ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ; ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ନାଟମଣ୍ଡପକୁ ଉଠିଯାଇ ସୋମବାର ଦିନ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ବଙ୍ଗୀୟ ଯୁବକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ହାଜରା।

ଶ୍ରୀମନ୍ଦିରର ସହକାରୀ କମାଣ୍ଡର ପ୍ରତାପ ନନ୍ଦଙ୍କ କହିବା ଅନୁଯାୟୀ,"ସୋମବାର ଅପରାହ୍ନ ୨.୨୨ ମନିଟ ସମୟରେ ଶ୍ରୀମନ୍ଦିର ଭିତର ବେଢ଼ା ଘଣ୍ଟି ଦ୍ୱାର ନିକଟ ଜେଟିପି ଅଫିସ କଡ଼ ଦେଇ ବଙ୍ଗୀୟ ଭକ୍ତ ନାଟମଣ୍ଡପରେ ଚଢ଼ିଥିଲେ। ଆମ ନଜରକୁ ଆସିବା ପରେ ତୁରନ୍ତ ଜେଟିପି ଓ ଓଡ଼ିଶା ପୋଲିସ, ଅଗ୍ନିଶମ କର୍ମଚାରୀଙ୍କୁ ଧରି ତୁରନ୍ତ ତାକୁ ତଳକୁ ଓହ୍ଲାଇବା ପାଇଁ ପଦକ୍ଷେପ ନେଲୁ। ଆଉ ସେ ସମୟରେ ସେ ପାଟିକରୁଥିଲା ମୋତେ ଛାଡ଼ିଦିଅ ମୁଁ ଆତ୍ମହତ୍ୟା କରିବି। ଆଉ ଏଭଳି ଅଭାବନୀୟ ପରିସ୍ଥିତି ଦେଖି ପ୍ରାଥମିକତା ଭାବେ ଜେଟିପି ଶିବପ୍ରସାଦ ପଣ୍ଡା ଓ ଅଗ୍ନିଶମ କର୍ମଚାରୀ ତାକୁ ଧରି ତଳକୁ ଆଣିଥିଲେ। ଆଉ ତା'ର ମାନସିକ ସ୍ଥିତି ଠିକ ନ ଥିଲା ପରି ଲାଗୁଥିବା ସହ ସେ ଚିତ୍କାର କରୁଥିଲା ମୁଁ ମରିବି। ତେଣୁ ତାକୁ ଉତ୍ତର ଦ୍ୱାର ପଟେ ଆଣି ସିଂହଦ୍ୱାର ଥାନାର ଜିମା ଦେଇଥିଲୁ।’’

"ବଙ୍ଗୀୟ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ବେଲଦଙ୍ଗ ଥାନା ହଳଦିଆପଡ଼ାର ୨୦ ବର୍ଷୀୟ ରାକେଶ ହାଜରା। ତେବେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି। ତେବେ ମାନସିକ ସ୍ଥିତି ଠିକ ନ ଥିବା ଭଳି ଲାଗୁଛି। ତାଙ୍କୁ ଉଦ୍ଧାର କରି ସିଂହଦ୍ୱାର ଥାନାରେ ପଚରାଉଚୁରା କରିବା ପରେ ସେ ଆତ୍ମହତ୍ୟା କରିବାକୁ ଆସିଥିବା କହିଛନ୍ତି। ତେବେ ତାଙ୍କ ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪,
(୩୦ ଏ ) ,(୪) ଓ ଭାରତୀୟ ଦଣ୍ଡିବିଧି ଆଇନ ୪୪୭, ୩୫୩, ୨୯୪ ଦଫାରେ ସିଂହଦ୍ୱାର ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି। ଆଉ ବେଲଦଙ୍ଗା ଥାନାକୁ ରାକେଶଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଯୋଗାଯୋଗ କରାଯାଇଛି। ତେବେ ଏଭଳି ଘଟଣା କିଭଳି ପୁନରାବୃତ୍ତି ନହେବ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ,’’ କହିଛନ୍ତି ସିଟି ଡିଏସପି ଜନାର୍ଦ୍ଦନ ପାଢୀ।

ଗତ ମାସରେ ସିଂହଦ୍ୱାର ଗୁମୁଟରେ ଚଢ଼ି ଆତ୍ମହତ୍ୟା କରିଥିଲେ ଜଣେ କିନ୍ନର। ପୁଣି ନାଟମଣ୍ଡପରେ ଚଢ଼ା ଆତ୍ମହତ୍ୟା ଉଦ୍ୟମ ଏହି ଦୁଇଟି ଘଟଣା ନୁହେଁ ଏହା ପୂର୍ବରୁ ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭଙ୍ଗା ଘଟଣା ଆଦି ପୋଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଓଡ଼ିଶା ପୋଲିସ, ସ୍ୱତନ୍ତ୍ର ସୁରକ୍ଷା ବଳ, ଜେଟିପି ଡ୍ୟୁଟିରେ ରହୁଥିବା ବେଳେ କିଭଳି ଏହି ଅଘଟଣ ଘଟୁଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ଶରତ ରାୟଗୁରୁ।

ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏକାଧିକ କମିଟି ମଧ୍ୟ ସୁପାରିଶ କରିଛନ୍ତି। ଆଉ ଏଭଳି ସ୍ଥିତିରେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ପୁଣି ପଦାରେ ପକାଇଛି ପ୍ରଶାସନର ପାରିବା ପଣିଆକୁ।
Published by:Lipina Das
First published: