ବାଲେଶ୍ୱର: ‘PM ଆବାସ ଯୋଜନା ଟଙ୍କା ଖାଇଗଲେ’; ଧାରଣାରେ ବସିଲେ ୭୦ ବର୍ଷୀୟ ହିତାଧିକାରୀ
କୌଣସି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ନ ଥିବା ୭୦ ବର୍ଷୀୟ ବୃଦ୍ଧ ୨୦୨୦ ଜାନୁଆରୀରେ ଗୃହ କାର୍ଯ୍ୟ ନିରୀକ୍ଷଣ କରିବାକୁ ଆସିଥିବା ସରକାରୀ ଅଧିକାରୀମାନଙ୍କୁ ଏହି ଠକେଇ ସମ୍ପର୍କରେ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଦଣ୍ଡପାଟ ଓ ତାଙ୍କ ପତ୍ନୀ ।
- News18 Odia
- Last Updated: February 9, 2021, 8:20 PM IST
ବାଲେଶ୍ୱର: ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ବ୍ୟାପକ ଅନିୟମିତତାର ଏକ ସଦ୍ୟ ଅଭିଯୋଗ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଜଣେ ହିତାଧିକାରୀଙ୍କ ନାମରେ ସରକାରୀ କର୍ମଚାରୀମାନେ ଜାଲି କରି ଟଙ୍କା ହଡପ କରିଥିବା ଅଭିଯୋଗ ହେବା ପରେ ବାର୍ଦ୍ଧକ୍ୟରେ ଉପନୀତ ସେହି ହିତାଧିକାରୀ ଓ ତାଙ୍କ ପତ୍ନୀ ଅନଶନରେ ବସିଛନ୍ତି ।
ଜଳେଶ୍ୱର ବ୍ଲକ ଅର୍ନ୍ତଗତ ଝାଡପିମ୍ପଳ ଗ୍ରାମ ପଞ୍ଚାୟତର ୭୦ ବର୍ଷୀୟ ଶଙ୍କର ଦଣ୍ଡପାଟ ଓ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଟଙ୍କା ଆଣି କେତେକ ସରକାରୀ ଅଧିକାରୀ ଆତ୍ମସାତ କରିଛନ୍ତି । ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଦଣ୍ଡପାଟ ଓ ତାଙ୍କ ପତ୍ନୀ । ସେମାନଙ୍କୁ ଠକିଥିବା ସରକାରୀ କର୍ମଚାରୀଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ଦେବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ନ୍ୟାୟ ନ ମଳିବା ପର୍ଯ୍ୟନ୍ତ ଦମ୍ପତି ଅନଶନରେ ବସିବେ ବୋଲି କହିଛନ୍ତି ।
ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା

ଦଣ୍ଡପାଟ ଓ ତାଙ୍କ ପତ୍ନୀଙ୍କ ସହ କେତେକ ସ୍ଥାନୀୟ ଜନସେବୀ ବି ଧାରଣାରେ ବସିଛନ୍ତି ।
ଶଙ୍କର ଦଣ୍ଡପାଟ ହରିଜନ ସମ୍ପ୍ରଦାୟର ବ୍ୟକ୍ତି । ସେ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ଝାଡପିମ୍ପଳ ପଞ୍ଚାୟତର ଭି.ଏଲ୍.ଡବ୍ଲ୍ୟୁ. ସୁଶାନ୍ତ କୁମାର ଜେନା ତାଙ୍କ ଘର ତଦାରଖ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକ ଘର (ଆଇଡି ୧୫୫୧୩୨୪) ଆଲଟମେଣ୍ଟ୍ କରିଥିଲେ । ଦଣ୍ଡପାଟ ଅଭିଯୋଗ କରିଛନ୍ତି ଯେ ଜେନା ସେହି ଗ୍ରାମର ସଞ୍ଜୟ କୁମାର ଗିରି ଓ ଜି.ଆର୍.ଏସ୍. ପ୍ରଦୀପ୍ତ କିଶୋର ପ୍ରଧାନଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଚଞ୍ଚକତା କରି ତାଙ୍କ ନାଁରେ ଟଙ୍କା ଠକିନେଇଛନ୍ତି ।
ଏହା ବି ପଢ଼ନ୍ତୁ | ୮ ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର
‘‘ଏହି ତିନି ଜଣ ମିଶି ମୋ’ ନାମରେ ଏକ ଜାଲ୍ ଆକାଉଣ୍ଟ୍ ଖୋଲିଥିବା ମୁଁ ଜାଣିବାକୁ ପାଇଛି । ସେମାନେ ସରକାରଙ୍କୁ ମୋ’ର ଜିଓ ଟେକରେ ଫଟୋ ନ ଦେଇ ଅନ୍ୟ ଜଣଙ୍କର ଫଟୋ ଦେଇଥିଲେ ଓ ଜାଲ ଟିପ ଚିହ୍ନ ଦେଇ ଖାତା ଖୋଲିଥିଲେ । ସେହି ତିନି ଜଣ ମିଶି ମୋ’ ନାମରେ କରିଥିବା ମିଛ ଆକାଉଣ୍ଟରେ ସରକାରଙ୍କ ତହବିଲରୁ ଆବାସ ଯୋଜନାରେ ଆସିଥିବା ମୋ’ଟ ୯୦,୦୦୦ ଟଙ୍କା ଉଠାଇ ନେଇଛନ୍ତି,’’ କହିଛନ୍ତି ଦଣ୍ଡପାଟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ଏଲି ଆବ୍ରାମ୍ ନିଜ ବୋଲ୍ଡ ଓ ହଟ୍ ଷ୍ଟାଇଲ୍ ଯୋଗୁଁ ସୋସିଆଲ୍ ମିଡି଼ଆରେ ହଇଚଇ ସୃଷ୍ଟି କଲେ
୨୦୧୯ ମସିହା ନଭେମ୍ବର ମାସ ୧୧ ତାରିଖରେ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା, ୨୦୨୦ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଦ୍ୱିତୀୟ କିସ୍ତିରେ ୩୦ ହଜାର ଟଙ୍କା ଓ ଅର୍ଥାତ ୨୦୨୦ ମସିହା ନଭେମ୍ବର ମାସ ୯ ତାରିଖରେ ତୃତୀୟ କିସ୍ତିରେ ୪୦ ହଜାର ଟଙ୍କା ଅର୍ଥାତ୍ ମୋ’ଟ ୯୦ ହଜାର ଟଙ୍କା ଯୋଜନାବଦ୍ଧ ଭାବେ ଏହି ତିନି ଜଣ ବ୍ୟକ୍ତି ଉଠାଇନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଣ୍ଡପାଟ ।
ଏହା ବି ପଢ଼ନ୍ତୁ | ବାହାଘରର ଦେଢ଼ ମାସ ପରେ ଯୁବତୀ ଆତ୍ମହତ୍ୟା କଲେ; ‘‘ମୋତେ ଶାଶୁଘର ଲୋକେ ମାରିଦେବେ’’
‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମୋ’ ପାଇଁ ଘର ଆସିଛି ବୋଲି କହି ମୋ’ର ସବୁ କାଗଜପତ୍ରକୁ ଏହି ତିନି ଜଣ ନେଇଯାଇଥିଲେ । ତା’ ପରେ ସେମାନେ ଚଞ୍ଚକତା କରି ଏହି ଟଙ୍କା ଆତ୍ମସାତ କରିଛନ୍ତି । ମୋତେ ଏବେ ବି କୌଣସି ଯୋଜନାରେ ଘର ମିଳି ନାହିଁ । ମୁଁ ତ କୌଣସି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ନାହିଁ । ସରକାରଙ୍କ କୌଣସି ଟଙ୍କା ମୋତେ ମିଳି ନାହିଁ,’’ କହିଛନ୍ତି ଦଣ୍ଡପାଟ ।
ବର୍ତ୍ତମାନ ସୁଦ୍ଧା ଘର କରିବା ପାଇଁ କୌଣସି ୱାର୍କ୍ ଅର୍ଡ଼ର ତାଙ୍କୁ ମିଳି ନାହିଁ । ଆଶ୍ଚର୍ଯ୍ୟର କଥା ଯେ ପିଡ଼ି ବିଭାଗ ପକ୍ଷରୁ ୨୦୨୦ ମସିହା ଜାନୁଆରୀ ୯ ତାରିଖରେ ଗୃହ କାର୍ଯ୍ୟ ନିରୀକ୍ଷଣ କରିବାକୁ ଆସିଥିବା ସରକାରୀ ଅଧିକାରୀମାନଙ୍କୁ ସେ ଏହି ଠକେଇ ସମ୍ପର୍କରେ ଜଣାଇଥିଲେ, ହେଲେ ତା’ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା
ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ‘‘ଏହି ମାମଲା ଉପରେ ତଦନ୍ତ କରାଯାଇ କେତେକ ବ୍ୟକ୍ତିଙ୍କ ଠାରୁ ଟଙ୍କା ରିକଭର୍ କରାଯାଇଛି । ତଦନ୍ତ ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’
ବାଲେଶ୍ୱର ଜିଲ୍ଲାରେ ସରକାରୀ ଯୋଜନା ଅନେକ ସ୍ଥଳରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ନ ଥିବା ଦେଖାଯାଉଛି । ଏକ ଦମ୍ପତିଙ୍କ ଅନଶନ ପରେ ଏହି ପ୍ରକାର ମାମଲା ବିଷୟରେ ଜନ ସଚେତନତା ବଢ଼ୁଛି ।