅଭାବରୁ ସୂଚା ଥୀଲେ ମଧ୍ୟ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ କରି ପାରୁନାହିଁ ବୋଲି ସ୍ବୀକାର କରିଛନ୍ତି ଜିଲ୍ଲା ଅବକାରୀ ଏସ୍ପି ବିବେକାନନ୍ଦ ନାୟକ ।
ଗତ ମାସ 16 ତାରିଖରେ ଭୁବନେଶ୍ବରର ଏସ୍ଟିଏଫ୍ ଅରଡ଼ବଜାରର ଡ୍ରଗ୍ସ ମାଫିଆ ଏସ୍.କେ. ରାଜାକୁ ଧରିବା ପରେ ଏକ ବଡ଼ ରାକେଟ୍ର ଖୁଲାସା ହୋଇଥିଲା । ଘଟଣାରେ ରିମାଣ୍ଡ୍ରେ ନେଇ ରାଜାକୁ ଏସ୍ଟିଏଫ୍ ପଚରାଉଚୁରା କରିବାପରେ ରାଜା ସହିତ ପୋଲିସ୍ ଲିଙ୍କ୍ର ଗୁମର ମଧ୍ୟ ଖୋଲିଥିଲା । ବ୍ରାଉନ୍ ସୁଗାର୍ ବ୍ୟବସାୟୀଙ୍କୁ ପୋଲିସ୍ର ଗତିବିଧି ବିଷୟରେ ଖବର ଦେଉଥିବା ଅଭିଯୋଗରେ ଦୁଇ ଜଣ ପୋଲିସ୍କର୍ମୀଙ୍କୁ ଜିଲ୍ଲା ଏସ୍ପି ସସ୍ପେଣ୍ଡ୍ କରିବା ସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏହା ପରେ ପୋଲିସ୍ ସହିତ ମାଫିଆ ଲିଙ୍କ୍ ସାମ୍ନାକୁ ଆସିଥିଲା ।
ବ୍ରାଉନ୍ ସୁଗାର୍ କାରବାର ସାରା ରାଜ୍ୟରେ ବଢ଼ୁଥିବାବେଳେ ଏହାର ପେଣ୍ଠ ସ୍ଥଳୀ ପାଲଟିଛି ବାଲେଶ୍ବର । ହେଲେ ପୋଲିସ୍ ଓ ଅବକାରୀ ବିଭାଗର ଆଖିଦୃଷିଆ କାର୍ଯ୍ୟାନୁଷ୍ଠାନ ନ ହେବା ଅବକାରୀ ବିଭାଗ ଓ ପୋଲିସ୍ର ଉଦାସୀନତା ବୋଲି ଲୋକେ ଅଭିଯୋଗ କରିଛନ୍ତି ।
କଟକରୁ ଅବକାରୀ ବିଭାଗ ବାଲେଶ୍ବର ଆସି ବ୍ରାଉନ୍ ସୁଗାର୍ ବେପାରୀଙ୍କୁ ଧରୁଥିବାବେଳେ ସ୍ଥାନୀୟ ଅବକାରୀ ଅଧିକାରୀ କାହାକୁ ଧରି ନପାରିବାକୁ ପ୍ରଶ୍ନ କରିଛନ୍ତି ବାଲେଶ୍ବରବାସୀ ରଞ୍ଜନ୍ ବାଗ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।