News18 Odia Digital
ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ ରାଜଧାନୀର ଏକ ଘରୋଇ କଲେଜର ଏମ.ସି.ଏ ପ୍ରଥମ ବର୍ଷର ଛାତ୍ରୀ ଆଶ୍ରିତା ସେନାପତି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣା ପଡିନି ।
ତାଙ୍କ ଘର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳରେ ହୋଇଥିବା ବେଳେ ସେ ଆଚାର୍ଯ୍ୟବିହାରରେ ଭଡ଼ାରେ ରୁହନ୍ତି। ସୋମବାର ସନ୍ଧ୍ୟାରୁ ତାଙ୍କ ମୋବାଇଲ ସୁଇଚଅଫ ଥିବା ବେଳେ ମଙ୍ଗଳବାର ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ସହିଦନଗର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।
ପୋଲିସ ର ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ଼ ନୋଟ ମିଳିଛି । ଯେଉଁଥିରେ ଲେଖା ଯାଇଛି, "ବାପା ମା ମୋତେ କ୍ଷମା କରିଦେବେ । ମୋତେ ଆପଣ ମାନେ ବହୁତ କଷ୍ଟକରି ପାଠ ପଢେଇଛନ୍ତି । ମୁଁ ତୁମ ମାନଙ୍କ ଠାରୁ ବହୁତ ଦୂରକୁ ଯାଉଛି । ହେଲେ ସବୁବେଳେ ପାଇଁ ତୁମ ମାନଙ୍କ ପାଖରେ ରହିଥିବି । ତୁମେ ମାନେ ମୋ ଉପରେ ବହୁତ ଆଶା ରଖିଥିଲ । ହେଲେ ସେ ଆଶାକୁ ମୁଁ ପୁରଣ କରିପାରୁନି । ମୁଁ ଆଉ ପାରୁନି । ମୋତେ କ୍ଷମା କରିଦେବେ"। ପୋଲିସ ଜବତ ସୁଇସାଇଡ଼ ନୋଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଛାତ୍ରୀ ରହୁଥିବା ଘର ମାଲିକ ବ୍ରଜେନ୍ଦୁ ମିଶ୍ର କହିଛନ୍ତି," ଆଶ୍ରିତା ବାପା ତାଙ୍କ ଝିଅକୁ ଫୋନ କରିଥିଲେ। ସେ ଫୋନ କଲ ରସିଭ ନ କରିବାରୁ ମଙ୍ଗଳବାର ଦିନ ୧୦ ଟା ସମୟରେ ଝିଅର ବାପା ମୋତେ ଫୋନ କରି ଝିଅ ଫୋନ ଉଠାଉନଥିବା କହିଥିଲେ । ମୁଁ ତାଙ୍କ ରୁମକୁ ଯିବାପରେ ଦେଖିଲେ ଭିତରୁ ଲକ ଅଛି। ଏନେଇ ତାଙ୍କ ବାପାଙ୍କୁ କହିବା ପରେ ତାଙ୍କ ପରିବାର ଲୋକେ ଆସି ପହଞ୍ଚିଥିଲେ । ପରେ ଘରର କବାଟ ଭାଙ୍ଗି ଭିତରକୁ ପଶି ବା ଝିଅର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଆଶ୍ରିତା ୪/୫ ମାସ ହେବ ଘର ଭଡା ନେଇ ରହୁଥିଲେ" ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।