News18 Odia Digital
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ ପକ୍ଷରୁ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ଆୟୋଜିତ ହେଇଛି ‘ଶରତ ସଂଧ୍ୟା’ । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଥିଲା କବିତା, କଥା, ସଂଗୀତ, ନୃତ୍ୟ ଓ ଚିତ୍ରର ଏକ ବିରଳ ସମନ୍ଵୟ। ଏ ଅବସରରେ ପେନ୍ ଇନ୍ ବୁକ୍ ଦ୍ବାରା ପ୍ରକାଶିତ କବି ଶ୍ରୀ ଦାଶଙ୍କ ନବମ କବିତା ସଂକଳନ ଓ ସଂଗୀତ ଆଲବମ ‘ଅଭିସାର’ ସହ ସ୍ମୃତିକଥା ସଂକଳନ ‘କାହାଣୀ ସରିନାହିଁ’ ଉନ୍ମୋଚିତ ହୋଇଯାଇଛି । ଏ ଅବସରରେ ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ‘ଶରତ ସମ୍ମାନ’ ପ୍ରଦାନ କରାଯାଇଛି।
ଶରତ କୁମାର ଦାଶଙ୍କ ସଦ୍ୟତମ ସଂକଳନ ‘ଅଭିସାର’ର ୧୦ଟି ନିର୍ବାଚିତ କବିତାକୁ ସଂଗୀତ ରୂପ ଦେଇ ‘ଅଭିସାର’ ଆଲବମ୍ ପ୍ରସ୍ତୁତ କରିଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ରାଜ୍ୟର ଆଗଧାଡ଼ିର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଷ୍ଣୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ, ଅଳକା ଓ ଶଶାଙ୍କ ଶେଖର ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଉତ୍ସବରେ ଉପସ୍ଥିତ ରହି ସେମାନେ ଉକ୍ତ ସଂଗୀତ ପରିବେଷଣ କରିଥିଲେ।

ଉନ୍ମୋଚନ ସମାରୋହ ପୂର୍ବରୁ କବି ଶ୍ରୀ ଦାଶଙ୍କ ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଗୁରୁ ଗୌରୀଶଙ୍କର ଦାଶ ଓ ସାଥୀ କଳାକାର। ସେହିପରି ଶ୍ରୀ ଦାସଙ୍କ କାହାଣୀକୁ ମଞ୍ଚରେ ରୂପାୟନ କରିଥିଲେ ଷ୍ଟୋରୀଟେଲର୍ ପ୍ରାଚୀତାରା ମିଶ୍ର। ସେହିପରି ରାଜ୍ୟର କିଛି ଜଣାଶୁଣା ମହିଳା ବ୍ୟକ୍ତିତ୍ବଙ୍କୁ ନେଇ ମଞ୍ଚରେ ପାରମ୍ପରିକ ଓଡ଼ିଶୀ ଶାଢ଼ୀରେ ଡ୍ୟାମ୍ ଶୋ ଉପସ୍ଥାପନା କରିଥିଲେ ସମାଜସେବୀ ସବିତା ପଟ୍ଟନାୟକ। ପ୍ରେମ ଓ ପ୍ରାର୍ଥନାର ଏ ଉତ୍ସବକୁ ନେଇ ମଞ୍ଚରେ ଲିଭ୍ ପେଣ୍ଟି ଦେଖାଇଥିଲେ ଶିଳ୍ପୀ ଚିନ୍ତାମଣି ବିଶ୍ବାଳ।
ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୮ ଜଣ ବ୍ୟକ୍ତିତ୍ଵଙ୍କ ସମେତ ‘ଅଭିସାର’ର ପ୍ରଚ୍ଛଦ ଚିତ୍ର ଆଙ୍କିଥିବା ସମାଜସେବୀ ଶୁଚିସ୍ମିତା ପୃଷ୍ଟିଙ୍କୁ ମଞ୍ଚରେ ସମ୍ବଧିତ କରାଯାଇଥିଲା। କବି ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନ କରିଥିଲେ।

ଏ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ଵର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର, ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର, ଚିନ୍ତକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର ଓ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ନିଜ ସୃଜନ ଯାତ୍ରା ବାବଦରେ ସୂଚନା ଦେଇ ଲେଖକୀୟ ବକ୍ତବ୍ୟ ରଖିଥିଲେ କବି ଶ୍ରୀ ଦାଶ। କଥାକାର ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।