ବାଲେଶ୍ୱରବାସୀ ପାଳିଲେ ଛଟ୍ ପର୍ବ; ସୁଖ ଶାନ୍ତି କାମନା କରି ସୂର୍ଯ୍ୟଙ୍କୁ ଦେଲେ ଅର୍ଘ୍ୟ

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅର୍ଥାତ ଦୀପାବଳୀର ୬ ଦିନଠାରୁ ଏହି ପର୍ବ ଆରମ୍ଭ ହୋଇ ଚତୁର୍ଥ ଦିନରେ ଉଦଯାପିତ ହୋଇଥାଏ। ପାରିବାରିକ ଜୀବନକୁ ସୁଖମୟ କରିବା ଉଦ୍ଦେଶ୍ୟରେ ମହିଳାମାନେ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥା’ନ୍ତି।

ପୂଜା କରୁଛନ୍ତି ବିହାରୀ ମହିଳା 
(ପ୍ରତୀକାତ୍ମକ ଛବି)

ପୂଜା କରୁଛନ୍ତି ବିହାରୀ ମହିଳା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ୱର: ବାଲେଶ୍ୱରବାସୀ ପାଳିଲେ ଛଟ୍ ପର୍ବ। ପରିବାରର ସୁଖ, ଶାନ୍ତି କାମନା କରି ନଦୀ ପଠାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ବିହାରୀ ସଂପ୍ରଦାୟର ମହିଳାମାନେ। ଭାରତ ବର୍ଷରେ ବିଭିନ୍ନ ଭାଷାଭାଷୀଙ୍କ ପୂଜାପର୍ବ ପାଳିତ ହେଉଥିବା ବେଳେ ବିହାରୀ ସମ୍ପ୍ରଦାୟର ଛଟ୍ ପୂଜା ଅନ୍ୟତମ। ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ବିହାରୀମାନେ ଏହାକୁ ବେଶ ହର୍ଷ ଉଲ୍ଲାସର ସହ ପାଳନ କରିଛନ୍ତି ।

ବାଲେଶ୍ୱର ସହରର ବାଲିଘାଟ ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ପୂଜାର୍ଚ୍ଚନା ମଧ୍ୟରେ  ପାଳିତ ହେଉଛି ଛଟପର୍ବ । ଏଥିପାଇଁ ଜିଲ୍ଲାର ବିଭିନ୍ନ ଜଳାଶୟ ଓ ନଦୀପଠା ଚଳଚଞ୍ଚଳ ହୋଇ ଉଠିଥିଲା । ଧୂପ,ଦୀପ ଭଜନ, କୀର୍ତ୍ତନ ସାଙ୍ଗକୁ ଶଙ୍ଖ ଧ୍ୱନି ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିବା ସହ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ । ପୂର୍ବରୁ ଉତର ଭାରତରେ ଭୋଜପୁରୀ ଭାଷାଭାଷୀ ତଥା ବିହାରୀ ସମ୍ପ୍ରଦାୟର ଲୋକମାନେ ଛଟ୍ ପର୍ବ ପାଳନ କରୁଥିବା ବେଳେ ଏବେ ଦେଶର ସମସ୍ତ ସ୍ଥାନରେ ଏହି ପର୍ବ ପାଳନ କରୁଛନ୍ତି ।

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅର୍ଥାତ ଦୀପାବଳୀର ୬ ଦିନଠାରୁ ଏହି ପର୍ବ ଆରମ୍ଭ ହୋଇ ଚତୁର୍ଥ ଦିନରେ ଉଦ୍ୟାପିତ ହୋଇଥାଏ। ପାରିବାରିକ ଜୀବନକୁ ସୁଖମୟ କରିବା ଉଦ୍ଦେଶ୍ୟରେ ମହିଳାମାନେ ନିଷ୍ଠାର ସହ ଏହି ପର୍ବକୁ  ପାଳନ କରିଥା’ନ୍ତି । ପର୍ବର ପ୍ରଥମ ଦିନକୁ ନାହାକା କୁହାଯାଏ। ଶିବ ଶକ୍ତିର ଅଂଶବିଶେଷ ଭାବେ ଗଣେଶଙ୍କ ବଡ଼ ଭଉଣୀଙ୍କୁ ଛଟ୍ ମା’ ଭାବେ ମହିଳାମାନେ ପୂଜା କରିଥାନ୍ତି। ନାହାକାରେ ସକାଳରୁ ସ୍ନାନ କରି ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯାଏ । ନଦୀରେ ବୁଡ଼ ପକାଇବା ପରେ ଶ୍ରଦ୍ଧାଳୁ ମାନେ ସନ୍ଧ୍ୟା ପୂର୍ବରୁ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ମା’ଙ୍କ ନିତିକାନ୍ତି ପୂଜା କରନ୍ତି ଓ ପରଦିନ ସକାଳେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବାଢ଼ିବା ପରେ ଉପବାସ ଶେଷ ହୁଏ ।

ଦ୍ୱିତୀୟ ଦିନରେ ଉପବାସ ଓ ପୂଜାର୍ଚ୍ଚନା ପରେ ନୂଆ ଚୁଲି ତିଆରି କରାଯାଏ ଓ  ଆମ୍ବକାଠ ଜାଳେଣି ରୂପେ ବ୍ୟବହାର କରି ଖିରି ଭୋଗ ପ୍ରସ୍ତୁତ କରାଯାଇ ତାହାକୁ ମା’ଙ୍କ ନିକଟରେ ପ୍ରସାଦ ରୂପେ ଲାଗି ହେବା ପରେ ସମସ୍ତେ ତାହାକୁ ସେବନ କରନ୍ତି। ତୃତୀୟ ଦିନ ସକାଳେ ନଦୀ ବା ପୋଖରୀ ତୁଠରେ ସ୍ନାନ ପରେ ମହିଳା ମାନେ ପୂଜାର୍ଚ୍ଚନା କରିବା ସହ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତି। ସେହିପରି ପର୍ବର ଶେଷ ଦିନ ନଦୀ ବା ପୋଖରୀ କୂଳରେ ଏକାଠି ହେବା ସହିତ ଧୁପ, ଦୀପ ଦେଇ ମା’ଙ୍କୁ ସାମୂହିକ ପୂଜାର୍ଚ୍ଚନା କରନ୍ତି। ଏଥିରେ ନଡିଆ,କଦଳୀ, କମଳା, ସେଓ ଆଖୁ ନୈବେଦ୍ୟ ରୂପେ ଅର୍ପଣ କରାଯାଏ।।ଶେଷରେ ମହିଳାମାନେ ପରସ୍ପରକୁ ସିନ୍ଦୁର ପିନ୍ଧାଇ ସମସ୍ତଙ୍କର ମଙ୍ଗଳ କାମନା କରି ଥାଆନ୍ତି।

କିମ୍ବଦନ୍ତୀ ଅନୁସାରେ  ଜଣେ ଧର୍ମ ପରାୟଣା ମହିଳା ଅତି ଭକ୍ତିର ସହକାରେ ଏହି ବ୍ରତ କରି ଦୁସାଧ୍ୟ ରୋଗରେ ପିଡିତ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । ସେହିଦିନଠାରୁ ଏହି ପର୍ବକୁ ମହିଳା ମାନେ ବେଶ୍ ଆଗ୍ରହ ସହକାରେ ପାଳନ କରୁଥିବା ବିହାରୀ ସମ୍ପ୍ରଦାୟର ଲୋକମାନେ ପ୍ରକାଶ କରିଛନ୍ତି ।

ଶେଷ କଥା ଛଟ୍ ପାଇଁ ବାଲିଘାଟଠାରେ ଦୁଇଦିନ ବ୍ୟାପୀ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ବୁଢାବଳଙ୍ଗ ନଦୀ ବାଲିଘାଟରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
Published by:Soumya Das
First published: