କଟକରେ ଗ୍ୟାସ୍ କଟରରେ କାଟି ATM ଲୁଟ୍ ଉଦ୍ୟମ ପଣ୍ଡ ହେଲା; ଧରାପଡ଼ିଲା ଅଭିଯୁକ୍ତ ଯୁବକ
ଏକାକୀ ଏହି ଲୁଟ୍ କାଣ୍ଡ କରୁଥିବା ଅଭିଯୁକ୍ତ ୨୫ ବର୍ଷୀୟ ଶିଶିର ଦେବନାଥ ୟୁ-ଟ୍ୟୁବରୁ ଅନେକ ଭିଡିଓ ଦେଖି ATM ଲୁଟ କରିବାର କୌଶଳ ହାସଲ କରିଥିଲା । ଗ୍ୟାସ୍ କଟର୍ ସହିତ ଏକ LPG ସିଲିଣ୍ଡର୍ ଓ ଅକ୍ସିଜେନ୍ ସିଲିଣ୍ଡର ବି ସେ ବ୍ୟବହାର କରିଥିଲା ।

ଅଭିଯୁକ୍ତ ଶିଶିର ଦେବନାଥ ଓ ଗଣ୍ଡରପୁରରେ ଥିବା SBIର ATM
- News18 Odia
- Last Updated: October 13, 2020, 11:56 PM IST
କଟକ: ଭୁବନେଶ୍ବର ପଟିଆସ୍ଥିତ ପି.ଏନ.ବି. ବ୍ୟାଙ୍କର ଏଟିଏମରୁ ୨୭ ଲକ୍ଷ ଟଙ୍କା ଲୁଟ ଘଟଣାକୁ ଦିନ କେଇଟା ନ ପୂରୁଣୁ କଟକରେ ଏହାର ପୁନରାବୃତ୍ତି ହୋଇଛି । କିନ୍ତୁ ସଠିକ ସମୟରେ ସୂଚନା ମିଳିବା ଓ ପୋଲିସର ତ୍ବରିତ ଆକ୍ସନ ଫଳରେ ଏଟିଏମରେ ଥିବା ୨୦ ଲକ୍ଷ ଟଙ୍କା ଲୁଟ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛି ।
ଏହି ଲୁଟ ଉଦ୍ୟମ ଘଟଣାର ଅଭିଯୁକ୍ତ ଶିଶିର ଦେବନାଥ ନାମକ ଜଣେ ୨୫ ବର୍ଷୀୟ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଟିଏମକୁ କାଟିବା ପାଇଁ ବ୍ୟବହାର କରାଯାଇଥିବା ଗ୍ୟାସ କଟର ସହିତ ଏକ ଏଲପିଜି ସିଲିଣ୍ଡର୍ ଓ ଏକ ଅକ୍ସିଜେନ୍ ସିଲିଣ୍ଡର ସମେତ ଅନେକ ସାମଗ୍ରୀ ବି ଜବତ କରିଛି ପୋଲିସ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତବାକ ୧୨ ତାରିଖ ରାତି ପ୍ରାୟ ୩ଟା ବେଳେ ଗଣ୍ଡରପୁର ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ଏସ୍.ବି.ଆଇ.ର ଏକ ଏଟିଏମକୁ ଟାମ୍ପରିଂ କରାଯାଉଥିବା ନେଇ ଏଟିଏମ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା ପାଖରେ ସୂଚନା ପହଞ୍ଚିଥିଲା । ସଂସ୍ଥା ପକ୍ଷରୁ ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଏ ବାବଦରେ ଅବଗତ କରାଯାଇଥିଲା । ଖବର ପାଇ ଚାଉଳିଆଗଞ୍ଜ ଥାନାର ପୋଲିସ ସେଠାରେ ପହଞ୍ଚିଥିଲା । କିନ୍ତୁ ପୋଲିସର ସାଇରନ ଶବ୍ଦ ଶୁଣି ଅଭିଯୁକ୍ତ ଶିଶିର ସବୁ କିଛି ଛାଡ଼ି ସେଠାରୁ ଖସି ପଳାଉଥିବା ସମୟ ପୋଲିସ ତା’ ପିଛା କରି ତାକୁ ଧରିଥିଲା ।

ଜବତ ହୋଇଥିବା ସାମଗ୍ରୀ ସହ ଅଭିଯୁକ୍ତ ଶିଶିର ଦେବନାଥ ଓ ଜଣେ ପୋଲିସ କର୍ମୀ
କଟକରେ ଏକ ମେଡିସିନ ଷ୍ଟୋରରେ ଚାକିରି କରିଥିବା ଜଗତସିଂହପୁର ବାଲୁକୁଦା ବାସିନ୍ଦା ଶିଶିର ସ୍ଥାନୀୟ ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲା । ଏଟିଏମ ଲୁଟ କରିବାର ପ୍ରାୟ ୧୦ ଦିନ ପୂର୍ବରୁ ସେ ଏହାର ଅଭ୍ୟାସ କରିଥିଲା । ଠିକ୍ ଯେମିତି ଭୁବନେଶ୍ୱରେ ଏକ ଏଟିଏମ୍ ଲୁଟ୍ କାଣ୍ଡର ଅଭିଯୁକ୍ତ କରିଥିଲା, ସେମିତି ଏଟିଏମକୁ ଗ୍ୟାସ କଟର୍ ସାହାଯ୍ୟରେ କିପରି କଟାଯାଇ ଲୁଟ ହୋଇ ପାରିବ ସେହି ବିଦ୍ୟା ଶିଶିର ୟୁ-ଟ୍ୟୁବରୁ ଅନେକ ଭିଡିଓକୁ ଦେଖି ହାସଲ କରିଥିଲା ।
ଲୁଟ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ ସିଲିଣ୍ଡର ହାସଲ କରିବା ପାଇଁ ସେ ଏକ ନିଆରା ଉପାୟ ବି ଆପଣାଇ ଥିଲା । ନିଜର ଜଣେ ବନ୍ଧୁ କରୋନାରେ ପୀଡ଼ିତ ଅଛି ଓ ତାକୁ ଅକ୍ସିଜେନର ଆବଶ୍ୟକତା ରହିଛି ବୋଲି କହି ମହାନଦୀ ବିହାର ଠାରେ ଥିବା ଏକ ଘରୋଇ ହସ୍ପିଟାଲରୁ ଭଡ଼ା ସୂତ୍ରରେ ଆଣିବାରେ ସଫଳ ହୋଇଥିଲା ।
“ଶିଶିର ଦେବନାଥ ଏକ ଘର ବନାଉଥିଲା । ସେଥି ପାଇଁ ତାକୁ ଟଙ୍କା ଦରକାର ଥିବାରୁ ସେ ଏହି ଏଟିଏମ ଲୁଟ କରିଥିଲା ବୋଲି କହିଛି । ସେ ଏକାକୀ ଏହି ଏଟିଏମ ଲୁଟ ଉଦ୍ୟମ କରିଥିଲା । ଏଥିରେ ତାକୁ ଅନ୍ୟ କେହି ସାହାଯ୍ୟ କରିଥିବା ନେଇ ଏ ପର୍ଯ୍ୟନ୍ତ ଆମ ପାଖରେ ପ୍ରମାଣ ନାହିଁ । ତଥାପି ଆମେ ସେହି ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ । ଭୁବନେଶ୍ବର ଏଟିଏମ ଲୁଟ ଘଟଣା ସହିତ ଶିଶିରର ସମ୍ପର୍କ ଥିବା କଥା ଏବେ ସୁଦ୍ଧା ଜଣା ପଡ଼ିନାହିଁ,” କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କଟକ ଡିସିପି ପ୍ରତୀକ ସିଂ
ଗଣ୍ଡରପୁରର ସେହି ଏଟିଏମକୁ ଗ୍ୟାସ କଟକର୍ରେ କାଟି ଟଙ୍କା ଲୁଟର ଏହା ପ୍ରଥମ ଘଟଣା ନୁହେଁ । ଦୁଇ ବର୍ଷ ତଳେ ମଧ୍ୟ ଏହି ଏଟିଏମରୁ ସମାନ ଢଙ୍ଗରେ ୨୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ସେହି ଲୁଟର ତଦନ୍ତ କରି ଏକ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ପୋଲିସ ହରିଆଣାରୁ ଧରିବାରେ ସଫଳ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି କରିଥିବା ଦୁଇ ମହଲା ବିଶିଷ୍ଟ ଏକ କୋଠାର ତଳ ମହଲାରେ ଏହି ଏଟିଏମଟି ରହିଛି । ଏଠାରେ ସୁରକ୍ଷା କର୍ମୀ ନ ରହିବା ଯୋଗୁଁ ବାରମ୍ବାର ଏ ଭଳି ଲୁଟ ଘଟଣା ଘଟୁଛି ।
ବିଶେଷଜ୍ଞମାନଙ୍କ କହିବା ମୁତାବକ ବର୍ତ୍ତମାନ ଅନଲାଇନ ଟ୍ରାଞ୍ଜେକ୍ସନ ପୂର୍ବ ଅପେକ୍ଷା ଅଧିକ ହେଉଛି । ନଗଦ କାରବାର କ୍ରମଶଃ କମୁଥିବାରୁ ଆଗ ଭଳି ଟଙ୍କା ଉଠାଇବା ପାଇଁ ଆଉ ଏଟିଏମରେ ଲୋକଙ୍କ ଗହଳି ଦେଖା ଯାଉ ନାହିଁ । ଫଳରେ ଲୁଟେରାମାନଙ୍କୁ ଏଟିଏମ ମେସିନକୁ ଟାମ୍ପରିଂ କରିବା ପାଇଁ ଅଧିକ ସମୟ ମିଳୁଛି ।
ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ
ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ
ଏଟିଏମରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରି ବ୍ୟାଙ୍କଗୁଡ଼ିକ ଅଧିକ ଖର୍ଚ୍ଚାନ୍ତ ହେବାର ବୋଝ ନେବାକୁ ବି ଇଚ୍ଛା କରୁନାହାଁନ୍ତି । ତା’ ଛଡ଼ା ଏଟିଏମରେ ଟଙ୍କା ଡିପୋଜିଟ କରିବା କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ସେହି ସଂସ୍ଥାରୁ ଛଟେଇ ହେବା ପରେ ଏଟିଏମ ବାବଦରେ ଥିବା ନିଜ ଜ୍ଞାନକୁ ମେସିନ୍ ଟାମ୍ପରିଂ କରୁଥିବା ଲୋକଙ୍କୁ ଜଣାଇ ଟଙ୍କା ଲୁଟ ଭଳି ଘଟଣା କରାଉଥିବା ମଧ୍ୟ ସନ୍ଦେହ କରାଯାଉଛି ।
“ଏଟିଏମ ସମ୍ପର୍କିତ ଯେତେ ସବୁ ଅପରାଧ ଘଟୁଛି, ତା’ର ନିର୍ଦ୍ଦିଷ୍ଟ ଗୋଟିଏ ସମାଧାନ ନାହିଁ । ପ୍ରତିଟି ସମସ୍ୟାର ଭିନ୍ନ ଭିନ୍ନ ସମାଧାନ ରହିଛି । ଏହି ଘଟଣାଗୁଡ଼ିକୁ ରୋକିବା ପାଇଁ ବ୍ୟାଙ୍କ ଓ ଆର.ବି.ଆଇ.ର ପଦକ୍ଷେପ ନେବା ନିହାତି ଜରୁରୀ । ବ୍ୟାଙ୍କ ପାଇଁ ଗୋଟିଏ ଏଟିଏମ ଲୁଟ ଗୋଚିଏ ମାତ୍ର ଘଟଣା ହେଲେ ବି ପୋଲିସ ପାଇଁ ନିଜର ପ୍ରତିଷ୍ଠାର ବିଷୟ ହୋଇଥିବାରୁ ପୋଲିସ ଏଥି ପ୍ରତି ଅଧିକ ଜତ୍ନଶୀଳ ହେଉଛି,’’ କହିଛନ୍ତି ଅତୀତରେ ଅନେକ ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ କରିଥିବା କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ।