ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢୁଥିବାରୁ ଟ୍ରକ ଭଡ଼ା ବଢ଼େଇବ ବୋଲି କହିଲା ରାଜ୍ୟ ଟ୍ରକ ମାଲିକ ସଙ୍ଘ

ବିଶ୍ୱ ବଜାରରେ ଅଶୋଧିତ ତୈଳର ଦାମ୍ ବଢ଼ି ନ ଥିବା ବେଳେ କୋଭିଡ଼ ମହାମାରୀ ସମୟରେ ଗତ ମାସକ ଭିତରେ ପେଟ୍ରୋଲ ଦାମ ଲିଟର ପିଛା ପ୍ରାୟ ୯ ଟଙ୍କା ଓ ଡ଼ିଜେଲ ଦାମ ପ୍ରାୟ ୧୧ ଟଙ୍କା ବଢିଲାଣି । ଟ୍ରକ୍ ଭଡ଼ା ବଢ଼ିଲେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବ ।

ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢୁଥିବାରୁ ଟ୍ରକ ଭଡ଼ା ବଢ଼େଇବ ବୋଲି କହିଲା ରାଜ୍ୟ ଟ୍ରକ ମାଲିକ ସଙ୍ଘ
ବାରମ୍ବାର ତୈଳ ଦର ବୃଦ୍ଧି ପାଉଥିବାରୁ ଏ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛି ନିଖିଳ ଓଡ଼ିଶା ଟ୍ରକ ମାଲିକ ସଙ୍ଘ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଡରେଇଲାଣି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି । ସାଧାରଣ ଖାଉଟି ତ ହତାଶ, ତା’ ସାଙ୍ଗକୁ ମହଙ୍ଗା ମାଡ଼ର ଭୟ ସୃଷ୍ଟି ହେଲାଣି। ବିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଆଶଙ୍କାରେ ଆତଙ୍କିତ ଖୁଚୁରା ବ୍ୟବସାୟୀ। କ୍ରମାଗତଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଆଶଙ୍କାରେ ବ୍ୟବସାୟୀ ମହାସଙ୍ଘ ମଧ୍ୟ  ଚିନ୍ତିତ। ବଡ଼ କଥା ହେଲା ଗତ ୨୦ ଦିନ ଭିତରେ ଡିଜେଲ ଦାମ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବାରୁ ପରିବହନ ଭଡ଼ା ବଢ଼ାଇବା ପାଇଁ ଚେତାଇ ଦେଇଛି ନିଖିଳ ଓଡ଼ିଶା ଟ୍ରକ ଚାଳକ ମହାସଙ୍ଘ ।

ଗତ ମାସକ ଭିତରେ ପେଟ୍ରୋଲ ଦାମ ଲିଟର ପିଛା ପ୍ରାୟ ୯ ଟଙ୍କା ଓ ଡ଼ିଜେଲ ଦାମ ପ୍ରାୟ ୧୧ ଟଙ୍କା  ବଢିଲାଣି। ଏହି ସମସ୍ୟା ଆଗକୁ ଜଟିଳ ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଏ ନେଇ ଆତଙ୍କିତ ହେଲେଣି ଉଭୟ ପାଇକାରୀ ଓ ଖୁଚୁରା ବ୍ୟବସାୟୀ। ରାଜ୍ୟ ବ୍ୟବସାୟୀ ମହାସଙ୍ଘ ଆଶଙ୍କା କରିଛି ଯେ ଯେଉଁ ହାରରେ  ତୈଳ ଦର ବାରମ୍ବାର ବୃଦ୍ଧି ପାଉଛି ତା’ର ସିଧା ପ୍ରଭାବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ପଡ଼ିବ। ଏହା ଦ୍ବାରା ଅଧିକ ପ୍ରଭାବିତ ହେବେ ଖାଉଟିମାନେ ।

ଖୁଚରା ବ୍ୟବସାୟୀଙ୍କ ମତରେ କରୋନା ମାଡ଼ ସମୟରେ ତୈଳ ଦର ବୃଦ୍ଧି କାରଣରୁ ବିଭିନ୍ନ ପ୍ରକାର ସାମଗ୍ରୀର ଅହେତୁକ ଦାମ ବୃଦ୍ଧି ପାଇବ, ଯାହା ଉଭୟ ଖାଉଟି ଓ ଖୁଚରା ବ୍ୟବସାୟୀଙ୍କୁ ପ୍ରଭାବିତ କରିବ।

‘‘ହୁଏତ ତୈଳ ଦର ବୃଦ୍ଧି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲାଗି ଆବଶ୍ୟକ ହୋଇପାରେ, କିନ୍ତୁ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ବିଶେଷ ଭାବରେ ପ୍ରଭାବିତ ହେବ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ୍‌ । କୋଭିଡ଼ ସମୟରେ ତୈଳ ଦର ବୃଦ୍ଧି ବିଷୟକୁ ଉଭୟ ସରକାର ଚିନ୍ତା କରିବା ଦରକାର,’’ କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା।

ଗୋଟିଏ ଲିଟର ଡ଼ିଜେଲ ଉପରେ କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଟିକସ ନେଉଛନ୍ତି ।


ବ୍ୟବସାୟୀ ଦେବାଶିଷ ତ୍ରିପାଠୀ କହିଛନ୍ତି, ‘‘ଅହେତୁକ ଭାବେ ତେଲ ଦାମ ବଢ଼ାଇବା ଠିକ ନୁହେଁ। କୋଭିଡ଼ ମହାମାରୀ ସମୟରେ ଯେତେବେଳେ ଜୀବନ ଓ ଜୀବିକା ପାଇଁ ସଙ୍ଘର୍ଷ ଚାଲିଛି, ଏ ଭଳି ସମୟରେ ତେଲ ଦର ବୃଦ୍ଧି ମହଙ୍ଗା ମାଡ଼କୁ ସ୍ୱାଗତ କରୁଛି। ଏହାର ଖୁବ ନକରାତ୍ମକ ପ୍ରଭାବ ପଡ଼ିବ। ସରକାର ଏହାକୁ ପୁଣି ଥରେ ବିଚାର କରିବା ଜରୁରୀ। "

ବାରମ୍ବାର ତୈଳ ଦର ବୃଦ୍ଧି ପାଉଥିବାରୁ ଏ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛି ନିଖିଳ ଓଡ଼ିଶା ଟ୍ରକ ମାଲିକ ସଙ୍ଘ। ‘‘ତୈଳ ଦରର ଦୁଇ ତୃତୀୟାଂଶ  ଟିକସ ଆକାରରେ ଆଦାୟ ହେଉଛି । ଗୋଟିଏ ଲିଟର ପେଟ୍ରୋଲ ଓ ଡ଼ିଜେଲ ଉପରେ କେନ୍ଦ୍ର ସରକାର ଯଥା କ୍ରମେ ୩୨ ଟଙ୍କା ୯୮ ପଇସା ଓ ୩୧ ଟଙ୍କା  ୮୩ ପଇସା ଟିକସ ନେଉଥିବା ବେଳେ ରାଜ୍ୟ ସରକାର ଯଥା କ୍ରମେ ୧୭ ଟଙ୍କା ୭୧ ପଇସା ଓ ୧୭ ଟଙ୍କା ୬୦ ପଇସା ଟିକସ ନେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା କୋଭିଡ଼ ଲାଗି ଦେଶର ବିଗୁଡୁଥିବା ଅର୍ଥନୀତିକୁ ସୁଧାରିବା ଲାଗି ଏହା ସରକାରୀ ପ୍ରୟାସ କୁହାଯାଉଥିଲେ ମଧ୍ୟ ଏହାର ବାସ୍ତବତା ଅଲଗା । ଆଗକୁ ସ୍ଥିତି ବିଗିଡ଼ିପାରେ । କୌଣସି ପରିସ୍ଥିତିରେ ବି ଡିଜେଲ ଦର ବୃଦ୍ଧି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ଏହି ପରିପ୍ରେକ୍ଷୀରେ ଏବେ ପରିବହନ ଭଡ଼ା ବୃଦ୍ଧି କରିବାକୁ ସଙ୍ଘ ବାଧ୍ୟ ହେବ.’’ କହିଛନ୍ତି ନିଖିଳ ଓଡ଼ିଶା ଟ୍ରକ ମାଲିକ ସଙ୍ଘର ସଭାପତି ରବି ଶତପଥୀ ।

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରର ବୃଦ୍ଧି ହୋଇ ନ ଥିବା ବେଳେ କୋଭିଡ଼ ମହାମାରୀ ସମୟରେ ତୈଳର ଏ ଭଳି ଦର ବୃଦ୍ଧିକୁ ଅନେକ ନାପସନ୍ଦ କରିଛନ୍ତି ।
First published: June 27, 2020, 6:39 PM IST
corona virus btn
corona virus btn
Loading