News18 Odia Digital
ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ସ୍ଥିତିର ତୃତୀୟ ପର୍ଯ୍ୟାୟ ଅନୁଧ୍ୟାନ କଲା ଏଏସଆଇର । ପ୍ରଥମେ ଏଏସଆଇ ଡିଜି , ତା ପରେ ଏଡିଜି ଓ ରବିବାର ଏଏସଆଇର ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ । ତେବେ ହାଇକୋର୍ଟରେ ମାମଲା ଥିବାରୁ ଏଏସଆଇର ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଦୀଲ୍ଲିପ ଖମାରୀଙ୍କ ନେତୃତ୍ୱରେ ଆସିଥିବା ଟିମ ଯାଞ୍ଚ କରି ପ୍ରସ୍ତୁତ କରିବ ଯୁଗ୍ମ ରିପୋର୍ଟ ଆଉ କୋର୍ଟରେ ଦାଖଲ କରିବ ସତ୍ୟପାଠ।
ସେପଟେ ମେ ୯ ତାରିଖରେ ହାଇକୋର୍ଟରେ ଶୁଣାଣି ଥିବାରୁ ତାର' ତିନି ଦିନ ପୂର୍ବରୁ ଏଏସଆଇ ଓ ରାଜ୍ୟ ସରକାର ଯୁଗ୍ମ ରିପୋର୍ଟ ଦାଖଲ କରିବେ। ସେ ନେଇ ନୀଳାଦ୍ରି ଭକ୍ତ ନିବାସରେ ଏଏସଆଇର ସ୍ୱତନ୍ତ୍ର ଟିମ ସମୀକ୍ଷା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଠିକସଂସ୍ଥା ଓବିସିସି ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ବୈଠକ ହୋଇଛି। ସେପଟେ କୋର୍ଟରେ ମାମଲା ଥିବାରୁ ସେଭଳି କିଛି ଏଏସଆଇ ପକ୍ଷରୁ କୁହାଯାଇନାହିଁ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣକୁ ନେଇ ଗୋଟିଏ ପଟେ ରାଜନୀତି ଜୋର ଧରିଥିବା ବେଳେ ଅନ୍ୟପଟେ ମାମଲାଟି ହାଇକୋର୍ଟରେ ଥିବାରୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ। ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ କଣ କଣ ନିର୍ମାଣ ହେଉଛି ଓ ଏଥିରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବିପଦ ଅଛି କି ନାହିଁ। ତା'ର ଅନୁଧ୍ୟାନ ରବିବାର କରିଛନ୍ତି ଏଏସଆଇର ପୁର୍ବାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଦୀଲ୍ଲିପ ଖମାରୀ।

ଶ୍ରୀମନ୍ଦିର ପରିକ୍ରମାମାର୍ଗ ପ୍ରକଳ୍ପ ନିର୍ମାଣକୁ ଯାଞ୍ଚ କଲେ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ
ତାଙ୍କ ସହ ଓଡ଼ିଶା ସର୍କଲର ମୁଖ୍ୟ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ଆସିଥିଲେ। ସେପଟେ ୫ଜଣ ବୈଷୟିକ ଯନ୍ତ୍ରୀଙ୍କୁ ନେଇ ଏହି ଟିମ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବର ଟିକିନିଖ ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇ ଡିଜି ଭି. ବିଦ୍ୟାବତୀଙ୍କୁ ପଠାଯାଇଥିବା ଡିଜାଇନ ଅନୁସାରେ କାର୍ଯ୍ୟ କରାଯାଉଛି କି ନାହିଁ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୋର୍ଟରେ ମାମଲା ବିଚାରାଧୀନ ରହିଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଏଏସ୍ଆଇ ଅଧିକାରୀ। ତେବେ ହାଇକୋର୍ଟରେ ମେ ୯ରେ ସତ୍ୟପାଠ ଦାଖଲ ଥିବାରୁ ଏହି ରିପୋର୍ଟ ଏଏସଆଇ ପ୍ରସ୍ତୁତ କରିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଦୀଲ୍ଲିପ ଖମାରୀ।
"ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସଙ୍କ ସହ ୫ ଜଣ ବୈଷୟିକ ଯନ୍ତ୍ରୀ ପ୍ରଥମେ ପଶ୍ଚିମଦ୍ୱାର ପଟେ ନିର୍ମାଣ ହେଉଥିବା ପ୍ରକଳ୍ପର ନିର୍ମାଣକୁ ଅତ୍ୟାଧୁନିକ ମେସିନ ଡିଷ୍ଟୋ ଲେଜର ମିଟରରେ ନର୍ମାଲ ଗ୍ରାଉଣ୍ଡ ଲିଭେଲ ଠାରୁ ନିର୍ମାଣର ଉଚ୍ଚତା, ଘନତା, ନିର୍ମାଣ ହୋଇଥିବା ପିଲାରର ମୋଟେଇ ଆଦି ଯାଞ୍ଚ କରିଛି ଏଏସ୍ଆଇ ବିଶେଷଜ୍ଞ ଟିମ୍। ସହିତ କେତେ ଗଭୀରତାରେ ଖନନ କରାଯାଇଥିଲା ଓ ନିର୍ମାଣ ଗୁଡିକ କେତେ ଉଚ୍ଚତାର ତାହାର ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେପଟେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ ହେବ। ଆଉ ଶ୍ରୀମନ୍ଦିରର କେଉଁ ପଟେ କଣ କାର୍ଯ୍ୟ ହେଉଛି ତା'ର ନକ୍ସା ଅନୁସାରେ ମାପଚୁପ କରିଥିବା ସହ ରିପୋର୍ଟ ପ୍ରସ୍ତୁତ କରୁଛୁ,’’ କହିଛନ୍ତି ଏଏସଆଇର ବୈଷୟିକ ଯନ୍ତ୍ରୀ ତଥା ସୁପରିଟେଣ୍ଡଣ୍ଚ ଚିତରଞ୍ଜନ ଦାସ।
" ଶ୍ରୀମନ୍ଦିର ଚୌହଦୀ ନିର୍ମାଣ ସ୍ଥଳରେ ଯାଞ୍ଚ କଲା ଏଏସ୍ ଆଇ ଟିମ୍। ଏଏସଆଇର ସ୍ୱତନ୍ତ୍ର ଟିମ୍ ନିର୍ମାଣ ସ୍ଥଳରେ ଯାଞ୍ଚ କରିଛନ୍ତି। ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦୀଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ନିର୍ମାଣ ସ୍ଥଳ ଯାଞ୍ଚ କରିବା ସହ ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଅନୁଧ୍ୟାନରେ ସାମିଲ ହୋଇଥିଲେ। ଶ୍ରୀମନ୍ଦିର ଚର୍ତୁପାର୍ଶ୍ବର ଚାଲିଥିବା ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ନିଳାଦ୍ରି ଭକ୍ତ ନୀବାସରେ ଏକ ସ୍ୱତନ୍ତ୍ର ବୈଠକରେ ଜିଲାପାଳଙ୍କ ସହ ଆଲୋଚନା କରିଥିଲା ସ୍ୱତନ୍ତ୍ର ଟିମ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେ ୯ରେ ମାମଲାର ଶୁଣାଣୀ ଥିବାରୁ ତାର ତିନି ଦିନ ପୂର୍ବରୁ ରାଜ୍ୟ ସରକାର ଓ ଏଏସଆଇ ଏକ ଯୁଗ୍ମ ରିପୋର୍ଟ ଦାଖଲ କରିବ। ସେହି ଅଧାରରେ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ, ଠିକାସଂସ୍ଥା ଓବିସିସି ଓ ପୁର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଟାଟା କର୍ମକର୍ତ୍ତା ମଧ୍ୟ ସହଯୋଗ କରିଥିଲେ। ଆଉ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଡିଜାଇନ ଅନୁଯାୟୀ କଣ କାର୍ଯ୍ୟ ହେଉଛି ତାହା ଅବଗତ କରାଯାଇଥିଲା। ସେପଟେ ଗତ ଏପ୍ରିଲ ୬ ତାରିଖରେ ହେରିଟେଜ୍ କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଚିଠି ଲେଖି ଏଏସଆଇକୁ ଅନୁମତି ମାଗିଛନ୍ତି। ଆଉ ପ୍ରକଳ୍ପ ଡିଜାଇନର ନକ୍ସାକୁ ମଧ୍ୟ ସଂଲଗ୍ନ କରି ପଠାଇଛନ୍ତି। ଆଜି ଏଏସଆଇ ଟିମକୁ ସମ୍ପୁର୍ଣ୍ଣ ସହଯୋଗ କରାଯାଇଛି,’’ କହିଛନ୍ତି ଉପଜିଲାପାଳ ଭବତାରଣ ସାହୁ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସଏସଆଇ ଡିଜି ଭି.ବିଦ୍ୟାବତୀଙ୍କୁ ପଠାଇଥିବା ଡିଜାଇନ ଆଧାରରେ କାର୍ଯ୍ୟ ହୋଇଛି କି ନାହିଁ ତର୍ଜମା କରାଯିବା ସହ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ନିୟମ ଓ ଅମସାର ଆକ୍ଟକୁ ଅନୁପାଳନ କରି କାର୍ଯ୍ୟ ହେଉଛି କି ନାହିଁ ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ। ସେପଟେ ଗତ ସପ୍ତାହରେ ଏଏସଆଇ ଏଡିଜି ଆଲୋକ ତ୍ରିପାଠୀ ଆସି ଅନୁଧ୍ୟାନ କରିଥିବା ବେଳେ କୋର୍ଟରେ ମାମଲା ଥିବାରୁ କିଛି କହିନଥିଲେ। ସେପଟେ ପ୍ରକଳ୍ପ କାର୍ଯ୍ୟ କଣ କରାଯାଉଛି ତାର ହୋର୍ଡିଂ ବା ଫଳକ ଗୁଡିକ ପ୍ରତିଟି ନିର୍ମାଣ କାର୍ଯ୍ୟ ନିକଟରେ ଲାଗିଛି। ଆଉ ଏବେ କୋର୍ଟରେ ସଠିକ ତଥ୍ୟ ରଖିବା ପାଇଁ ନିରପେକ୍ଷ ରିପୋର୍ଟ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ଆଇନଜିବୀ ଓ ଶ୍ରୀମନ୍ଦିର ସୁରକ୍ଷା ମଂଚର ଆବାହକ ଶରତ ରାୟଗୁରୁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଏଏସଆଇ ଡିଜି ଭି ବିଦ୍ୟାବତୀ, ତା' ପରେ ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ ଓ ଏବେ ଏଏସଆଇ ପୂର୍ବାଞ୍ଚଳ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଦୀଲ୍ଲିପ ଖମାରୀ ଅନୁଧ୍ୟାନ କରିଛନ୍ତି। ତେବେ ଏସବୁ ଭିତରେ ଏଏସଆଇର ଅମସାର ଆକ୍ଟ ଅନୁଯାୟୀ କାର୍ଯ୍ୟ ହେଉଛି କି ନାହିଁ ସେ ନେଇ କୌଣସି ଜଣେ ହେଲେ ଅଧିକାରୀ ମୁହଁ ଖୋଲୁନାହାଁନ୍ତି। ତେଣୁ ଯଦି ପ୍ରକଳ୍ପ ଠିକ ଅଛି ତାହାଲେ କାହିଁକି ହେଉଛି ରାଜନୀତି। ଏସବୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।