ଶ୍ରୀମନ୍ଦିରର ବାସହୀନ ସେବାୟତଙ୍କ ପାଇଁ ଆବାସ ଯୋଜନା; ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା

ଶ୍ରୀମନ୍ଦିରର ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆରମ୍ଭ ହେଲା ଜମି ଚିହ୍ନଟ ପ୍ରକ୍ରିୟା। ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଜାଗା ଚିହ୍ନଟ କରାଯାଇ ପାଚେରୀ ଘେରାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

ଶ୍ରୀମନ୍ଦିରର ବାସହୀନ ସେବାୟତଙ୍କ ପାଇଁ ଆବାସ ଯୋଜନା

ଶ୍ରୀମନ୍ଦିରର ବାସହୀନ ସେବାୟତଙ୍କ ପାଇଁ ଆବାସ ଯୋଜନା

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପଦକ୍ଷେପ। ସେବାୟତଙ୍କ ସର୍ଭେ ହୋଇଥିବା ବେଳେ ସେହି ଆଧାରରେ ଆବାସ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

"ଶ୍ରୀଜଗନ୍ନାଥ ମନ୍ଦିର ସେବାୟତମାନଙ୍କ ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ସରିବା ପରେ ସେବାୟତ ବାସଗୃହ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୦୧୪-୧୫ରେ ସେବାୟତ ଜଣଗଣନା କରାଯାଇଥିଲା। ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ ପାଇଁ କେନ୍ଦ୍ର ତରଫରୁ ସେବାୟତ ମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିକୁ ନେଇ ପୁନଃ ଗଣନା ହୋଇଥିଲା। ଏହି ସେବାୟତ ବାସଗୃହ ଯୋଜନାରେ ଗରିବ ଓ ଆର୍ଥିକ ସ୍ୱଚ୍ଛଳ ନଥିବା ସେବାୟତ ଉପକୃତ ହେବେ। ପ୍ରଥମେ ୪୦୦ ସେବାୟତଙ୍କ ପାଇଁ ଚିହ୍ନଟ ହୋଇଥିବା ଜମିରେ G+3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ଚକୁର ଆର୍ଥିକ ବର୍ଷ ବଜେଟରେ ହରଚଣ୍ଡୀ ଓ ମାଟିମଣ୍ଡପ ସାହି ମୌଜାରେ ସେବାୟତ ବାସଗୃହ ଯୋଜନା ପାଇଁ ମୋହର ବାଜିଥିଲା। ଅନେକ ସେବାୟତଙ୍କ ଆର୍ଥିକ ଅବସ୍ଥା ଦୟନୀୟ। ଆର୍ଥିକ ଅଭାବ ଅନାଟନରେ କାଳାତିପାତ କରୁଥିବା କିଛି ସେବାୟତ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତେଣୁ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଯଥାଶୀଘ୍ର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗର ବରିଷ୍ଠ ସେବାୟତ ମାଧବ ମହାପାତ୍ର।

୨୦୧୩ରେ ନବକୃଷ୍ଣ ସେଣ୍ଟର ଫର ଡେଭେଲେପମେଣ୍ଟ ଷ୍ଟଡିଜ ପକ୍ଷରୁ ସେବାୟତଙ୍କ ସମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ପ୍ରାୟ ୨୨୩୬ ସେବାୟତ ପରିବାର ଥିବା ବେଳେ ୯୫୫୮ଜଣ ସେବାୟତ ରହିଥିବା ଜଣାପଡ଼ିଛି। ସେବାୟତଙ୍କ ସଂଖ୍ୟା, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଅନ୍ୟ ବୃତ୍ତି ଓ ଆର୍ଥିକ ସ୍ଥିତି ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରାଯିବ। ସେବାୟତଙ୍କ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ୨୫୦ଟି ହାଉସିଂ ନିର୍ମାଣ ହେବ। ଅନେକ ସେବାୟତ ସାହିରେ ଗୋଟିଏ ଗୋଟିଏ ଘରେ ୧୦-୧୫ ପରିବାର ବହୁ କଷ୍ଟରେ ରହୁଥିବା ନଜର ରହିଛି। ଅନେକ ସେବାୟତ ପରିବାର ମଧ୍ୟ ବାସହୀନ। ଦୀର୍ଘ ବର୍ଷ ହେବ ବାସହୀନ ସେବାୟତ ପରିବାରକୁ ଘର ଯୋଗାଇବା ଚର୍ଚ୍ଚା ହୋଇଆସୁଛି। ଯେଉଁ ଗରିବ ସେବାୟତମାନେ ରହିଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଓ ଯେଉଁ ମାନଙ୍କର ଘର ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ଗୃହ କେଉଁଭଳି ଭାବେ ମିଳିବ ସେ ସେଇ ବ୍ୟବସ୍ଥା କରାଯିବା ନେଇ ଅନେକ ବୈଠକରେ ସେବାୟତ ନିଯୋଗମାନଙ୍କ ପକ୍ଷରୁ ଅନୁରୋଧ କରାଯାଇ ଆସୁଥିଲା ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।

ସେହିପରି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ଥିବା ମହିପ୍ରକାଶ ମଠର ୩ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ମାଟିମଣ୍ଡପ ସାହି ମୌଜାରେ ଥିବା ଏମାର ମଠର ଜମି ଅଧିଗ୍ରହଣ ହେବ।ଏହି ଦୁଇଟି ମୌଜାର ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଆସିଛି। ସେହି ସ୍ଥାନ ସଫା କରାଯାଇ ପାଚେରୀ ହେବା ପରେ ଅବଢ଼ା ଯୋଜନାରେ ୬୦୦ ବର୍ଗଫୁଟ ବିଶିଷ୍ଟ G+3 ଆପାର୍ଟମେଣ୍ଟ ନିର୍ମାଣ କରାଯିବ।

ସେବାୟତ ବାସଗୃହ ଯୋଜନା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ବଜେଟ ମଧ୍ୟ ପାରିତ ହୋଇସାରିଛି। ଖୁବ୍ ଶୀଘ୍ର ଆପାର୍ଟମେଣ୍ଟ ନିର୍ମାଣ କରାଯାଇ ଗରିବ, ଅସହାୟ ଓ ଆର୍ଥିକ ସ୍ୱଚ୍ଛଳ ଠିକ୍ ନଥିବା ସେବାୟତଙ୍କୁ ବାସଗୃହ ଯୋଗାଇ ଦିଆଯିବ।
Published by:Lipina Das
First published: