ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ହୋଇଛି ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ

''ଅଙ୍ଗୁର ଚାଷ କେବଳ ଥଣ୍ଡା ଅଞ୍ଚଳ ଯଥା କାଶ୍ମୀର ଭଳି ଯାଗାର ଦେଖିବାକୁ ମିଳୁଥିବା ବେଳେ କୋରାପୁଟରେ ମଧ୍ୟ ଏହି ଚାଷ ହୋଇଛି । ହେଲେ ସମୁଦ୍ର କୁଳିଆ ଅଞ୍ଚଳରେ ପୁଣି ଏତେ ଗରମ ପରିବେଶରେ ଅଙ୍ଗୁର ଫଳିବା ଆଶ୍ଚର୍ଯ୍ୟର କଥା ।''

ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ହୋଇଛି ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ
ପୁରୀରେ ହୋଇଛି ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ
  • News18 Odia
  • Last Updated: September 15, 2020, 10:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଯେ କୌଣସି ପରିବେଶ ହେଉ ଯଦି ଗଛର ଉତ୍ତମ ଯତ୍ନ ନିଆ ଯାଏ ତେବେ ସବୁ ଫସଲ ସମ୍ଭବ । ଯାହାର ନିଚ୍ଛକ ଉଦାହରଣ ହେଉଛି ଥଣ୍ଡା ଅଞ୍ଚଳରେ ହେଉଥିବା ଅଙ୍ଗୁର ଚାଷ ଏବେ ସମୁଦ୍ରକୁଳିଆ ପୁଣି ଗରମ ପରିବେଶରେ ହୋଇଛି । ପୁଣି ଗୋଟେଏ କି ଦି ପେନ୍ଥା ନୁହେଁ ଶହ ଶହ ପେନ୍ଥା ଅଙ୍ଗୁର ଫଳିଛି । ପୁରୀ ପେଣ୍ଠକଟା ଅଞ୍ଚଳରେ ଭୁଦାନ ନଗର ବେହେରା ସାହିର ମତ୍ସ୍ୟଜିବୀ ଘନଶ୍ୟାମ ବେହେରାଙ୍କ ଘରେ ହୋଇଛି ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ । ଅଙ୍ଗୁରକୁ ନ ବିକି ସାହି ପଡିଶା ପିଲାଙ୍କୁ ବାଣ୍ଟୁଛନ୍ତି । ଥଣ୍ଡା ଅଞ୍ଚଳରେ ଏହି ଚାଷ ହେବାର କୁହା ଯାଉଥିବା ବେଳେ ସମୁଦ୍ରକୁଳିଆ ଅଞ୍ଚଳରେ ଓ ପୁଣି ଗରମ ବେଳେ ଏଭଳି ଅଙ୍ଗୁର ଫଳିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଅଙ୍ଗୁର ଚାଷ କରିଥିବା ପୁରୀ ପେଣ୍ଠକଟା ଭୁଦାନ ନଗର ବେହେରା ସାହିର ୫୦ ବର୍ଷୀୟ ମତ୍ସ୍ୟଜିବୀ ଘନଶ୍ୟାମ ବେହେରାଙ୍କ କହିବା ଅନୁଯାୟୀ "ଫନି ବାତ୍ୟା ପରେ ଲାଗିଥିଲା ଏହି ଅଷ୍ଟ୍ରେଲିଆନ୍ ଅଙ୍ଗୁର ଗଛ । ଛୋଟ ଗଛଟି ଯତ୍ନ ପାଇ ମାଡିଥିଲା । ବାଉଁଶ ଓ ବଲ୍ହାରେ ଭାଡି ତିଆରି କରି ଗଛଟିକୁ ଲଟାଇଥିଲୁ । ଆମେ ମତ୍ସ୍ୟଜିବୀ ହୋଇଥିବାରୁ ଘରେ ଥିବା ପୁରୁଣା ଜାଲକୁ ତା ଚାରିପଟେ ଘେରାଇଥିଲୁ । କାରଣ ମାଙ୍କଡଙ୍କ ଉତ୍ପାତ ଏଠି ବହୁତ । ପ୍ରାୟ ୨ ଶହ ବର୍ଗଫୁଟରେ କଲରା ଲତା ଭଳି ମାଡି ଅଙ୍ଗୁର ଗଛ ମାଡି ଚାଲିଲା । ଆଉ ଏବେ ଶହ ଶହ ପେନ୍ଥା ଅଙ୍ଗୁର ଫଳିଛି । ଗୋଟିଏ ପେନ୍ଥାରେ ଅନ୍ୟୁନ 40ଟି ଅଙ୍ଗୁର ଫଳିଛି । ସମୁଦ୍ରକୁଳ ବାଲି ଅଞ୍ଚଳ । ତେଣୁ ସେଥିରେ ଗୋବର ଖତ, ସାର ଦେଇ ତା ଲଟାକୁ ଜାଲ ଓ କାଠି ଦେଇ ବଡ଼ କରିଥିଲୁ । ତା ପରେ ଏବେ ଅଷ୍ଟ୍ରେଲିଆନ ଅଙ୍ଗୁରରେ ୧୦ରୁ ୧୫ ଟି ପେନ୍ଥା ଅଙ୍ଗୁର ପାଚି ଗଲାଣୀ ।''

ତେବେ ଅଙ୍ଗୁର ଚାଷ କେବଳ ଥଣ୍ଡା ଅଞ୍ଚଳରେ ଯଥା କାଶ୍ମୀର ଭଳି ଯାଗାର ଦେଖିବାକୁ ମିଳୁଥିବା ବେଳେ କୋରାପୁଟରେ ମଧ୍ୟ ଏହି ଚାଷ ହୋଇଛି । ହେଲେ ସମୁଦ୍ରକୁଳିଆ ଅଞ୍ଚଳରେ ପୁଣି ଏତେ ଗରମ ପରିବେଶରେ ଅଙ୍ଗୁର ଫଳିବା ଆଶ୍ଚର୍ଯ୍ୟର କଥା । ପ୍ରଥମେ ଅଙ୍ଗୁର ନେଳି ହୋଇ ତା ପରେ ଧୀରେ ଧୀରେ କଳା ପଡି ପାଚିବା ପରେ ତାହାର ସ୍ୱାଦ ବି ବେଶ ମିଠା । ତେଣୁ ଏହାକୁ କେବଳ ପରୀକ୍ଷା ମୂଳକ ଭାବେ ଲଗାଇ ସଫଳ ହୋଇଛନ୍ତି ମତ୍ସ୍ୟଜିବୀ ଘନଶ୍ୟାମ ।

"ତେଲୁଗୁ ସମ୍ପ୍ରଦାୟର ଜଣେ ବ୍ୟକ୍ତି ପେଣ୍ଟକଟାରେ ଭଡା ରହୁଥିବା ବେଳେ ସେ ଘର ଛାଡି ପଳେଇଲେ । ଆଉ ଗଲାବେଳେ ଆମକୁ ଏହି ଅଷ୍ଟ୍ରେଲିଆନ୍ ଅଙ୍ଗୁର ଗଛଟିକୁ ଦେଇଥିଲେ । ବାପା ଘନଶ୍ୟାମଙ୍କ ହାତରେ ଗଛଗୁଡିକ ଭଲ ବଢେ ଓ ବଞ୍ଚେ । ତେଣୁ ବାପା ଆମ ବାଡିରେ ଏହି ଗଛଟିକୁ ପୋତିଥିଲେ । କଳାରଙ୍ଗର ଏହି ଅଙ୍ଗୁରକୁ ଅଷ୍ଟ୍ରେଲିଆନ ଅଙ୍ଗୁର କୁହାଯାଏ । ଗଛ ନିକଟରେ ଅନେକ ସାର ଦିଆଯାଇଥିବା ସହ ଘରୁ ବାହାରୁଥିବା ପନିପରିବା ଚୋପା ଆଦି ଦେଇଥିଲୁ । ହେଲେ ଥଣ୍ଡା ପାଣିପାଗର ଗଛଟି ବେଶ ହୃଷ୍ଟପୃଷ୍ଟ ହୋଇ ବଢିବାକୁ ଲାଗିଲା । ବାଲି ଅଞ୍ଚଳ ହୋଇଥିବା ବେଳେ ଉପଯୁକ୍ତ ଯତ୍ନ ନିଆଯିବାରୁ ଗଛଟି ବେଶ ଭଲ ଫଳ ଦେଇଛି । ପୁଣି ପ୍ରଥମେ ନେଳି ତା ପରେ କଳାରଙ୍ଗର ହୋଇ ବେଶ ମିଠା ବି ଲାଗୁଛି,'' କହିଛନ୍ତି ଘନଶ୍ୟାମଙ୍କ ପୁତ୍ର ୩୨ ବର୍ଷୀୟ ନିରଞ୍ଜନ ବେହେରା ।

"ଅଙ୍ଗୁର ଚାଷ କିଭଳି ହୋଇଛି ଓ ପେନ୍ଥା ପେନ୍ଥା ଅଙ୍ଗୁର ଝୁଲିଥିବା ଦେଖିବାକୁ ଘନଶ୍ୟାମଙ୍କ ଘରେ ବେଶ ଭିଡ଼ । ସାହି ପଡିଶା ପିଲାଙ୍କୁ ବି ଅଙ୍ଗୁର ଗଛରୁ ତୋଳି ଖାଇବାକୁ ମଧ୍ୟ ଦେଉଛନ୍ତି । ତେବେ ଅଙ୍ଗୁର ଚାଷ ଦେଖିବା ପାଇଁ ଲୋକେ ନାସିକ, କୋରାପୁଟ ଆଦି ଅଞ୍ଚଳକୁ ଯାଇଥାନ୍ତି । ହେଲେ ପୁରୀରେ ଘର ପାଖରେ ଅଙ୍ଗୁର ଗଛ ଦେଖି ବେଶ ଖୁସି ଲାଗୁଛି । ଏଯାବତ 30 ପେନ୍ଥା ଅଙ୍ଗୁରକୁ ତୋଳି ସାହି ପଡିଶା ଲୋକଙ୍କୁ ବାଣ୍ଟି ଦେଇଛନ୍ତି । ତେଣୁ ଆମ ଅଞ୍ଚଳରେ ଏଭଳି ଅଙ୍ଗୁର ଚାଷ ଦେଖି ଆମେ ମାନେ ବେଶ ଖୁସି । ତେଣୁ ଜଣେ ମତ୍ସ୍ୟଜିବୀ ହୋଇ ଅଙ୍ଗୁର ଚାଷ ଆମ ଜଳବାୟୁରେ କରିପାରୁଥିବାରୁ ଜିଲ୍ଲାର ଅନ୍ୟ ଚାଷୀମାନେ ବି ଅଙ୍ଗୁର ଉତ୍ପାଦନ କରିପାରିବେ," କହିଛନ୍ତି ୪୦ ବର୍ଷୀୟ ଯୁବଚାଷୀ ବିସ୍ମୟ ମିଶ୍ର ।

ପେନ୍ଥା ପେନ୍ଥା ଅଙ୍ଗୁର ଝୁଲିଥିବା ଦେଖିବାକୁ ଘନଶ୍ୟାମଙ୍କ ଘରେ ବେଶ ଭିଡ଼ ଜମିଛି


"ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ କଥା ମୁଁ ଶୁଣିଛି । ହେଲେ କିଭଳି ପରିସ୍ଥିତିରେ ଓ କେଉଁ ପ୍ରଜାତିର ଅଙ୍ଗୁର ଲାଗିଛି ତାହା ଅନୁଧ୍ୟାନ କରିବା ଦରକାର । ତଥାପି ଜଣେ ମତ୍ସଜୀବି ହୋଇ ବାଲିରେ ଅଙ୍ଗୁର ଚାଷ କରିବା ବେଶ ବଡ଼ କଥା । ତେଣୁ ତାଙ୍କର ଅଦମ୍ୟ ଚେଷ୍ଟା ପାଇଁ ସେ ସାଧୁବାଦର ପାତ୍ର । ତାଙ୍କର ଅଙ୍ଗୁର ଚାଷ ଦେଖିବା ପରେ କୃଷି ବିଭାଗ ପକ୍ଷରୁ ସେହି ମଞ୍ଜିକୁ ଆଣି ପରୀକ୍ଷା କରି ପରୀକ୍ଷାମୁଳକ ଭାବେ ଚାଷ କରି ଦେଖିବ," କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ଚନ୍ଦ୍ରଶେଖର ରାଓ ।

ଥଣ୍ଡା ଜଳବାୟୁରେ ହେଉଥିବା ଅଙ୍ଗୁର ଚାଷ ଏବେ ଗରମ ପରିବେଶରେ ପୁଣି ସମୁଦ୍ରକୁଳିଆ ଅଞ୍ଚଳ ହୋଇପାରିଛି । ଜଣେ ମତ୍ସ୍ୟଜିବୀ ହୋଇ ଅଙ୍ଗୁର ଚାଷ କରି ସଫଳ ହୋଇପାରିଥିବା ବେଳେ ପନିପରିବା ଚାଷୀଟିଏ ମଧ୍ୟ ପରୀକ୍ଷାମୁଳକ ଭାବେ ଏହି ଚାଷ କଲେ ବେଶ ଉତ୍ତମ ହୁଅନ୍ତା ବୋଲି କହିଛନ୍ତି ଅନ୍ୟ ଚାଷୀମାନେ ।
Published by: Jagdish Barik
First published: September 15, 2020, 10:06 AM IST
corona virus btn
corona virus btn
Loading