ବାଲେଶ୍ୱରରେ ମମତାଙ୍କ ପରାଜୟର କାରଣ? ‘‘BJD ଓ BJPର ଟଙ୍କା ବଣ୍ଟା ଓ Congressର ଦୁର୍ବଳ ସଙ୍ଗଠନ’’

ମମତାଙ୍କ ଜନସଭାରେ ଜନଗହଳି ହେଉଥିବା ସତ୍ତ୍ୱେ ଓ ତାଙ୍କ ପାଇଁ ଦଳର ବଡ଼ ନେତାମାନେ ପ୍ରଚାର କରିଥିବା ସତ୍ତ୍ୱେ ବାଲେଶ୍ବରରେ କଂଗ୍ରେସ ୫,୦୦୦ରୁ କମ୍ ଭୋଟ୍ ପାଇ ତୃତୀୟରେ ରହିଲା । ଏମିତି ଶୋଚନୀୟ ପରାଜୟକୁ ‘‘ଅବିଶ୍ୱସନୀୟ’’ ବୋଲି କହିଛନ୍ତି ମମତା ।

ବାଲେଶ୍ୱରର କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ

ବାଲେଶ୍ୱରର କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ

  • Share this:
ଆନନ୍ଦ ଏସ୍‌.ଟି. ଦାସ୍‌ | News18 Odia Digital

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଶାସକ ଦଳ ବିଜେଡିର ପ୍ରାର୍ଥୀ ସ୍ୱରୂପ ଦାସ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପଛରେ ପକାଇ ବାଜିମାତ୍‌ କରିଥିବା ବେଳେ ତୃତୀୟରେ ଓ ଖୁବ୍‌ ପଛରେ ରହିଯାଇଛନ୍ତି କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ । ଏମିତି ପରାଜୟକୁ ମମତା ‘‘ଅବିଶ୍ୱସନୀୟ’’ ବୋଲି କହିଛନ୍ତି ଓ ଏହା ପଛରେ ମୁଖ୍ୟତଃ ‘‘ବିଜେପି ଓ ବିଜେଡିର ଭୋଟରଙ୍କୁ ଟଙ୍କା ବଣ୍ଟା ଓ କଂଗ୍ରେସର ଅତି ଦୁର୍ବଳ ସଙ୍ଗଠନ’’ କାରଣ ବୋଲି ସେ କହିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୩,୩୫୧ ଭୋଟରେ ବିଜୟୀ ହୋଇଛନ୍ତି । ସ୍ବରୂପ ଦାସ ମୋଟ  ୮୪,୦୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ପାଇଛନ୍ତି  ୭୦,୭୪୬ ଖଣ୍ଡ ଭୋଟ୍ । ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁଙ୍କୁ ମିଳିଛି ମାତ୍ର ୪,୯୮୩ ଭୋଟ୍ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ମମତାଙ୍କ ଜନସଭାରେ ଜନଗହଳି ହେଉଥିବା ସତ୍ତ୍ୱେ ଓ ତାଙ୍କ ପାଇଁ ଦଳର ଅନେକ ବଡ଼ ନେତା ପ୍ରଚାର କରିଥିବା ସତ୍ତ୍ୱେ ବାଲେଶ୍ବରରେ କଂଗ୍ରେସ ହୋଇଛି ଚିତ୍‌-ପଟାଙ୍ଗ୍‌ । ଏହି ଆସନରେ କଂଗ୍ରେସ ପ୍ରାର୍ଥିନୀ ୫,୦୦୦ ଭୋଟ୍ ବି ହାସଲ କରି ପାରି ନ ଥିବା ବେଳେ ତିର୍ତ୍ତୋଲରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୨୬,୦୦୦ରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

ମମତାଙ୍କ ସହ ଏକ ପ୍ରଚାର ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି


ଏହି ଦୁଇ ଆସନରେ ପରାଜୟର ଆତ୍ମସମୀକ୍ଷା କରାଯିବ ବୋଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ନବୀକରଣ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ସେ ଏକ ଟ୍ୱିଟ୍‌ କରି କହିଛନ୍ତି । ହେଲେ ଏମିତି ତୀବ୍ର ପରାଜୟକୁ ବିଶ୍ୱାସ କରିପାରୁନାହାନ୍ତି କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ।

‘‘ପରାଜୟ ହେବ ବୋଲି ମୁଁ ଓ ମୋ’ ଦଳ ପୂର୍ବରୁ ଆଭାସ ପାଇସାରିଥିଲୁ, ହେଲେ ଏମିତି ତୀବ୍ର ପରାଜୟ ହେବ ବୋଲି କେହି କେବେ ଭାବି ନ ଥିଲୁ । ୨୦୧୯ ବିଧାନସଭା ନିର୍ବାଚନ ଠାରୁ ଏ ଥର ଉପନିର୍ବାଚନରେ କଂଗ୍ରେସ ଅନେକ ଗୁଣ ବଳିଷ୍ଠ ପ୍ରଚାର କରିଥିବା ବେଳେ ସେତେବେଳର ପ୍ରାର୍ଥୀଙ୍କ ଠାରୁ ମୋତେ କମ୍‌ ଭୋଟ୍‌ ମିଳିବା ପଛରେ ଅଛି ବିଜେପି ଓ ବିଜେଡିର ଭୋଟରଙ୍କୁ ଟଙ୍କା ବଣ୍ଟା । ଆଉ ବାଲେଶ୍ୱରରେ କଂଗ୍ରେସର ଅତି ଦୁର୍ବଳ ସଙ୍ଗଠନ ଅନ୍ୟ ଏକ କାରଣ,’’ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ସହ ଏକ ସାକ୍ଷାତକାରରେ କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକଙ୍କୁ ମୋଟ ୧୯,୭୦୪ ଭୋଟ୍‌ମିଳିଥିଲା ଓ ସେ ତୃତୀୟ ସ୍ଥାନରେ ଥିଲେ । ସେତେବେଳର ବିଜେପି ପ୍ରାର୍ଥୀ ତଥା ଏବେକାର ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ବାପା ମଦନ ମୋହନ ଦତ୍ତ ମୋ’ଟ ୭୪,୮୧୫ ଭୋଟ୍‌ ପାଇ ଜିତିଥିଲେ । ତାଙ୍କ ଅକାଳ ବିୟୋଗ ଯୋଗୁଁ ଏହି ଉପନିର୍ବାଚନ ହେଉଛି । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ମୋଟ ୬୧,୪୦୯ ଭୋଟ୍‌ ପାଇଥିଲେ । ବିଜେପିର ମଦନ ମୋହନ ୧୩,୪୦୬ ଭୋଟରେ ବିଜୟୀ ହୋଇଥିଲେ ।

ଏକ ଜନସଭାରେ ପହଞ୍ଚୁଛନ୍ତି ମମତା କୁଣ୍ଡୁ ।


‘‘ଉଭୟ ବିଜେପି ଓ ବିଜେଡି ଭୋଟରମାନଙ୍କୁ ଟଙ୍କା ବାଣ୍ଟିବାରେ ଏକ ପ୍ରତିଦ୍ୱନ୍ଦିତା କରିଥିଲେ । ବିଜେପି ଠାରୁ ଟଙ୍କା ବଣ୍ଟାରେ ବିଜେଡି ବଳିଯାଇଥିଲା । ତା’ଛଡ଼ା ସରକାରୀ ଦଳର କେତେକ ତୁଙ୍ଗ ନେତା ଆସି ବାଲେଶ୍ୱରରେ ସପ୍ତାହ ସପ୍ତାହ କ୍ୟାମ୍ପ୍‌ କରି ରହିଥିଲେ ଓ କଂଗ୍ରେସର ଜନମତ ଥିବା ଅଞ୍ଚଳରୁ ଲୋକଙ୍କୁ ଡାକି ସେମାନଙ୍କୁ ଟଙ୍କା ଦେବା ସହ ସେମାନଙ୍କ ଅନୁନ୍ନତ ଅଞ୍ଚଳରେ ରାସ୍ତା ତିଆରି ଆରମ୍ଭ କରାଇଦେଇଥିଲେ । ଏହାର ଅନେକ ଉଦାହରଣ ମୋ’ ପାଖରେ ଅଛି । ଏହି ସବୁ କାରଣ ପାଇଁ କଂଗ୍ରେସର ଭୋଟ୍‌ ସେହି ଦୁଇ ଦଳକୁ ଚାଲିଯାଇଥିଲା,’’ କହିଛନ୍ତି ମମତା କୁଣ୍ଡୁ ।

ଏହା ବି ପଢ଼ନ୍ତୁ ଏହି ନେତାଙ୍କୁ ଗୁରୁ ମାନୁଥିଲେ ନରେନ୍ଦ୍ର ମୋଦୀ, ନିର୍ବାଚନ ଜିତିବା ପରେ ତାଙ୍କ ଆଶିର୍ବାଦ ନେଉଥିଲେ, ମିଠା ଖୁଆଉଥିଲେ

ସେ ଆହୁରି କହିଛନ୍ତି ଯେ ମିର୍ଜାପୁର ଭଳି ମୁସଲିମ୍‌ ବହୁଳ ଅଞ୍ଚଳରେ ଗତ ଥର କଂଗ୍ରେସକୁ ୯୦୦ ଭୋଟ୍‌ ମିଳିଥିବା ବେଳେ ଏ ଥର ମାତ୍ର ୯ରୁ ୧୦ଟି ଭୋଟ୍‌ ମିଳିଛି । ‘‘ମୋ’ ପାଖରେ ପହଞ୍ଚିଥିବା ସୂଚନା ଅନୁସାରେ ସେଥିରୁ ବିଜେପିକୁ ୨୫୦ ଓ ବିଜେଡିକୁ ୨୫୬ଟି ଭୋଟ୍‌ ମିଳିଛି । କଂଗ୍ରେସକୁ ମାତ୍ର ୯ରୁ ୧୦ଟି ଭୋଟ୍‌ ସେଠୁ ମିଳିଛି । ଏହାର କାରଣ ସହଜରେ ଅନୁମେୟ,’’ ସେ କହିଛନ୍ତି ।



ମମତାଙ୍କ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, କେନ୍ଦ୍ର କଂଗ୍ରେସର ମୁଖପାତ୍ର ରାଗିଣୀ ନାୟକ ଓ ପୂର୍ବତନ ରାଷ୍ଚ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଦି ବଡ଼ ନେତା ପ୍ରଚାର କରିବାକୁ ଆସିଥିଲେ । ଦୁଇ ସପ୍ତାହ ଧରି ମମତାଙ୍କ ସହ ବାଲେଶ୍ୱରରେ ପ୍ରଚାର କରିଥିବା ତାରାପ୍ରସାଦ ବାହିନୀପତି ଉପନିର୍ବାଚନ ସରିବାର ଦୁଇ ଦିନ ପରେ ସ୍ପଷ୍ଟ କହିଦେଇଥିଲେ ଯେ କଂଗ୍ରେସ ବାଲେଶ୍ୱରରେ ଏ ଥର ଜିତିବ ନାହିଁ ଓ ଆସନ୍ତା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିବ ।
Published by:Anand Shankar Thankur Das
First published: