ଚ଼କ୍ ଖଡି଼ରେ ଖୋଦେଇ କରି ଫକୀରମୋହନଙ୍କ ଅବିକଳ ପ୍ରତିକୃତି ଗଢ଼ିଛନ୍ତି ଏହି ଶିଳ୍ପୀ; ସମସ୍ତେ ଚ଼କିତ

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନୟ’ ବୋଲି କହିଥିବା ବଙ୍ଗାଳୀ କାନ୍ତିଲାଲ ଭଟ୍ଟାଚ଼ାର୍ଯ୍ୟଙ୍କ ଚ଼କ୍ରାନ୍ତକୁ ପଣ୍ଡ କରି ଫକୀରମୋହନ ସେନାପତି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଥିଲେ ବୋଲି ତାଙ୍କ ପ୍ରତିକୃତି ବନେଇ ତାଙ୍କୁ ଅନନ୍ୟ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଶିଳ୍ପୀ ସଞ୍ଜୟ ରାଉଳ ।

ଚ଼କ୍ ଖଡି଼ରେ ଖୋଦେଇ କରି ଫକୀରମୋହନଙ୍କ ଅବିକଳ ପ୍ରତିକୃତି ଗଢ଼ିଛନ୍ତି ଏହି ଶିଳ୍ପୀ; ସମସ୍ତେ ଚ଼କିତ
ଚକ୍‌ ଖଡ଼ିରେ ଖୋଦେେଇ କରି ଫକୀରମୋହନଙ୍କ ପ୍ରତିକୃତି ବନାଉଛନ୍ତି ସଞ୍ଜୟ ରାଉଳ ।
  • News18 Odia
  • Last Updated: January 15, 2020, 7:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଆଜି ମକର ସଂକ୍ରାନ୍ତି ଦିନ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଥିବା ଯୋଗୁଁ ଓଡ଼ିଆ ସାହିତ୍ୟର ଏହି ମହାନ ସ୍ରଷ୍ଟାଙ୍କ ସ୍ମୃତିରେ ଏକ ଅନନ୍ୟ ଭେଟି ପ୍ରଦାନ କରିଛନ୍ତି  ବାଲେଶ୍ୱରର ପ୍ରତିଭାବାନ ତରୁଣ ଚିତ୍ର ଶିଳ୍ପୀ ସଞ୍ଜୟ ରାଉଳ । ଚକ୍‌ ଖଡି ଦେହରେ କାରଭିନ୍‌ ଦ୍ୱାରା ଖୋଦେଇ କରି ଫକୀରମୋହନଙ୍କ ଅବିକଳ ପ୍ରତିକୃତି ସେ ଗଢ଼ିଛନ୍ତି ।

ଏତେ ଛୋଟ ଚକ୍‌ ଖଡି ଦେହରେ କଥା ସମ୍ରାଟ ଫକୀରମୋହନଙ୍କ ଏମିତି ଅବିକଳ ପ୍ରତିକୃତି ଦେଖି ସମସ୍ତେ ଚ଼କିତ ହୋଇଛନ୍ତି । କୁହାଯାଉଛି ଯେ ଏହା ଫକୀରମୋହନଙ୍କର ଏଯାବତ୍‌ ନିର୍ମିତ କ୍ଷୁଦ୍ରତମ ପ୍ରତିକୃତି ଓ ଶିଳ୍ପୀ ସଞ୍ଜୟ ରାଉଳ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ସମ୍ପ୍ରତି କଳା ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିବା ସଞ୍ଜୟ ଫକୀରମୋହନଙ୍କ ଆତ୍ମଜୀବନୀ ପଢ଼ିବା ପରେ ଏପରି ଏକ ଖିଆଲର ବଶବର୍ତୀ ହୋଇଥିଲେ । କାଠ, ପଥର, ମାଟି ଓ ଫାଇବର ଆଦିରେ କାର୍ଭିଂ କରି ବିଭିନ୍ନ ପ୍ରତିକୃତି କରାଯାଉଥିବା ବେଳେ ଗୋଟିଏ ଆଙ୍ଗୁଠି ପରିମାପର ଚକଖଡ଼ିରେ କାର୍ଭିଂ କରି ଅବିକଳ ଫକୀରମୋହନଙ୍କର ପ୍ରତିକୃତି ଗଢ଼ିବାରେ ସେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ସଞ୍ଜୟ ରାଉଳଙ୍କ କୃତି ସମସ୍ତଙ୍କୁ ଚ଼କିତ କରିଛି ।


ବାଲେଶ୍ୱରର କବି ତୀର୍ଥ ଶାନ୍ତିକାନନ ଠାରେ ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ପାଳନ ଅବସରରେ ଅତିଥିମାନଙ୍କୁ ଚକ୍‌ ଖଡ଼ିରେ ତିଆରି କ୍ଷୁଦ୍ରତମ ଆବକ୍ଷ ପ୍ରତିକୃତିଗୁଡ଼ିକୁ ଭେଟି ଦେଇ ସେ କଥା ସମ୍ରାଟଙ୍କୁ ଏକ ନିଆରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଫକୀରମୋହନ ସେନାପତି


‘‘ଓଡ଼ିଆ ଏକ୍‌ଟା ଭାଷା ନୟ ବୋଲି କହିଥିବା ବଙ୍ଗାଳୀ କାନ୍ତିଲାଲଙ୍କ ଚ଼କ୍ରାନ୍ତକୁ ପଣ୍ଡ କରି ଫକୀରମୋହନ ସେନାପତି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଥିଲେ । ଆମ ଭାଷାର ତ୍ରାଣକର୍ତ୍ତାଙ୍କୁ କିପରି ଶ୍ରଦ୍ଧା ନିବେଦନ କରିବି ଭାବୁଥିବା ବେଳେ ଚକ୍‌ ଖଡ଼ି ଆଇଡିଆଟି ମୁଁ ପାଇଥିଲି । ଶିକ୍ଷା ପ୍ରାରମ୍ଭର ପ୍ରଥମ ପାହାଚରେ ଆମେ ଚକ୍‌ ଖଡ଼ି ମାଧ୍ୟମରେ ଯାହା କିଛି ଶିଖୁଁ । ସୁତରାଂ ସମସ୍ତ ଶିକ୍ଷାର ଆଦ୍ୟ ଆବଶ୍ୟକତା ହେଲା ଏଇ ଚକ୍‌ ଖଡ଼ି । ତେଣୁ ମୋ ଭାଷାର ଶିଖର ପୁରୁଷଙ୍କୁ ଏଇ ଚକ୍‌ ଖଡ଼ି ଦେହରେ ଫୁଟେଇବି ବୋଲି ଭାବି ତାଙ୍କର ପ୍ରତିକୃତି ବନେଇଛି,’’ କହିଛନ୍ତି ସଞ୍ଜୟ ।

ଫକୀରମୋହନଙ୍କ ପ୍ରତିକୃତି ବନାଉଛନ୍ତି ସଞ୍ଜୟ ।


ପୂର୍ବରୁ କେହି ଫକୀରମୋହନଙ୍କର ଏପରି ପ୍ରତିକୃତି ଚକ୍‌ ଖଡ଼ିରେ କରି ନ ଥିବା ବେଳେ ସଞ୍ଜୟଙ୍କର ଏପରି ଏକ ପ୍ରୟାସ ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ କଳା କୃତି ବାଲେଶ୍ୱର ଜିଲ୍ଲାବାସୀଙ୍କ ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି ଅନେକ ମତ ବ୍ୟକ୍ତ କରିଛନ୍ତି। ସବୁ ଠୁ ବଡ଼ ସଂଯୋଗ ହେଉଛି ଏହା ଯେ ସଞ୍ଜୟଙ୍କ ଜନ୍ମ ମଧ୍ୟ ମକର ସଂକ୍ରାନ୍ତି ଦିନ ହୋଇଥିଲା ।

ଏ ପ୍ରକାର କଳା କାର୍ଯ୍ୟ ପାଇଁ କେବଳ ଗୋଟିଏ ଚକ୍‌ ଖଡ଼ି ଓ ଗୋଟିଏ ନିଡ଼ିଲ ସହିତ ଦରକାର ପ୍ରଚୁର ଏକାଗ୍ରତା । ଏଥି ପାଇଁ ସମୟ ଦୁଇରୁ ତିନି ଘଣ୍ଟା ଲାଗୁଥିବା ବେଳେ ନିରବିଚ୍ଛିନ୍ନ ଭାବେ ଏହା କଲେ ଆଖି ବିନ୍ଧିଥାଏ ବୋଲି କହିଛନ୍ତି ଶିଳ୍ପୀ ସଞ୍ଜୟ ।
First published: January 15, 2020, 7:58 PM IST