News18 Odia Digital
କଟକ: ଆଠଗଡ ବନ ବିଭାଗ ହେଫାଜତରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମୃତ ଧନେଶ୍ବର ବେହେରାଙ୍କ ମୃତ ଦେହର ବିଭିନ୍ନ ସ୍ଥାନରେ ମାଡ ଦାଗ ଥିବା ଜଣା ପଡିଛି । ପୋଷ୍ଟ ମର୍ଟମ ପୂର୍ବରୁ ହୋଇଥିବା ଧନେଶ୍ବର ବେହେରାଙ୍କ ଦେହରେ ଥିବା ଏହି ଦାଗ ଗୁଡ଼ିକୁ ଚିହ୍ନଟ କରିଛି ପୋଲିସ। ଫଳରେ ତାଙ୍କ ମୃତ୍ୟୁ ମାଡ ମରାଯିବାରୁ ହୋଇଥିବା କୁହାଯାଉଛି।
"ଧନେଶ୍ବର ବେହେରାଙ୍କ ଦେହର ବିଭିନ୍ନ ସ୍ଥାନ ବିଶେଷ କରି ତାଙ୍କ ହାତ, ଗୋଡ, ପିଠି ଓ ଜଙ୍ଘରେ ମାଡ ଦାଗ ବା ନୋଳା ଫାଟିବା ଭଳି ଜଣା ପଡିଛି । ବାସ୍ତବିକ ଏହି ଦାଗ ଗୁଡ଼ିକ ମାଡ ଦାଗ ବା ନାହିଁ ତାହା ପୋଷ୍ଟମଟମ ରିପୋର୍ଟ ଆସିବା ପରେ ହିଁ ଜଣା ପଡ଼ିବ । ତାଙ୍କର ଡ଼ାହଣ ଗୋଡ ଭାଙ୍ଗିଥିବା କଥା ଯାହା କୁହାଯାଉଛି ତାହା ମଧ୍ୟ ପୋଷ୍ଟ ମର୍ଟମ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ । ଏହି ଘଟଣାରେ ଆମେ ମୋଟ ୧୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛୁ । ଯାହା ବିରୁଦ୍ଧରେ ପ୍ରମାଣ ମିଳିବ ସେ ଯେ କେହି ବି ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ" କହିଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ।

ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କ ଏତାଲା ଆଧାରରେ ଆଠଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଏବଂ ଏହା ଏକ ହାଜତ ମୃତ୍ୟୁ ହୋଇଥିବାରୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶନାମା ମୁତାବକ ମାମଲାର ତଦନ୍ତ ହେଉଥିବା ବେଳେ ମୃତ ଦେହର ପୋଷ୍ଟ ମର୍ଟମ ମଧ୍ୟ ନିର୍ଦ୍ଦେଶନାମା ମୁତାବକ କରାଯାଇଛି । ଏହା ପରେ ଧନେଶ୍ବରଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଦିଆଯାଇଛି ।
ରବିବାର ରାତିରୁ ଆଠଗଡ଼ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ଥିବା ବଡମ୍ବା ଥାନା ଅନ୍ତଗତ ସାତ ଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରାଙ୍କ ମୃତ୍ୟୁ ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଉତ୍ୟକ୍ତ ଲୋକେ ବଡ଼ବାରସିଂ ଓ ଧୋବଣୀ ନାଳ ଛକ ଠାରେ କଟକ ନରସିଂହପୁର ୬୫ ନଂ ରାଜ୍ୟପଥକୁ ଅବରୋଧ କରିଥିଲେ । ଏଥିରେ ମଧ୍ୟ ଲୋକଙ୍କ ଆକ୍ରୋଶ ଶାନ୍ତ ପଡ଼ିନଥିଲା । ଉତ୍ୟକ୍ତ ଲୋକେ ବଡମ୍ବା ରେଞ୍ଜ ବାଣପୁର ଫରେଷ୍ଟ ବିଟ ହାଉସରେ ପଶି ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ମଧ୍ୟ ଲଗାଇ ଯାଇଥିଲେ । ଖବର ପାଇ ପୋଲିସ ଓ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୁରଣ ଦେବା ପାଇଁ ପ୍ରତିଶୃତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ।

ବିଡ ହାଉସକୁ ଭଙ୍ଗାରୁଜା ପରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ
ମିଳିଥିବା ସୂଚନା ଅନୁଯାଇ ଗତ ମାସ ୩୦ ତାରିଖ ଦିନ ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅନ୍ତର୍ଗତ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିଲା । ବନ ବିଭାଗ ଏହି ମାମଲା ତଦନ୍ତ ମଧ୍ୟ କରୁଥିଲା । ତଦନ୍ତ ସମୟରେ ହାତୀ ମୃତ୍ୟୁ ଘଟଣାରେ ସାତଗୋଛିଆ ଗାଁର ଧନେଶ୍ବର ବେହେରାଙ୍କ ସମ୍ପୃକ୍ତି ସନ୍ଦେହ କରି ବନ ବିଭାଗର କର୍ମଚାରୀମାନେ ଧନେଶ୍ବରଙ୍କୁ ନିଜ ହେଫାଜତକୁ ନେଇ ପଚରା ଉଚରା କରୁଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଧନେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ବନବିଭାଗର କର୍ମଚାରୀମାନେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।