ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଠିକ୍ ସମୟସୀମା ମଧ୍ୟରେ ଦୁର୍ଘଟଣାର ମିଳିତ ତଦନ୍ତ ଶେଷ କରିବା ଲକ୍ଷ୍ୟ

ମିଳିତ ତଦନ୍ତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ସହ ବର୍ତ୍ତମାନ ନୂଆ ଭାବେ ପ୍ରଚଳିତ ହୋଇଥିବା ଆଇ.ଆର.ଏ.ଡି (ସମନ୍ବିତ ସଡ଼କ ଦୁର୍ଘଟଣା ତଥ୍ୟ) ସଫ୍ଟୱେର୍‌ରେ ତାହାକୁ ଅପଲୋଡ୍ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

  • Share this:
News18 Odia Digital

ବାଲେଶ୍ବର: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଡ଼କ ଦୁର୍ଘଟଣାର ମିଳିତ ତଦନ୍ତ ସାରିବା ଉପରେ ଗୁରୁତ୍ବ ଦେବା ପାଇଁ ବାଲେଶ୍ଵର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମୀ ରଞ୍ଜିତ ଦଳ ବେହେରା, ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ଦୁଲାଳ ସେନ ଜଗଦେବଙ୍କ ସମେତ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ, ପୋଲିସ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ, ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ବୈଠକର ଆବାହକ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ।

ତେବେ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପୋଲିସ, ପରିବହନ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ଵାରା ମିଳିତ ତଦନ୍ତ ସମାପନ ନେଇ ପ୍ରାବଧାନ ରହିଥିଲେ ହିଁ କେତେକ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଚକ୍ରବର୍ତ୍ତୀ ଅସନ୍ତୋଷ ପ୍ରକାଶ କରି କହିଥିଲେ।

ଏହି ମିଳିତ ତଦନ୍ତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ସହ ବର୍ତ୍ତମାନ ନୂଆ ଭାବେ ପ୍ରଚଳିତ ହୋଇଥିବା ଆଇ.ଆର.ଏ.ଡି (ସମନ୍ବିତ ସଡ଼କ ଦୁର୍ଘଟଣା ତଥ୍ୟ) ସଫ୍ଟୱେର୍‌ରେ ତାହାକୁ ଅପଲୋଡ୍ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଠାରେ ସାଇନେଜ ଲଗାଇବା ପାଇଁ ଗତ ବୈଠକରେ ନିଷ୍ପତ୍ତି ହୋଇଥିଲେ ହିଁ ତାହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଜାତୀୟ ରାଜପଥକର୍ତ୍ତୃପକ୍ଷଙ୍କୁ ଏହା ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥରେ ରେମୁଣାଠାରେ ସର୍ଭିସ୍ ରୋଡ୍‌ର ମରାମତି କାମ ଚଳିତ ମେ ମାସ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍‌ର ବ୍ୟବହାର ଓ ନିଶା ସେବନ କରି ଗାଡ଼ି ଚାଳନା କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଗୃହରେ ସଦସ୍ୟମାନେ ମତପ୍ରକାଶ କରିଥିଲେ।

ଜିଲ୍ଲାର ସହରାଞ୍ଚଳଗୁଡିକରେ ସିସିଟିଭି ଲଗାଇବା ଓ ଅଚଳ ସିସିଟିଭି ମରାମତି କରିବା ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପାଖରେ ଅର୍ଥ ଓ ସମ୍ବଳ ଉପଲବ୍ଧ ଥିବା ବେଳେ ତାହାର ବ୍ୟବହାର କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପଗୁଡିକରେ ‘ନୋ ହେଲମେଟ, ନୋ ପେଟ୍ରୋଲ’ ସ୍ଲୋଗାନ ସମ୍ବଳିତ ବ୍ୟାନର ଲଗାଇବା ସହ ବିନା ହେଲମଟରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ନ ଦେବା ପାଇଁ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ସଚେତନ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

ଜାତୀୟ ରାଜପଥରେ ‘ନୋ ପାର୍କ’ ସାଇନେଜ ଓ ବୋର୍ଡ ଯେଭଳି ସଠିକ୍ ଭାବେ ଦୃଶ୍ୟମାନ ହେବ, ବସୱେ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା, ଟ୍ରକ୍‌ମାନଙ୍କ ପାଇଁ ପ୍ରସ୍ତାବିତ ଟର୍ମିନାଲରେ ପାର୍କିଂ ବ୍ୟବସ୍ଥା ଓ ଫୁଲାଡି ପୋଲ ମରାମତି କାମ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ତୁରନ୍ତ ଏ ସମ୍ପର୍କିତ କାମ ଆରମ୍ଭ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା।

ଅଧିକ ବେଗ, ଅଧିକ ବୋଝେଇ, ମାଲ୍ ପରିବହନଯାନରେ ଯାତ୍ରୀ ପରିବହନ, ଯାନ ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ନିଶା ସେବନ କରି ଗାଡ଼ି ଚାଳନା, ବିନା ହେଲମେଟରେ ଗାଡି ଚାଳନା ଆଦି ଅପରାଧ ଅଧାରରେ ଆର.ଟି.ଓ.ଙ୍କ ଦ୍ଵାରା ଜାନୁଆରୀ, ୨୦୨୨ରୁ ଏପ୍ରିଲ୨୦୨୨ ମଧ୍ୟରେ ୯୪୨ ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ୪୩୫ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍‌ କରାଯାଇଛି। ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ୨୦୨୨ ମସିହା ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସମୁଦାୟ ୯୨ଟି ଦୁର୍ଘଟଣା ଘଟିଛି ଓ ଏହି ସମୟ ମଧ୍ୟରେ ୫୬ ଜୀବନହାନୀ ହୋଇଛି।

ସେହିପରି ୩୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଗତ ବର୍ଷ ତୁଳନାରେ ସମାନ ସମୟସୀମା ମଧ୍ୟରେ ଚଳିତ ବର୍ଷ ୧୬.୩୬ ପ୍ରତିଶତ କମ ଦୁର୍ଘଟଣା ଓ ୧୧.୧୧ ପ୍ରତିଶତ କମ ଜୀବନହାନୀ ହୋଇଛି। ଜୀବନହାନୀ ହ୍ରାସ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହିତ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରହିଥିବା ଗୁଡ୍ ସାମାରିଟାନ୍ ବ୍ୟବସ୍ଥାକୁ ଅଧିକା ସୁଦୃଢ଼ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ତରଫରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ସହାୟତା କରିଥିବା ୩ ଜଣ ଗୁଡ୍ ସାମାରିଟାନ ( ଭଲ ସାହାଯ୍ୟକାରୀ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ୩ ଜଣ ହେଲେ ତପନ କୁମାର କମିଳା, ଭବେନ୍ଦ୍ର ବାରିକ ଓ ଭବାନୀ ଶଙ୍କର ବାରିକ୍। ସେମାନଙ୍କୁ ମାନପତ୍ର ଓ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ଭବେନ୍ଦ୍ର ବାରିକ ଓ ଭବାନୀ ଶଙ୍କର ବାରିକ ଦୁର୍ଘଟଣା ବେଳର ସ୍ଥିତି ଓ ତାଙ୍କ ଦ୍ବାରା କରାଯାଇଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳ ବେହେରା ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Published by:Lipina Das
First published: