News18 Odia Digital
କଟକ: ଦୁର୍ନୀତିକୁ ନେଇ ରାଜ୍ୟରେ ଥିବା ସମସ୍ତ ରେକର୍ଡ଼କୁ ଭାଙ୍ଗି ଚାଲିଛନ୍ତି ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଗୁରୁବାର ସନ୍ଧ୍ୟାରେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ଏକକାଲୀନ ଓ ରେକର୍ଡ଼ ପରିମାଣର ନଗଦ ଦୁଇ କୋଟି ଟଙ୍କା ଜବତ କରି ରାଜ୍ୟ ଭିଜିଲାନ୍ସ ବିଭାଗ ଦମ ନେଉଥିବା ବେଳେ ଏହାର ଗୋଟିଏ ଦିନ ପରେ କାର୍ତ୍ତିକେଶ୍ବରଙ୍କ ଦୁର୍ନୀତିର ଆଉ ଏକ ପେଡ଼ି ଖୋଲିଥିଲା । ତାଙ୍କ ଦ୍ବିତୀୟ ପତ୍ନୀଙ୍କ ଭଉଣୀ ତଥା କାର୍ତ୍ତିକେଶ୍ବରଙ୍କ ଶାଳୀଙ୍କ ଘରୁ ପୁଣି ଠାବ ହୋଇଛି ନଗଦ ଏକ କୋଟି ୪୧ ଲକ୍ଷ ଟଙ୍କା ।
ସାଲିଆସାହି ବସ୍ତିରେ ରହୁଥିବା କାର୍ତ୍ତିକେଶ୍ବରଙ୍କ ଶାଳୀଙ୍କ ଘରେ ରେଡ଼ କରି ଭିଜିଲାନ୍ସ ଅଧିକାରୀମାନେ ଏହି ଟଙ୍କାକୁ ଜବତ କରିଛନ୍ତି । କେବଳ ନଗଦ ଟଙ୍କା ନୁହେଁ ବରଂ କାର୍ତ୍ତିକେଶ୍ବରଙ୍କ ଶାଳୀଙ୍କ ଘରୁ ମିଳିଛି ୩୬୦ ଗ୍ରାମର ସୁନା ଓ ଏକ କେଜି ୮ ଗ୍ରାମର ରୂପା । ଜବତ ହୋଇଥିବା ସୁନା ମଧ୍ୟରେ ଅଧିକାଶଂ ସୁନାକୁ ଅଳଙ୍କାର ରୂପରେ ଠାବ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ବର ପୋଖରୀପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ କାର୍ତ୍ତିକେଶ୍ବର କିଣିଥିବା ଏକ ତିନି ମହଲା ବିଶିଷ୍ଟ ବଙ୍ଗଳାର କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ।

ସାଲିଆସାହି ବସ୍ତିରୁ ଜବତ ହୋଇଥିବା ସୁନା ଅଳଙ୍କାର
କାର୍ତ୍ତିକେଶ୍ବରଙ୍କ ଆୟବର୍ହିଭୁତ ସମ୍ପତ୍ତିକୁ ଠାବ କରିବା ପାଇଁ ଗତ ଚାରି ଦିନ ଧରି ଚାଲିଥିବା ରେଡରୁ ଶନିବାର ରାତି ପର୍ଯ୍ୟନ୍ତ ମୋଟ ୭ କୋଟି ୪୮ ଲକ୍ଷ ଟଙ୍କା ସ୍ଥାପର ଓ ଅସ୍ଥାବର ସମ୍ପତ୍ତିକୁ ଠାବ କରି ସାରିଲାଣି ଭିଜିଲାନ୍ସ ବିଭାଗ । ଯାହା ମଧ୍ୟରେ ରହିଛି ତିନି କୋଟି ୪୨ ଲକ୍ଷ ନଗଦ ଟଙ୍କା, ୯୪୦ ଗ୍ରାମର ସୁନା, ଏକ କେଜି ଓଜନର ରୂପା, ଦୁଇଟି କେଠା, ଦୁଇଟି ଫ୍ଲାଟ୍, ୭ଟି ପ୍ଲଟ୍, ୩୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବିମା ଇତ୍ୟାଦି । ଜବତ ହୋଇଥିବା ଏହି ସବୁ ସମ୍ପତ୍ତିକୁ ହିସାବ କରି ଏହା ତାଙ୍କ ମୂଳ ରୋଜଗାର ଠାରୁ ୧୧୦୮% ଅଧିକ ଓ ଏହି ଅର୍ଥକୁ ସେ ଅଜଣା ସୂତ୍ରରୁ ସଂଗ୍ରହ କରିଛନ୍ତି ବୋଲି କହିଛି ଭିଜିଲାନ୍ସ ବିଭାଗ ।
ଏହାରି ଭିତରେ ଶନିବାର ଦିନ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢା କରିଛି। ଶୁକ୍ରବାର ଦିନ ସ୍ବାମୀ କାର୍ତ୍ତିକେଶ୍ବରଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ଶନିବାର ଦିନ ଗିରଫ ହୋଇଛନ୍ତି ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନ । ସେପଟେ ଗିରଫ ପରେ ୩ ତିନିଆ ଭିଜିଲାନ୍ସର ରିମାଣ୍ଡରେ ଥିବା କାର୍ତ୍ତିକେଶ୍ବରଙ୍କୁ ମାରାଥନ ଜୋରା କରୁଛି ବିଭାଗ ।

ସାଲିଆସାହି ବସ୍ତିରୁ ଜବତ ହୋଇଥିବା ଏକ କୋଟି 41 ଲକ୍ଷ ଟଙ୍କା
ଭିଜିଲାନ୍ସ ବିଭାଗରୁ ନ୍ୟୁଜ18 ଡିଜିଟାଲକୁ ମିଳିଥିବା ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମୂତାବକ ୧୯୯୫ ମସିହାରେ କଳାହାଣ୍ଡି ଜିଲ୍ଲା କଲାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରୀ ଆରମ୍ଭ କରିଥିବା କାର୍ତ୍ତିକେଶ୍ବରଙ୍କ ମାସିକ ଦରମା ଚଳିତମାସ ସୁଦ୍ଧା ୪୫ ହଜାର ଟଙ୍କା ଥିଲା । କିନ୍ତୁ ଚାକିରୀ ଆରମ୍ଭରୁ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିଆସୁଥିବା କାର୍ତ୍ତିକେଶ୍ବର ଗତ କିଛି ବର୍ଷ ହେଲା ନିଜ ଦୁର୍ନୀତିକୁ ଚରମ ସୀମାରେ ପହଁଚାଲିଥିଲେ । ଠାକାଦାରଙ୍କ ଠାରୁ ପିସି ଜରିଆରେ ସେ ଏହି ସବୁ ଟଙ୍କା ସଂଗ୍ରହ କରିଛନ୍ତି ।
"ଦୁର୍ନୀତି ଖୋର ସରକାରୀ ବାବୁମାନଙ୍କ ବେଆଇନ ଉପାୟରେ ଅର୍ଜିତ ସମ୍ପତ୍ତିକୁ ଠାବ କରିବା ପାଇଁ ଗଠିତ ହୋଇଥିବା ନିଜ ଟିମରେ ଅର୍ଥ କାରବାର ସମ୍ପର୍କରେ ଜ୍ଞାନ ରଖୁଥିବା ବିଶେଷଜ୍ଞମାନଙ୍କୁ ସାମିଲ କରାଯାଇଛି । କୋଠା ବା ନିର୍ମାଣଗୁଡିକର ମୂଲ୍ୟାୟନ ପାଇଁ ଟେକନିକାଲ ଟିମ ଗଠନ କରାଯାଇଛି । ମୋବାଇଲ, ଲ୍ୟାପଟପ, ସିସିଟିଭି, ହାଡଡିସ୍କ ଓ ସାମାଜିକ ଗଣମାଧ୍ୟମର ତଥ୍ୟକୁ ଜାଞ୍ଚ କରିବା ପାଇଁ ସାଇବର ଟିମକୁ ଦାୟୀତ୍ବ ଦିଆଯାଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବେନାମୀ ସମ୍ପତ୍ତି ଓ ବ୍ୟାଙ୍କ ଜମାକୁ ଠାବ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲକ୍ଷ ରଖିଛୁ,"କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠଓ୍ବା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।