News 18 Odia Digital
ଭୁବନେଶ୍ୱର : ରଥଯାତ୍ରାର ପରଦିନ ଅର୍ଥାତ ଜୁଲାଇ ୨ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଯାହାକୁ ନେଇ ଏବେ ରାଜନୀତି ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ପୋଲିସ ତରଫରୁ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଗତକାଲି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା , ପୋଲିସ୍ ଆୟୁକ୍ତ ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ, ପ୍ରତୀକ ସିଂହଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।
ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ରାଜନୀତି ବେସ୍ ସରଗରମ ହେବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ମଧ୍ୟ ଅନେକ ପଦକ୍ଷପ ହାତକୁ ନେଇଛି । ଅଧିବେଶନ ସମୟରେ ୬୨ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୧୧ ଜଣ ଏସିପି, ୬ ଜଣ ଅତିରିକ୍ତ ଡିସିପି, ୧୩ ଜଣ ଇନ୍ସପେକ୍ଟର, ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଟ୍ରାଫିକ ମଧ୍ୟ ଅନେକ ପଦକ୍ଷପ ହାତକୁ ନେଇଛନ୍ତି ।
ଗତ ବୁଧବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେ ସମ୍ପର୍କରେ ନୂଆ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ରହିବା ନେଇ ମତ ଦେଇଛନ୍ତି ।
ଏଥିସହ ଗୃହକାର୍ଯ୍ୟ ସ୍ୱଭାବିକ କରିବା ପାଇଁ ବିରୋଧୀ ଦଳଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଅନୁମତି ଦିଆଯିବା କଥା ମଧ୍ୟ ଆଲୋଚନା ହୋଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଦୌ ରିସ୍କ୍ ନିଆଯିବନି ବୋଲି ବାଚସ୍ପତି କହିଥିଲେ।
କରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଅନୁଷ୍ଠିତ ହେବ। ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ଆସିବା ଦାବି କରିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା କରାଯିବ ତେଣୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଆବଶ୍ୟକ। ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ ଦିନ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଅଧିବେଶନରେ ଓଡ଼ିଶାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇ ପାରିତ ହେବା କଥା ଆଲୋଚନା ହେବ। ଏଥିସହ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ବିଷୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।