ଚାଷ ସମ୍ପର୍କିତ ପ୍ରଶ୍ନରେ ବିଧାନସଭାର କାର୍ଯ୍ୟକାଳ; କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ । ବାଇଗଣ ଓ ବନ୍ଧାକୋବି ଉତ୍ପାଦନରେ ଦ୍ୱିତୀୟ ଓ ଭେଣ୍ଡି, ଟମାଟୋ, ତରଭୁଜ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା

ଚାଷ ସମ୍ପର୍କିତ ପ୍ରଶ୍ନରେ ବିଧାନସଭାର କାର୍ଯ୍ୟକାଳ; କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ

ଚାଷ ସମ୍ପର୍କିତ ପ୍ରଶ୍ନରେ ବିଧାନସଭାର କାର୍ଯ୍ୟକାଳ; କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ

  • Share this:
News 18 Odia Digital

ଭୁବନେଶ୍ୱର;  ରାଜ୍ୟ ଉତ୍ପାଦନ କରୁଥିବା ପନିପରିବା ଓ ସଂରକ୍ଷଣକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଉଭୟ ବିରୋଧୀଦଳ ଓ ଶାଶକ ଦଳ ଏନେଇ ପ୍ରଶ୍ନଉତ୍ତର ରଖିଛନ୍ତି । ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁସାରେ ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି । ବାଇଗଣ ଓ ବନ୍ଧାକୋବି ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଓ ଭେଣ୍ଡି,ଟମାଟୋ, ତରଭୁଜ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ।

ମନ୍ତ୍ରୀ ଆହୁରୀ କହିଛନ୍ତି, ଗତ ୧୦ ବର୍ଷରେ ଆମ୍ବ, କାଜୁ, କଦଳୀ, କମଳା, ଲେମ୍ବୁ, ଲିଚୁ , ଡାଳିମ୍ବ, ନଡ଼ିଆ, ପିଜୁଳି ଭଳି ୩ କୋଟି ୬୪ ଲକ୍ଷ ଚାରା କୃଷକଙ୍କୁ ଯୋଗାଇ ଦିଆଯାଇଛି ।  କୃଷକ ମାନେ ସଠିକ୍ ପରିଚାଳନା କଲେ ହେକ୍ଟର ପିଛା ଅଁଳା ୧୫୬ କ୍ଵିଣ୍ଟାଲ, ପିଜୁଳି ୧୬୬ କ୍ଵିଣ୍ଟାଲ, ପଣସ ୩୧୨ କ୍ଵିଣ୍ଟାଲ, ଆମ୍ବ ୧୨୦ କ୍ଵିଣ୍ଟାଲ ଅମଳ ମିଳିପାରିବ । ଭଲ ଫସଲ ପାଇଁ କୃଷି ଶିଳ୍ପ ନିଗମ ପକ୍ଷରୁ ଆବଶ୍ୟକ ଖତ କିଣାଯାଇ ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଖତ ଯୋଗାଣ ପାଇଁ ୧୩ ଟି ସଂସ୍ଥା ଅନୁମୋଦିତ ହୋଇଛନ୍ତି । ଏଥିରୁ ୫ ଟି ସଂସ୍ଥା ବାହାର ରାଜ୍ୟର । ବର୍ତ୍ତମାନ ଫଳ ଓ ପନିପରିବା ଉତ୍ପାଦନରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ଅନ୍ୟତମ । ମାର୍କେଟିଂ ପାଇଁ କୃଷି ଉତ୍ପାଦନ ସଙ୍ଗଠନ ଗଠନ କରାଯାଇ ବିକ୍ରିବଟା କରାଯାଉଛି । ଏଥିପାଇଁ ୧୨ ଟି କମ୍ପାନୀ଼ ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଫୁଲ ମିଶନ, ପଣସ ମିଶନ ମଧ୍ୟ କରାଯାଇଛି ।

କଂଗ୍ରସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ ପଚାରିଥିଲେ, ଉଦ୍ୟାନ କୃଷି ଓଡ଼ିଶା ରାଜ୍ୟରେ ସଫଳ କି ? ଗତ ୧୦ ବର୍ଷରେ କେତେ ବୃକ୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଲଗାଯାଇଛି । ସେ ଗୁଡିକ କେଉଁ କିସମର, ଫଳ ବିକ୍ରିରୁ କେତେ ମିଳୁଛି । ନିଜ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ କହିଛନ୍ତି କୋରାପୁଟରେ ପନିପରିବା ଫୋପଡ଼ା ଯାଉଛି । ଆନ୍ଧ୍ରକୁ ପରିବା ଯାଉଛି । ବିକ୍ରି ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି କହି ତାରା ସମାଲୋଚନା କରିଛନ୍ତି । ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଷାରୀ କହିଛନ୍ତି, ଥୁଆମୂଲ୍ ରାମପୁର ଓ ଲାଞ୍ଜିଗଡ ରେ ଜମି ଅଛି । ସରକାର ଚାରା ଦେଉଥିଲେ ବି ବାଡ଼ା ଦେବାର ବ୍ୟବସ୍ଥା ନାହି । ତେଣୁ ଲକ୍ଷ ସଫଳ ହେଉନାହିଁ । ଏହି ଅଞ୍ଚଳରେ ଅଧିକ ଆମ୍ବ ହେଉଥିବାରୁ ପ୍ରସେସି ୟୁନିଟ ପ୍ରତିଷ୍ଠା ପାଇ ପ୍ରସ୍ତାବ ଦେଇଛନ୍ତି ।

ବିଭିନ୍ନ ଅଞ୍ଚଳରେ ଶୀତଳ ଭଣ୍ଡାର ନଥିବା ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଉଦବେଗ ପ୍ରକାଶ କରିଛନ୍ତି । ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି । ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନି ପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
Published by:Soubhagya Mishra
First published: