ଚୌଦ୍ୱାର ଜେଲରୁ ପୁଣି ଆସିଲା ଦାଦାବଟି ଧମକ; କୁଖ୍ୟାତ ଅପରାଧୀ ଗୁଗୁର ସହଯୋଗୀ ଗିରଫ ହେଲା
ଜେଲ୍ ଭିତରେ ଥାଇ ଗୁଗୁ ସପ୍ତାହକ ମଧ୍ୟରେ କଟକର ଜଣେ ଠିକାଦାରଙ୍କୁ ପ୍ରାୟ ୭ ଥର ଫୋନ କରି ଧମକ ଦେଇଥିଲା । ତା’ ନିର୍ଦ୍ଦେଶରେ ତା’ ସହଯୋଗୀ ବାଙ୍କା ମିଟୁ ଠିକାଦାରଙ୍କ ଠାରୁ ବଟି ନେବାକୁ ଆସିଥିଲା । ସେ ଗିରଫ ହୋଇଛି ।

ଅପରାଧୀ ବାଙ୍କା ମିଟୁ ଓ (ଡାହାଣ) ଚୌଦ୍ୱାର ଜେଲ୍
- News18 Odia
- Last Updated: July 13, 2020, 3:30 PM IST
କଟକ: କିଛି ଦିନର ନିରବତା ପରେ ଚୌଦ୍ୱାର ଜେଲର ଚାରି କାନ୍ଥ ଭିତରେ ଥାଇ ପୁଣି ନିଜ ଆପରାଧିକ କାର୍ଯ୍ୟକଳାପ ଚଳାଇବା ଆରମ୍ଭ କରିଛନ୍ତି ପେଶାଦାର ଅପରାଧୀମାନେ । ଏହି କ୍ରମରେ ସାମନାକୁ ଆସିଛି କଟକର କୁଖ୍ୟାତ ଅପରାଧୀ ଗୁଗୁ ଓରଫ ଶୁଭାଶିଷ ଖୁଣ୍ଟିଆର ନାଁ । ଜେଲ ଭିତରେ ଥାଇ ଦାଦାବଟି ଆଦାୟ ଅଭିଯୋଗରେ ଗୁଗୁର ଖାସ୍ ସହଯୋଗୀ ବାଙ୍କା ମିଟୁ ଗିରଫ ହେବା ପରେ ଏହାକୁ ନେଇ ସହରରେ ଅଲୋଡ଼ନ ସୃଷ୍ଟି ହୋଇଛି ।
ଗୁଗୁ କଟକ ମହାନଗର ନିଗମର ଏକ ଟେଣ୍ଡର ପାଇଥିବା ମଧୁପଟଣା ବାସିନ୍ଦା ଠିକାଦାର ବାସୁଦେବ ଦାସଙ୍କ ଠାରୁ ବଟି ଦାବି କରିବା ନେଇ ସେ ମଧୁପଟଣା ଥାନାର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ସାମନାକୁ ଆସିଛି । ବାସୁଦେବ ଥାନାରେ କରିଥିବା ଅଭିଯୋଗ ମୁତାବକ ଗୁଗୁ ତାଙ୍କୁ ଗୋଟିଏ ସପ୍ତାହ ଧରି ଗୋଟିଏ ମୋବାଇଲ ନମ୍ବରରୁ ଅନେକ ଥର ଫୋନ କରି ଏକ ଲକ୍ଷ ଟଙ୍କାର ବଟି ମାଗିଥିଲା । ଏହାକୁ ସେ ଅଣଦେଖା କରିଆସୁଥିବା ବେଳେ ରବିବାର ଅପରାହ୍ଣରେ ବଟି ନ ଦେଲେ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।
ଏହାର କିଛି ସମୟ ପରେ ଗୁଗୁ ନିଜ ସହଯୋଗୀ ବାଙ୍କା ମିଟୁ ଓରଫ ସର୍ବେଶ୍ୱର ମହାନ୍ତିକୁ ବଟି ସଂଗ୍ରହ ପାଇଁ ଦାସଙ୍କ ଘରକୁ ପଠାଇଥିଲା । ଏଥିରେ ଭୟଭୀତ ହୋଇ ଠିକାଦାର ଦାସ ମଧୁପଟଣା ଥାନାରେ ଏକ ଏତାଲା ଦାୟର କରିଥିଲେ। ଏହି ଏତାଲା ପାଇବା ପରେ ପୋଲିସ କୁଖ୍ୟାତ ଅପରାଧୀ ବାଙ୍କାକୁ ଗିରଫ କରିଥିଲା।
ଗୁଗୁ ନାଁରେ ପୂର୍ବରୁ କଟକ ସହରର ବିଭିନ୍ନ ଥାନାରେ ୧୭ଟିରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଛି । ଦୁଇ ବର୍ଷ ତଳେ ପୋଲିସ ତାକୁ ଏକ ଏନକଉଣ୍ଟର ମଧ୍ୟ କରିଥିଲା । ତା’ର ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରୁ ତାକୁ ଜାତୀୟ ନିରାପତ୍ତା ଆଇନ ବଳରେ ଚୌଦ୍ୱାର ଜେଲରେ ରଖା ଯାଇଛି। ଗୁଗୁର ସହଯୋଗୀ ବାଙ୍କା ମିଟୁ ନାଁରେ ବି ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ, ହତ୍ୟା ଧମକ ଓ ଅସ୍ତ୍ରଶସ୍ତ୍ର କାରବାର ଭଳି ୧୫ ଟି ମାମଲା ରହିଛି ।
‘‘ଜେଲରେ ଗୁଗୁର ବଢୁଥିବା କାର୍ଯ୍ୟକଳାପ ଉପରେ ଆମର ନଜର ରହିଛି। ସେ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ପାଇଁ କାମ କରୁଥିଲା। ସମ୍ପୃକ୍ତ ଠିକାଦାରଙ୍କ ପାଖକୁ ଆସିଥିବା ଫୋନ ନମ୍ବରକୁ ଆମେ ଟ୍ରାକ କରୁଛୁ। ଖୁବ ଶୀଘ୍ର ଏ ନେଇ କିଛି ଶକ୍ତ ପଦକ୍ଷେପ ଗ୍ରହଣ କରାଯିବ,’’ କହିଛନ୍ତି କଟକ କମିଶନରେଟର ଜଣେ ପଦସ୍ଥ ଅଧିକାରୀ ।
ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା
ଏହା ବି ପଢ଼ନ୍ତୁ: ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ
ପ୍ରାୟ ୭ ମାସ ପରେ ଚୌଦ୍ୱାର ଜେଲ ପୁଣି ଥରେ ପୋଲିସର ଚିନ୍ତା ବଢ଼ାଇଛି । ସେତେବେଳେ କଟକର ଅନ୍ୟତମ କୁଖ୍ୟାତ ଅପରାଧୀ ସକିଲ ଓ ଆରିଫ ସମାନ ଢଙ୍ଗରେ ଜେଲ ଭିତରୁ ଫୋନ କରି ବ୍ୟବସାୟୀମାନଙ୍କୁ ବଟି ମାଗିବା ମାମଲା ସାମନାକୁ ଆସିଥିଲା । ଏବେ ଗୁଗୁର ବଟି ଧମକ ପରେ ଏମିତି ଅପରାଧୀମାନଙ୍କୁ ସାବାଡ଼ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।