ରାଜ୍ୟରେ ହାତୀଙ୍କ ଆକ୍ରମଣ କାହିଁକି ବଢ଼ିଚ଼ାଲିଛି? ଜଙ୍ଗଲ ବିଭାଗ ପାଖରେ ଯଥେଷ୍ଟ ଉତ୍ତର ନାହିଁ
ବର୍ଷକ ଭିତରେ ଓଡ଼ିଶାରେ ହାତୀ ନେଲେଣି ୯୮ ମଣିଷଙ୍କ ଜୀବନ । ଯାଜପୁର ଓ ପୁରୀରେ ନରହନ୍ତା ହାତୀଙ୍କ ଆତଙ୍କ ପରେ ଏ ସମସ୍ୟା ଉପରେ ଆରମ୍ଭ ହୋଇଛି ବିତର୍କ । ରାଜ୍ୟରେ କେତେ ଜଙ୍ଗଲ ବଢ଼ିଛି ଓ ହାତୀଙ୍କ ରହିବା ସ୍ଥାନ ପାଇଁ କେତେ ବୃକ୍ଷ ରୋପଣ ହୋଇଛି ସେ ତଥ୍ୟ ବନ ବିଭାଗ ପାଖରେ ନାହିଁ ।

ବନ ବିଭାଗ ତରଫରୁ ଢେଙ୍କାନାଳରେ ରାସ୍ତାରେ ଲଗାଯାଇଥିବା ସାଇନ୍ବୋର୍ଡ଼
- News18 Odia
- Last Updated: February 28, 2020, 11:07 PM IST
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢୁଥିବାରୁ ବନ ବିଭାଗ, ବନ୍ୟ ଜନ୍ତୁ ବିଶେଷଜ୍ଞ ଓ ସାଧାରଣ ଲୋକଙ୍କ ଚ଼ିନ୍ତା ବଢ଼ିଚ଼ାଲିଛି । ହାତୀ ଜଙ୍ଗଲ ଛାଡି କଂକ୍ରିଟ ଜଙ୍ଗଲ ମୁହାଁ ହେଉଛନ୍ତି ଓ ଲୋକଙ୍କ ପ୍ରାଣ ନେଇଚ଼ାଲିଛନ୍ତି, ହେଲେ କାହାରି ପାଖରେ କୌଣସି ବଳିଷ୍ଠ ସମାଧାନ ଥିବା ପରି ଲାଗୁନାହିଁ ।
ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଗୋଟିଏ ବର୍ଷ ଭିତରେ ହାତୀ ୯୮ ଜଣ ମଣିଷଙ୍କୁ ମାରିଛି । ତିନି ବର୍ଷ ଭିତରେ ବିଭିନ୍ନ କାରଣରୁ ରାଜ୍ୟରେ ୨୪୬ଟି ହାତୀର ଜୀବନ ଯାଇଛି । ଏହି ମାସ ଯାଜପୁର ଓ ପୁରୀରେ ନରହନ୍ତା ହାତୀଙ୍କ ଆତଙ୍କ ପରେ ଏ ସମସ୍ୟା ହାତୀଙ୍କ ଜାଗାକୁ ମଣିଷ ଅକ୍ତିଆର କରୁଥିବା ଯୋଗୁଁ ନା ମଣିଷର ଜାଗାକୁ ହାତୀ ମାଡ଼ିବସୁଥିବା ଯୋଗୁଁ ସୃଷ୍ଟି ହୋଇଛି ତାହା ଉପରେ ଠିଆ ହୋଇଛି ପ୍ରଶ୍ନ ଓ ଆରମ୍ଭ ହୋଇଛି ବିତର୍କ । ତେବେ ରାଜ୍ୟରେ ପ୍ରକୃତରେ କେତେ ଜଙ୍ଗଲ ବଢ଼ିଛି ଓ ହାତୀଙ୍କ ରହିବା ସ୍ଥାନ ନିମନ୍ତେ କେତେ ବୃକ୍ଷ ରୋପଣ ହୋଇଛି ସେ ତଥ୍ୟ ବନ ବିଭାଗ ପାଖରେ ନାହିଁ ।
୨୦୧୭ର ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ୫୦ଟି ବନଖଣ୍ଡରେ ମୋ’ଟ ହାତୀଙ୍କ ସଂଖ୍ୟା ଥିଲା ୧,୯୭୬ । ସର୍ବାଧିକ ଶିମଳିପାଳରେ ୩୩୦, ଢେଙ୍କାନାଳରେ ୧୬୯, ସାତକୋଶିଆରେ ୧୪୭ ଓ ଆଠଗଡ଼ରେ ୧୧୫ ହାତୀ ଥିଲେ । ରାଜ୍ୟରେ ମୋଟ ୧୪ଟି ହାତୀ କରିଡର ରହିଥିବା ବେଳେ ବିଭିନ୍ନ କାରଣରୁ ଗଲା ତିନି ବରିଷରେ ରାଜ୍ୟରେ ୨୪୬ଟି ହାତୀ ମରିଛନ୍ତି ।

ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ
କିନ୍ତୁ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ ଦେଇଛନ୍ତି ଅଜବ ସଫେଇ । ‘‘ହାତୀ କେବେ ଆଗୁଆ ମଣିଷକୁ ଆକ୍ରମଣ କରେ ନାହିଁ । ତାକୁ ଲୋକେ ଉତ୍ତେଜିତ କରିବା ପରେ ସେ ଉଗ୍ର ହୋଇଉଠେ । ଯିଏ ତା’ ଆଗକୁ ଆସେ, ନିଜର ସୁରକ୍ଷା ପାଇଁ ସେ ତାକୁ ଆକ୍ରମଣ କରେ,’’ ସେ କହିଛନ୍ତି । ହେଲେ ଯାଜପୁର ଓ ପୁରୀ ଜିଲ୍ଲାରେ ହୋଇଥିବା ମୃତ୍ୟୁ ଅତର୍କିତ ହାତୀ ଆକ୍ରମଣରେ ହୋଇଥିବା ଅନେକେ ଜାଣନ୍ତି ।

ପରିବେଶବିଦ୍ ଡକ୍ଟର ଦିଲୀପ ଶ୍ରୀଚ଼ନ୍ଦନ
ପରିବେଶବିଦମାନେ କହିଛନ୍ତି ଯେ ଏବେ ରାଜ୍ୟରେ ଯେତିକି ଜଙ୍ଗଲ ସୃଷ୍ଟି କରାଯାଉଛି, ତାହା ଜାତୀୟ ଓ ଅନ୍ତର୍ଜାତୀୟ ହାର ଠାରୁ ଢେର୍ କମ୍ । ‘‘ଜଙ୍ଗଲ ସୁରକ୍ଷା ନାମରେ ଚ଼ାରା ରୋପଣ ହେଉଛି, ହେଲେ ତାହା ଛଅମାସିଆ ଚ଼ାରା ହୋଇଥିବାରୁ ମରିଯାଉଛି । ଜଙ୍ଗଲ ସୃଷ୍ଟି ନିମନ୍ତେ ଦୁଇବର୍ଷିଆ ଚ଼ାରା ନ ହେଲେ ୮୦ ପ୍ରତିଶତ ଗଛ ମରିଯାଉଛି । ତେଣୁ ଜଙ୍ଗଲ ସୃଷ୍ଟି କେବଳ କାଗଜ କଲମରେ ଚ଼ାଲିଛି । ଜାତୀୟ ଓ ଅନ୍ତର୍ଜାତୀୟ ହାର ଠାରୁ ଓଡିଶାରେ ଜଙ୍ଗଲସୃଷ୍ଟି ୧୮ ପ୍ରତିଶତ କମ୍ ରହିଛି,’’ କହିଛନ୍ତି ପରିବେଶବିଦ୍ ତଥା ଗ୍ରୀନ ଆର୍ମିର ମୁଖ୍ୟ ଡଃ ଦିଲୀପ ଶ୍ରୀଚନ୍ଦନ ।
ପୁରୀ ଜିଲ୍ଲାର ନିମାପଡ଼ା, ପିପିଲି ଓ ବଳଙ୍ଗା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ଗତ ୧୮ ତାରିଖରୁ ଚ଼ନ୍ଦକାରୁ ପଳାଇଥିଲା । ଚ଼ାରି ଜଣଙ୍କ ପ୍ରାଣ ନେବା ପରେ ପୁଣି ସେ ଫେରି ଆସିଛି ଚ଼ନ୍ଦକାକୁ । ହାତୀକୁ ଲେଉଟାଇ ଆଣିବା ପାଇଁ ନୟାନ୍ତ ହୋଇଥିଲେ ୪୦ରୁ ଅଧିକ ବନ କର୍ମଚାରୀ । ପ୍ରଶ୍ନ ଉଠୁଛି ଯେ ହାତୀ-ମଣିଷ ଭିତରେ ଚ଼ାଲିଥିବା ଏ ଭୟଙ୍କର ଲଢ଼େଇର କେବେ ହେବ ଅନ୍ତ?