News18 Odia Digital
ବାଲେଶ୍ୱର: ଓଡ଼ିଶା କାର୍ଟୁନ ଏକାଡେମୀ ତରଫରୁ ବିଶ୍ବ ବ୍ୟଙ୍ଗଚିତ୍ରକର ଦିବସ ଅବସରେ ଓଡ଼ିଶାର ପ୍ରମୁଖ ୧୬ ଜଣ ବ୍ୟଙ୍ଗଚିତ୍ରକରଙ୍କର ୮ଟି କରି ମୋଟ ପ୍ରାୟ ୧୨୨ ଟି ଚର୍ଚ୍ଚିତ ଓ ତୀର୍ଯ୍ୟକ ବ୍ୟଙ୍ଗଚିତ୍ର ଭୁବନେଶ୍ୱରସ୍ଥ ଜୟଦେବ ଭବନର ପ୍ରଦର୍ଶନୀ ହଲରେ ପ୍ରଦର୍ଶିତ ହୋଇଛି । ଏଥିରେ ପ୍ରଦର୍ଶିତ ହୋଇଥିବା ଶିଳ୍ପୀ କେଶୁଦାସଙ୍କ ଓଡ଼ିଶାର ଦୀର୍ଘତମ ଭାରତ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ କାର୍ଟୁନ ବ୍ୟାନର ଓ ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ କାର୍ଟୁନ ବ୍ୟାନର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।
"ଭାରତ ସ୍ବାଧୀନତାର ଅମୃତ ମହୋତ୍ସବର ୧୫x ୩ ଲମ୍ବର ଦୀର୍ଘ ବ୍ୟାନରରେ ୧୧୬ ଜଣ ବ୍ୟକ୍ତିଙ୍କର ବ୍ୟଙ୍ଗଚିତ୍ର ରହିଛି । ଗୋଟିଏ ବ୍ୟଙ୍ଗଚିତ୍ରକୁ ସ୍କେଚ କରିବା ପାଇଁ ୫/୬ ମିନିଟ ଲାଗିଛି ଓ ରଙ୍ଗ ଭରିବାକୁ ମଧ୍ୟ ୫/୬ ମିନିଟ । ପ୍ରାୟ ୧୨୦୦ ମିନିଟ ଲଗିଥିବା ବେଳେ ଶେଷ ସ୍ପର୍ଶ ଦେବାକୁ ୪ ଘଣ୍ଟା ଲାଗିଛି । ସର୍ବମୋଟ ୨୪ ଘଣ୍ଟାବା ଗୋଟିଏ ଦିନ ଲାଗିଛି । ଦିନକୁ ପ୍ରାୟ ଦୁଇ ଘଣ୍ଟା କରି ମୋଟ ୧୨ ଦିନ ସମୟ ଲାଗିଛି । ଏହି ୧୨ ଦିନ କ୍ରମାଗତ ନୁହଁ । ପ୍ରାୟ ୩ ମାସ ମଧ୍ୟରେ ସଂପୂର୍ଣ୍ଣ କାମଟି ଶେଷ କରିବାକୁ ଲାଗିଲା । ମୋଟ ଖର୍ଚ୍ଚ ୫,୦୦୦/ ଟଙ୍କା ହୋଇଛି,"କହିଛନ୍ତି ଶିଳ୍ପୀ କେଶୁ ଦାସ।
ଏହାର ମୂଲ୍ୟ ୨,୦୦,୦୦୦/- ରୁ ଊର୍ଦ୍ଧ୍ଵ।ସେହିପରି ୨୫ ବର୍ଷ ତଳେ ଭାରତ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ କାର୍ଟୁନ ବ୍ୟାନାରଟି ୩୦x ୩ ଫୁଟ ଲମ୍ବ ହୋଇଥିବା ବେଳେ ଭାରତର ୧୪୦ ଜଣ ଚର୍ଚ୍ଚିତ ଦିଗ୍ୟଜ ବ୍ୟକ୍ତିଙ୍କ ବ୍ୟଙ୍ଗଚିତ୍ର ରହିଛି । ଏସବୁ ମୁଖ୍ୟତଃ ରେଖାଚିତ୍ରରେ ବ୍ୟଙ୍ଗଚିତ୍ର ।
କାର୍ଟୁନ୍ ହେଉଛି ସୃଜନାତ୍ମକ କଳାର ଏକ ବିଭବ। ଜଣେ ପାଠକ ଖବରକାଗଜ ପଢ଼ିବା ପୂର୍ବରୁ ପ୍ରଥମେ କାର୍ଟୁନ୍ ଉପରେ ନିଜର ଦୃଷ୍ଟିକୁ କେନ୍ଦ୍ରୀଭୂତ କରିଥାଏ। କାରଣ କାର୍ଟୁନ୍ ସବୁବେଳେ ଶାଣିତ ଖଡ୍ଗରେ ଏକ ସୂକ୍ଷ୍ମ ଆଘାତ ସଦୃଶ ହୋଇଥାଏ। ତେଣୁ ଗୋଟିଏ ଖବର ଯେତିକି ଗୁରୁତ୍ବ ବହନ କରିଥାଏ, ତା’ ଠାରୁ ଢ଼େର ଗୁଣ ଅଧିକ ଗୋଟିଏ କାର୍ଟୁନ୍ର ଗୁରୁତ୍ବ ରହିଥାଏ,"କହିଛନ୍ତି ମୁଖ୍ୟ ଅତିଥି ଅସିତ ତ୍ରିପାଠୀ।
ସେହିପରି ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ ଓ ସମ୍ମାନିତ ଅତିଥି ଭାବେ ‘ଧରିତ୍ରୀ’ର ବାର୍ତ୍ତା ସହ-ସମ୍ପାଦକ ଜିତେନ୍ଦ୍ର ନାୟକ, ବରିଷ୍ଠ କାର୍ଟୁନିଷ୍ଟ ସୁଧାଂଶୁ ଦେଓ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ବିଶିଷ୍ଟ କାର୍ଟୁନିଷ୍ଟ କେ.କେ ରଥ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବରିଷ୍ଠ କାର୍ଟୁନିଷ୍ଟ ଦିବଂଗତ କିଶୋର ରଥଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହିଭଳି ଉପସ୍ଥିତ କାର୍ଟୁନିଷ୍ଟ୍ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ର କାର୍ଟୁନିଷ୍ଟ ଦେବାଶିଷ ସିଂହ ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଦେଇଥିଲେ।
ଦ୍ବିତୀୟ ଦିବସ ପୂର୍ବାହ୍ନରେ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କାର୍ଟୁନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଭୁବନେଶ୍ୱରସ୍ଥ ଵିକେ ଆର୍ଟ କଲେଜ, ଧଉଳି ଆର୍ଟ କଲେଜ ଓ କଳିଙ୍ଗ ଆର୍ଟ କଲେଜର ମୋଟ ୭୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।