News18 Odia Digital
ଭୁବନେଶ୍ବର: ଓଡ଼ିଶା ପାଇଁ ପ୍ରଧା ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ପ୍ରମାଣ ହେଲା ଆଗରୁ ଦାବି ସତ୍ତ୍ବେ କେନ୍ଦ୍ରରୁ ଅର୍ଥ ମିଳୁ ନ ଥିଲା । କିନ୍ତୁ ଏବେ ରାଜ୍ୟ ଯେତିକି ମାଗୁଛି ତା'ଠାରୁ ଅଧିକ ମିଳୁଛି। ରେଳ ବିଭାଗକୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ୨୦୧୪ରୁ ଏ ପର୍ଯ୍ୟନ୍ତ ବଢ଼ି ଚାଲିଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ବଜେଟରେ ଓଡ଼ିଶାକୁ ୯,୭୩୪ କୋଟି ଟଙ୍କାର ରେକର୍ଡ଼ ସଂଖ୍ୟକ ଅନୁଦାନ ମିଳିଛି। ତେବେ ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ମିଳିତ ଭାବେ ଉଦ୍ୟମ ଦରକାର। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଦିଆ ଯାଇଛି ବିଶେଷ ଗୁରୁତ୍ୱ। କାରଣ ଏହି ଆର୍ଥିକ ବର୍ଷରେ ରେଳବାଇ ପକ୍ଷରୁ ଓଡ଼ିଶା ପାଇଁ ୯,୭୩୪ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଛି। ଏହା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଇପାରେ। କାରଣ ଗୋଟିଏ ସମୟ ଥିଲା, ଉପା ସରକାର ଅମଳରେ ଓଡ଼ିଶା ଦାବି କରୁଥିବା ଅର୍ଥ ତୁଳନାରେ କେନ୍ଦ୍ରୀୟ ଅନୁଦାନ ପରିମାଣ ଥିଲା ବହୁତ କମ୍ । କିନ୍ତୁ ୨୦୧୪ ମସିହାରେ ଏନଡ଼ିଏ ସରକାର କ୍ଷମତାସୀନ ହେବା ପରେ ବଦଳିଗଲା ସମ୍ପୂର୍ଣ୍ଣ ଚିତ୍ର।
ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ, ‘‘୨୦୧୪ରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ପରିମାଣ କ୍ରମାଗତ ଭାବେ ବଢ଼ି ଚାଲିଛି। ସ୍ପଷ୍ଟ ଭାବରେ କହିଲେ ସାମଗ୍ରୀକ ଅନୁଦାନ ମିଶିଲେ ଏଥର କେନ୍ଦ୍ର ବଜେଟରେ ରେଳବାଇ ପକ୍ଷରୁ ଓଡ଼ିଶାକୁ ମିଳିଛି ୧୦ ହଜାର କୋଟିରୁ ଅଧିକ ଅନୁଦାନ। ତେବେ କେତେକ ସ୍ଥାନରେ ଏନେଇ ବାଧକ ସାଜିଛି ଜମି ଅଧିଗହଣ ଓ ଜଙ୍ଗଲ ବିଭାଗର ଅନୁମତି। ଏକ୍ଷେତ୍ରରେ ଇଗୋ ନ ରଖି ସମସ୍ତେ ମିଳିତ ଭାବେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟକରିବା ଆବଶ୍ୟକ। ଯଦି ଦରକାର ପଡ଼େ ରେଳର ବିକାଶ ପାଇଁ ବାଧକ ସାଜିଥିବା କାରଣର ସମାଧାନ ପାଇଁ ବିଭାଗୀୟ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ମୁଁ ପ୍ରସ୍ତୁତ ଅଛି।’’
ସାରା ଦେଶରେ ରେଳର ଅଗ୍ରଗତି ପାଇଁ ନିରନ୍ତର ଉଦ୍ୟମ ଚାଲିଥିବା ବେଳେ ଏଥର ରେଳ ବଜେଟରେ ଷ୍ଟେସନ ଅପଗ୍ରେଡ଼େସନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ୧୨ଟି ଷ୍ଟେସନର ଅପଗ୍ରେଡ଼େରେସନ ଓ ଆଧୁନିକୀକରଣ କାମ ଚାଲୁ ରହିଛି। ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଶେଷ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ଥାନରେ ନୂଆ ରେଳଲାଇନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ମୟୁରଭଞ୍ଜରେ ତିନୋଟି ନୂଆ ରେଳ ଲାଇନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିଭଳି ଟେଲିକମ କ୍ଷେତ୍ରରେ ୩,୯୩୩ ସାଇଟକୁ ଟେଲିକମ ସୁବିଧା ପହଞ୍ଚାଇବା ପାଇଁ ଚିହ୍ନଟ ହୋଇଥିବା ବେଳେ ଯେଭଳି ଗୋଟିଏ ବି ଗାଁ ବାଦ ନ ପଡ଼େ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଧାନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ଉପରେ ଉପା ସରକାର ଅମଳରେ ବିଏସଏନଏଲ ଦେବାଳିଆରେ ପରିଣତ ହୋଇଥିବା ବେଳେ ତାକୁ ଲାଭଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ମୋଦି ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ରେଳ ସହିତ ଟେଲିକମ୍ ବିଭାଗ ଦାୟିତ୍ବରେ ଥିବା ଅଶ୍ବିନୀ ବୈଷ୍ଣବ।
ତେବେ ରେଳ ବିଭାଗରେ ନିୟମିତ ଭାବେ ଓଡ଼ିଶା ଅବହେଳିତ ହେଉଛି ବୋଲି ଦୋହରାଇଛି ବିଜେଡ଼ି। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ଶଶିଭୂଷଣ ବେହେରା କହିଛନ୍ତି, ‘‘ଏବେ ବି ରେଳବାଇ କ୍ଷେତ୍ରରେ ଓଡ଼ିଶା ଉପେକ୍ଷିତ। ରେଳବାଇ କ୍ଷେତ୍ରରେ ଓଡ଼ିଶା ବର୍ଷକୁ ୧୯ ହଜାର କୋଟିରୁ ଅଧିକ ଅର୍ଥ ରାଜସ୍ୱ ଦେଉଛି। କିନ୍ତୁ ସେ ଅନୁସାରେ ଓଡ଼ିଶା ଉପେକ୍ଷିତ। ନୂଆ ଡିଭିଜନ ପାଇଁ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଛି। ଏବେ ବି ରାଜ୍ୟର କିଛି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିନାହିଁ। ତେଣୁ ଓଡ଼ିଶାର ଦାବି ରାଜସ୍ୱ ଅନୁପାତରେ ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ମିଳିବା ଜରୁରୀ।
ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଚାଷୀ ଓ ଗରୀବ ପରିବାରକୁ ଜଳଯୋଗାଣ, ରୋଜଗାର ସୁଯୋଗ ସୃଷ୍ଟି ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଚାଷୀଙ୍କ ଟଙ୍କା ଯେଭଳି ସିଧା ସେମାନଙ୍କ ଆକାଉଣ୍ଟକୁ ଯିବ ସେ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ପାଇଁ ସ୍ୱତନ୍ତ୍ର କ୍ୟାପିଟାଲ ଏକ୍ସପେଣ୍ଡିଚରର ବ୍ୟବସ୍ଥା ହୋଇଛି। ଖଣି କ୍ଷେତ୍ରରେ ସଂସ୍କାର ଅଣାଯିବା କାରଣରୁ ପ୍ରତ୍ୟେକ ଜିଲାରେ ବ୍ୟୟବରାଦ ଅର୍ଥ ସଞ୍ଚୟ ହୋଇ ରହିଛି। ତେବେ ଓଡ଼ିଶାରେ ରେଳ ଓ ଟେଲିକମ ବିଭାଗର ଉନ୍ନତି ପାଇଁ ମିଳିତ ଉଦ୍ୟମ ଦରକାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।