News18 Odia Digital
କେନ୍ଦୁଝର: କେନ୍ଦୁଝରରେ ଆୟୁସ୍ ଡାକ୍ତର ପ୍ରସୂତିଙ୍କ ମୁତ୍ରଦ୍ଵାର ସିଲେଇ କରିଦେବା ମାମଲାରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ଵାରସ୍ଥ ହେଲେ ମାନବାଧିକାର କର୍ମୀ।
ଏହି ମାମଲାରେ ସମ୍ପୃକ୍ତ ଆୟୁସ୍ ଡାକ୍ତରଙ୍କ ଦରମାରୁ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା, ଆୟୁସ୍ ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପକ୍ଷ ରଖିବା, ସମ୍ପୃକ୍ତ ଆୟୁସ୍ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦୁଝର ଏସପିଙ୍କୁ ନିର୍ଦ୍ଦେଶ ଦେବା ଆଦି ସମ୍ପର୍କରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ସଦର ବ୍ଳକ ସେଣ୍ଡକାପ୍ ଗାଁର ପ୍ରସୂତି ଗୁରୁବାରୀ ମହାନ୍ତଙ୍କର ମୂତ୍ରଦ୍ଵାର ପଦ୍ମପୁର ଡାକ୍ତରଖାନାର ଆୟୁସ୍ ଡାକ୍ତର ଅଶୋକ ସାହୁ ସମ୍ପୁର୍ଣ୍ଣ ସିଲେଇ କରି ଦେବାରୁ ସେ ୨ ମାସ ଯନ୍ତ୍ରଣା ଭୋଗ କରିବା ପରେ, ଗତ ୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ମୁତ୍ରଦ୍ଵାର ପୁନର୍ବାର ଅସ୍ତ୍ରୋପଚାର କରାଯାଇଥିଲା।
ଆୟୁସ୍ ଡାକ୍ତରଙ୍କର ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ନେଇ ଜିଲ୍ଲାପାଳ CDMOଙ୍କୁ ରିପୋର୍ଟ ତଲବ କରିଥିବା ବେଳେ, ଏହାକୁ ନେଇ ଏକ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାୟର କରାଯାଇଛି।
ଅଭିଯୋଗ ଅନୁଯାୟୀ, ଅଗଷ୍ଟ ମାସ ୧୨ ତାରିଖରେ ସେଣ୍ଡକାପ୍ ଗାଁର ଗୁରୁବାରୀ ମହାନ୍ତ ଗର୍ଭଯନ୍ତ୍ରଣା ଯୋଗୁଁ ପଦ୍ମପୁର ଡାକ୍ତରଖାନା ଯାଇଥିଲେ। ପରେ ପୁନର୍ବାର ଡାକ୍ତରଖାନା ଯିବା ରାସ୍ତାରେ ତାଙ୍କର ସନ୍ତାନ ଜାତ ହୋଇଥିଲା। ପଦ୍ମପୁର ଡାକ୍ତରଖାନାରେ ଆୟୁସ୍ ଡାକ୍ତର ଅଶୋକ ସାହୁ ଗୁରୁବାରୀଙ୍କର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର କରି ଡାକ୍ତର ଗୁରୁବାରୀଙ୍କ ମୂତ୍ରଦ୍ୱାରକୁ ସିଲେଇ କରି ଦେଇଥିଲେ। ଏହାପରେ ଗୁରୁବାରୀଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଯନ୍ତ୍ରଣାରେ ୨ ମାସ ଛଟପଟ ହେବା ପରେ ଡାକ୍ତର ଅସ୍ତ୍ରୋପଚାର କରିଥିବା ସ୍ଥାନ ସମ୍ପୁର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବାରୁ ଗୁରୁବାରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୁନର୍ବାର ଗୁରୁବାର ସିଲେଇ ହୋଇଥିବା ମୁତ୍ରଦ୍ୱାରକୁ ଅପରେସନ କରିଛନ୍ତି ମୁଖ୍ୟ ଚିକିତ୍ସାଳୟରର ଡାକ୍ତର। ତେବେ ଜଣେ ଆୟୁସ୍ ଡାକ୍ତର କିଭଳି ଭାବେ ଜଣେ ଗର୍ଭବତୀଙ୍କୁ ଅସ୍ତ୍ରୋପଚାର କଲେ ଓ ଦୀର୍ଘ ଦିନ ଧରି ସେ ସି.ଡି.ଏମ୍.ଓ.ଙ୍କ ଜାଣତରେ ଅପରେସନ କରୁଥିବା ଦାବି ମଧ୍ୟ କରୁଛନ୍ତି। ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଡ଼ିଏମଓଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ କ୍ୟାମେରା ସମ୍ମୁଖରେ ସେ ଏ ବିଷୟରେ କୌଣସି ମତାମତ ରଖିନଥିଲେ।
ସୂଚନା ଯୋଗ୍ୟ ଯେ ସିଡ଼ିଏମଓ କିଶୋର ପୃଷ୍ଟି ଶିଶୁ ବିଭାଗର ମୁଖ୍ୟ ଥିବା ସମୟରେ ଗତ ସେପ୍ଟେମ୍ବର ୧୮ ତାରିଖରେ ୨୪ ଘଣ୍ଟା ମଧ୍ୟରେ ୪ ଜଣ ଶିଶୁମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।