ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ; ଏଯାବତ ଘଟଣାର କାରଣ ଖୋଜି ପାରିଲାନି ପୋଲିସ

୨୪ ଘଣ୍ଟା ପରେ ମଧ୍ୟ ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ ଘଟଣାର କାରଣ ଖୋଜି ପାରିଲାନି ପୋଲିସ। କେବଳ ଅଭିଯୁକ୍ତ ଭଗବାନ ଦାସଙ୍କ ବୟାନକୁ ରେକର୍ଡ଼ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏସଡ଼ିଜେଏମ ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ କାରଣ ସ୍ପଷ୍ଟ ହୋଇପାରିନାହିଁ। କେବଳ ପୋଲିସ ଅଭିଯୁକ୍ତ ଭଗବାନ ଦାସଙ୍କୁ ଅଟକ ରଖି ପଚରାଉଚୁରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହାସହିତ ଅଭିଯୁକ୍ତ ଭଗବାନଙ୍କ ବୟାନକୁ ମଧ୍ୟ ରେକର୍ଡ଼ କରିଛି ପୋଲିସ। କୋର୍ଟରୁ ଭଗବାନଙ୍କୁ ସମନ ଆସିଥିବା ଯୋଗୁଁ ସେ କୋର୍ଟକୁ ଯିବା ସହିତ ଜଣେ କର୍ମଚାରୀଙ୍କୁ ସମନକୁ ନେଇ ଶୁଣାଣି ଅଛି କି ନାହିଁ ପଚାରି ବୁଝିଥିଲେ। ଏହାପରେ ସିଧାସଳଖ ଜଜଙ୍କ ଡେସ୍କ ଉପରେ ଚଢ଼ି ତାଙ୍କୁ ଆକ୍ରମଣ କରିବା ନିମନ୍ତେ ଉଦ୍ୟମ କରିଥିଲେ।

ଏଭଳି ବୟାନ ପୋଲିସ ନିକଟରେ ଅଭିଯୁକ୍ତ ରଖିଥିବା ବେଳେ ଏନେଇ ତଦନ୍ତ ଜାରି ରହଛି। ଏହା ସହିତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ସେପଟେ ଜଣେ ବିଚାରପତିଙ୍କୁ କୋର୍ଟ ରୁମ ମଧ୍ୟରେ ଆକ୍ରମଣ ଉଦ୍ୟମ କରିବା ଘଟଣା ପ୍ରଥମ ହୋଇଥିବା ବେଳେ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ।

ଜଜଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ


କୋର୍ଟରେ ହାଜର ହେବା ପାଇଁ ସମନ ଆସିଥିଲା। ସମନ ପାଇବା ପରେ କୋର୍ଟକୁ ଯାଇଥିଲି। କୋର୍ଟରେ ସମନ ସମ୍ପର୍କରେ ପଚାରି ବୁଝିବା ପରେ ଆଜି ସମ୍ପୃକ୍ତ ମାମଲାର ଶୁଣାଣି ନାହିଁ କହିଥିଲେ। ଏହାପରେ ସେ ସବୁଦିନ ଛୁରୀ ଧରି ରହିବେ ବୋଲି କହି ଡେସ୍କ ଉପରକୁ ଚଢ଼ି ଯାଇଥିଲି। ଏଭଳି କିଛି ବୟାନ ପୋଲିସ ଆଗରେ ରଖିଛି ଅଭିଯୁକ୍ତ ଭଗବାନ ଦାସ। ଆମେ କହୁଛୁ ଗତକାଲି ବ୍ରହ୍ମପୁର ଏସଡ଼ିଜେଏମଙ୍କ କୋର୍ଟରେ ହୋଇଥିବା ଜଜଙ୍କୁ ଛୁରୀରେ ଆକ୍ରମଣ ଘଟଣା ସମ୍ପର୍କରେ।

ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ ଯୁବକ ହଠାତ ଏସଡ଼ିଜେଏମଙ୍କ କୋର୍ଟରେ ପହଞ୍ଚି ବିଚାରପତିଙ୍କ ଡେସ୍କ ଉପରକୁ ଚଢ଼ି ବିଚାରପତିଙ୍କୁ ଛୁରୀ ଦେଖାଇ ଆକ୍ରମଣ କରିବା ନିମନ୍ତେ ଉଦ୍ୟମ କରିଥିଲା। ଏହି ସମୟରେ ମହିଳା ବିଚାରପତିଙ୍କ ଚିତ୍କାର କରିବା ପରେ ନିକଟରେ ଥିବା ଜଣେ ଆଇନଜୀବୀ ରକ୍ଷା କରିଥିବାବେଳେ ଅଭିଯୁକ୍ତ ଯୁବକକୁ ଜଣେ ଝାଡୁଦାର କାବୁ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ଭଗବାନ ଦାସ ।

‘‘ଗତକାଲି ଠାରୁ ଥାନାରେ ଭଗବାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଇଥିଲା। ତେବେ ସମନ ପାଇବା ପରେ ସେ କୋର୍ଟକୁ ଆସି ଏଭଳି କାଣ୍ଡ କରିଥିବା ନେଇ କହିଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି। ଏହାସହିତ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଜୁଡ଼ିସିଆଲ କଲୋନୀରେ ମଧ୍ୟ ପୋଲିସ ମୁତୟନ ରହିବେ। ଆଜି ଅଭିଯୁକ୍ତ ଭଗବାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି,’’ କହିଛନ୍ତି ବ୍ରହ୍ମପୁର ଏସପି ଡ଼.ଶ୍ରବଣା ବିବେକ ଏମ।

‘‘ଏଭଳି ଜଣେ ବିଚାରପତିଙ୍କୁ ଆକ୍ରମଣ କରିବା ଘଟଣା ନିହାତି ଭାବେ ନିନ୍ଦନୀୟ। ତେବେ ସିଧାସଳଖ ଭାବେ ଅଭିଯୁକ୍ତ ଯେଉଁଭଳି ଛୁରୀ ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲେ ଏହା ପଛରେ ଅନେକ କାରଣ ରହିଥାଇପାରେ। ଯେହେତୁ ଅଭିଯୁକ୍ତ ଭଗବାନଙ୍କ ବିରୋଧରେ ୪ଟି ମାମଲା ରହିଛି ଏବଂ ଏହାସହିତ ସେ ପୂର୍ବରୁ ଜେଲ ଯାଇ ଜାମିନରେ ଫେରିଛନ୍ତି। ତେବେ ଏହି ଚାରୋଟି ମାମଲାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଏଭଳି କରିଥାଇପାରନ୍ତି। ନଚେତ୍ ଚାରୋଟି ମାମଲାରେ ବାରମ୍ବାର କୋର୍ଟକୁ ଆସି ବିରକ୍ତ ହେବା ପରେ ଏଭଳି କରିଥାଇପାରନ୍ତି। ଅନ୍ୟଥା ମଦ୍ୟପ ଅବସ୍ଥାରେ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇପାରିନ୍ତି। ତଥାପି ମଧ୍ୟ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ଆଇନଜୀବୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ।

ଆଇନଜୀବୀ ପ୍ରଦୀପ ବେହେରା କହିଛନ୍ତି, ‘‘କେବଳ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହେବନାହିଁ ବରଂ କୋର୍ଟ ପରିସରରେ ଉପଯୁକ୍ତ ପୋଲିସ ମୁତୟନ କରାଯାଉ। କାରଣ ପ୍ରତିଦିନ କୋର୍ଟକୁ ବିଭିନ୍ନ ମାମଲାରେ ଗିରଫ ହୋଇଥିବା ଏକାଧିକ ଅପରାଧିମାନେ ଆସିଥାନ୍ତି। ଯଦିଓ ଓକିଲମାନେ ଉଭୟ ପକ୍ଷଙ୍କ ପାଇଁ ଲଢ଼େଇ କରିଥାନ୍ତି। କିନ୍ତୁ କେତେବେଳେ କେଉଁ ପରିସ୍ଥିତି ଉପୁଜିବ ତାହା କେହି କହିବ ନାହିଁ। ତେଣୁ ସମସ୍ତ କୋର୍ଟ ନିକଟରେ ପୋଲିସ ମୁତୟନ କରାଯିବା ସହିତ ଅପରାଧିଙ୍କ ଉପରେ କଡ଼ା ନଜର ରଖିବା ନିହାତି ଜରୁରୀ।’’

ଅଭିଯୁକ୍ତ ଭଗବାନ ଦାସଙ୍କ ବିରୁଦ୍ଧରେ ପୂର୍ବରୁ ମାରଣାସ୍ତ୍ର ଦେଖାଇ ହତ୍ୟା ଉଦ୍ୟମ ମାମଲା, ମହିଳାଙ୍କୁ ଅସଦାଚରଣ, ଘରେ ପଶି ମହିଳାଙ୍କୁ ଗାଳିଗୁଲଜ କରିବା ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ନେଇ ଚାରୋଟି ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
Published by:Lipina Das
First published: