ବାଲେଶ୍ୱରରୁ ଆବାସ ଯୋଜନାରେ ଫଳକ ଦୁର୍ନୀତି ଅଭିଯୋଗ ଆସିଛି (ପ୍ରତୀକାତ୍ମକ ଛବି)
News18 Odia Digital
ବାଲେଶ୍ଵର: ସମାନ ଫଳକ ହେଲେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରେଟ। ଆବାସ ଯୋଜନାରେ ଫଳକ ଦୁର୍ନୀତି ଅଭିଯୋଗ। ଆବଶ୍ୟକ ଠାରୁ ଅଧିକ ରେଟରେ ଜିଲ୍ଲାର ବିଭିନ୍ନ ବ୍ଲକ କିଣିଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଵସ ଯୋଜନାରେ ଗୃହ ଫଳକ ନିର୍ମାଣ ହୋଇଛି। ୧୫ ଇଞ୍ଚ ଲମ୍ବ ଓ ୧୫ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି ଫଳକ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଦେଇଛନ୍ତି ୪୦୦ ରୁ ଉର୍ଦ୍ଧ୍ବ ଟଙ୍କା । ବାଲେଶ୍ୱର ସଦର ବ୍ଲକ ଓ ସୋର ବ୍ଲକ ଏହାକୁ ୪୩୭ ଟଙ୍କା ଦେଇଥିବା ବେଳେ ରେମୁଣା ୪୨୫ ଓ ଭୋଗରାଇ ଦେଇଛି ୪୮୦ ଟଙ୍କା । ଏହି ସମାନ ଫଳକ ନିକଟସ୍ତ ଜିଲ୍ଲା ମୟୁରଭଞ୍ଜରେ ଲଗାଇବା ପାଇଁ ମୟୁରଭଞ୍ଜ ପ୍ରଶାସନ ଖର୍ଚ୍ଚ କରିଛି ୯୦ ଟଙ୍କା ଆଉ ଭଦ୍ରକ ଖର୍ଚ୍ଚ କରିଛି ୫୦ ଟଙ୍କା । ଏକଥା ନେଇ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ। ତେବେ ବଡ଼ ପ୍ରଶ୍ନ ପୋଡ଼ଶୀ ଜିଲ୍ଲାରେ ଯାହା ଦର ତାର ୧୦ ଗୁଣା ଅଧିକ ବାଲେଶ୍ୱର ଜିଲ୍ଲାରେ କେମିତି ହେଲା ।
ଏହି ବିଷୟକୁ ନେଇ ସଦର ବିଡ଼ିଓ ନରେନ୍ଦ୍ର ଖମାରି ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି,"ମାର୍ବଲରେ ଖୋଦେଇ କରଯାଇ ଫଳକ ଲଗାଯାଇଛି ଏଣୁ ଦର ବଢ଼ିବା ସ୍ୱାଭାବିକ। ସେହିପରି ଏନେଇ ବ୍ଲକ ପକ୍ଷରୁ ସମ୍ପୂର୍ଣ୍ଣ ନିୟମ ମୁତାବକ ଟେଣ୍ଡର କରାଯିବା ସହିତ ସବୁ ପ୍ରକାର ସ୍ୱଚ୍ଛତା ଅବଲମ୍ବନ କରାଯାଇଛି,"।
୨୦୧୪ ରୁ ୨୦୨୧ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ ହୋଇଥିବା ଜିଲ୍ଲାର ୧ଲକ୍ଷ ୮୦ ହଜାର ଲୋକଙ୍କ ଘରେ ଏହି ଫଳକ ଲଗାଯାଇଥିବା ତଥ୍ୟ କହୁଛି । ଟେଣ୍ଡର ପେପର ଯେଉଁଥିରେ ମାର୍ବଲ କଥା ତ ଲେଖା ଯାଇଛି ହେଲେ ୧୫ ଇଞ୍ଚ ଦୈର୍ଘ୍ୟ ଓ ୧୫ ଇଞ୍ଚ ପ୍ରସ୍ତ ମାର୍ବଲ ଯାହାର ମୋଟେଇ ବା ଥିକନେସ ୬ ଏମ ଏମ ରଖାଯାଇଛି ସେଥିରେ କିପରି ଖୋଦେଇ ହେବ ତାହା ପ୍ରଶ୍ନ ଖାଲି ସେତିକି ନୁହେଁ ଆମେ ଯେଉଁ ବିଭିନ୍ନ ଘରେ ଯେଉଁ ଫଳକ ଲାଗିଛି ଖୋଦେଇ ନୁଁହେ ବରଂ କାଳୀରେ ମାର୍ବଲ ଉପରେ ସ୍କ୍ରିନ ପ୍ରିଣ୍ଟ କରାଯାଇଛି । ଏଣୁ ଏହାର ମୂଲ୍ୟ ଅତି ବେଶୀରେ ୧୦୦ ରୁ ୧୫୦ ଟଙ୍କା ମଧ୍ୟରେ ହେବ।
"ପାଖ ଜିଲ୍ଲାରେ ଯେଉଁ ଫଳକର ରେଟ ୯୦ଟଙ୍କାରୁ କମ ରହିଛି ବାଲେଶ୍ୱରରେ କିପରି ଅଧିକ ହେଲା । ଅତି ବେଶୀରେ ନହେଲେ ୫ ଟଙ୍କା ଅନ୍ୟ ଜିଲ୍ଲା ଠାରୁ ଅଧିକ ହୋଇଥାନ୍ତା । ଏଣୁ ଏଥିରେ କିଛି ଦୁର୍ନୀତି ଗନ୍ଧ ଥିବା ସନ୍ଦେହ ମନକୁ ଆସୁଛି। ଏନେଇ ବିଡ଼ିଓମାନେ ଉତ୍ତର ରଖିଲେ ସ୍ପଷ୍ଟ ହେବ,"କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ।
ସବୁ ତଥ୍ୟକୁ ମିଶାଇଲେ ପ୍ରାୟ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି ଏନେଇ ପ୍ରଶାସନ। ଏକକ ଟେଣ୍ଡର ପ୍ରତିବଦଳରେ ପ୍ରତି ବ୍ଲକରେ ଟେଣ୍ଡେର ଏନେଇ ହୋଇଥିବାରୁ ସବୁ ବ୍ଲକରେ ଦର ଭିନ୍ନ ଭିନ୍ନ ରହିଛି। ଏଣୁ ଛୋଟ ଏମାଉଣ୍ଟର ଟଙ୍କାରେ ବଡ଼ ଘୋଟଲା କୁହାଯାଉଥିବା ବେଳେ ଘଟଣାର ସତ୍ୟାସତ୍ୟ ନେଇ ଏବେ ଭିଜିଲାନ୍ସ ବିଭାଗ ଆରମ୍ଭ କରିଛି ତଦନ୍ତ।
"ଅନ୍ୟ ଜିଲ୍ଲାରୁ କାହିଁକି ବାଲେଶ୍ୱରରେ ଦର ଢେର ଅଧିକ ହେଲା ସେନେଇ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସବୁ ବ୍ଲକର ଟେଣ୍ଡର ପ୍ରକ୍ରିୟା ଓ ଦର ଓ ଲାଗିଥିବା ମେଟେରିଆଲ କଷ୍ଟ ପରେ ଭୁଲ ଜଣା ପଡିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ,"କହିଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍ପି ମହେଶ୍ୱର ସେଠୀ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।