କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟରେ ଯୋଗ ଦେଲେ ଅରୁଣ ବୋଥ୍ରା

କ୍ରାଇମବ୍ରାଞ୍ଚ ଆଇ.ଜି ଭାବେ ଦୀର୍ଘ ଦିନ ଧରି ସଫଳତାର ସହ କାର୍ଯ୍ୟ କରିଥିବା ୧୯୯୬ ମସିହା ବ୍ୟାଚର ଏହି IPS ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଏହାର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟରେ ଯୋଗ ଦେଲେ ଅରୁଣ ବୋଥ୍ରା

କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟରେ ଯୋଗ ଦେଲେ ଅରୁଣ ବୋଥ୍ରା

  • Share this:
News18 Odia Digital

କଟକ: ଓଡ଼ିଶାର ସର୍ଵ ବୃହତ ତଦନ୍ତକାରୀ ସଂସ୍ଥା ଭାବେ ପରିଚିତ କ୍ରାଇମବ୍ରାଞ୍ଚର ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ବୋଥ୍ରା । ପୂର୍ବରୁ କ୍ରାଇମବ୍ରାଞ୍ଚ ଆଇ.ଜି ଭାବେ ଦୀର୍ଘ ଦିନ ଧରି ସଫଳତାର ସହ କାର୍ଯ୍ୟ କରିଥିବା ୧୯୯୬ ମସିହା ବ୍ୟାଚର ଏହି IPS ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଏହାର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର  ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅରୁଣ ବୋଥ୍ରା କହିଛନ୍ତି," କ୍ରାଇମବ୍ରାଞ୍ଚ ମୋ ପାଇଁ ନୁଆ ନୁହେଁ । ଦୀର୍ଘ ଦିନ ଧରି ମୁଁ ଏଠାରେ କାମ କରିଛି। ରାଜ୍ୟରେ ଅପରାଧର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ତଦନ୍ତ ସମୟରେ ବୈଷୟିକ ଜ୍ଞାନ କୌଶଳ ଉପରେ ବିଶେଷ ଧ୍ୟାନ ଦିଆଯିବ। କେବଳ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଉଥିବା କେସ ନୁହେଁ ବରଂ ସାମଗ୍ରିକ ଭାବରେ ରାଜ୍ୟର ଅପରାଧକୁ ନିୟନ୍ତ୍ରଣ କରିବା ମଧ୍ୟ କ୍ରାଇମବ୍ରାଞ୍ଚର ଲକ୍ଷ ହେବା ଉଚିତ। ଏହା ସହିତ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ତଦନ୍ତ ଶେଷ କରିବାକୁ ଚେଷ୍ଟା କରାଯିବ"।

ପୂର୍ବରୁ ବହୁ ଚର୍ଚ୍ଚିତ ମାମଲାର ତଦନ୍ତ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହି ଟପ୍ କପ୍ । ୨୦୧୫ ମସିହାରେ ଅସ୍ତରଙ୍ଗରେ ଘଟିଥିବା ବହୁଚର୍ଚ୍ଚିତ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ବାଂଲାଦେଶ ବର୍ଡ଼ରରୁ ଧରିବା,  କିମ୍ବା ସୁର, ସାରଥୀ ଭଳି ମାମଲାର ସଫଳ ତଦନ୍ତ, ବିଶେଷ କରି ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଓ ନୟାଗଡ଼ ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ବି ଅରୁଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ।

ସାମ୍ପ୍ରତିକ ପରିସ୍ଥିତି ବୃଦ୍ଧି ପାଉଥିବା ସାଇବର ମାମଲା ସମସ୍ତ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର ମୁକାବିଲା ଏବେ କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ଚାଲେଞ୍ଜ ଭଳି ହୋଇଛି। ବିଶେଷ କରି ବିଗତ କିଛି ମାସ ମଧ୍ୟରେ ଏମିତି ଏନେକ ଚର୍ଚ୍ଚିତ ମାମଲା କ୍ରାଇମବ୍ରାଞ୍ଚର ତଦନ୍ତ ପରିସରଭୁକ୍ତ ହୋଇଛି ଯାହାର ତଦନ୍ତ ଏବେ ଅଧା ପନ୍ତରିଆ ଭାବେ ପଡ଼ିରହିଛି । ସେଥିମଧ୍ୟରେ ରହିଛି ଡିଆରଡିଓ ତଥ୍ୟ ଲିକ ମାମଲା, କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ଓ ସିମ କାର୍ଡ଼ ଜାଲିଆତି ମାମଲା ଇତ୍ୟାଦି।
Published by:Soumya Das
First published: