ପକ୍ଷୀମାନଙ୍କୁ ଗାଁକୁ ଆକୃଷ୍ଟ କରିବା ପାଇଁ ଯୁବଗୋଷ୍ଠୀ ତିଆରି କରୁଛନ୍ତ କୃତ୍ରିମ ଚଢେଇ ବସା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପାଟନାଳୀ ଗାଁର ପିଲାମାନେ ବିଭିନ୍ନ ସ୍ଥାନରୁ କୁଟା, କାଠି, ଘାସ, ପତ୍ର ଆଦି ସଂଗ୍ରହ କରୁଛନ୍ତି । ଏସବୁକୁ ଏକାଠି କରି ପକ୍ଷୀମାନଙ୍କ ପାଇଁ ଅତି ସୁନ୍ଦର ଭାବେ କୃତ୍ରିମ ବସା ତିଆରି କରୁଛନ୍ତି ।

ପକ୍ଷୀମାନଙ୍କୁ ଗାଁକୁ ଆକୃଷ୍ଟ କରିବାକୁ ଯୁବଗୋଷ୍ଠୀ ତିଆରି କରୁଛନ୍ତ କୃତ୍ରିମ ଚଢେଇ ବସା

ପକ୍ଷୀମାନଙ୍କୁ ଗାଁକୁ ଆକୃଷ୍ଟ କରିବାକୁ ଯୁବଗୋଷ୍ଠୀ ତିଆରି କରୁଛନ୍ତ କୃତ୍ରିମ ଚଢେଇ ବସା

  • News18 Odia
  • Last Updated :
  • Share this:
News18 Odia Digital

କେନ୍ଦୁଝର: ଗାଁରେ ଆଉ ଶୁଣିବାକୁ ମିଳୁନି ପକ୍ଷୀଙ୍କର କିଚିରି ମିଚିର ଶବ୍ଦ । ଘରଚଟିଆ, କାଉ, କୋଇଲି ପରି ଅନେକ ପକ୍ଷୀ ଏବେ ବିଲୁପ୍ତ ପ୍ରାୟ । ଜଙ୍ଗଲ ଧ୍ବଂସ, କଳ କାରଖାନା ବୃଦ୍ଧି, ଶବ୍ଦ ତଥା ବାୟୁ ପ୍ରଦୂଷଣ ଯୋଗୁଁ ଲୋପ ପାଇ ଯାଉଛନ୍ତି ଅନେକ ପକ୍ଷୀପ୍ରଜାତି । ଏଥି ପାଇଁ ଯୁବଗୋଷ୍ଠୀ ତିଆରି କରୁଛନ୍ତି କୃତ୍ରିମ ଚଢେଇ ବସା । ଯାହାକୁ ସେମାନେ ବାଡ଼ି, ବଗିଚା, ଗଛରେ ରଖି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଛନ୍ତି । ଏପରି ଶତାଧିକ ଚଢେଇ ବସାରେ ପକ୍ଷୀମାନେ ଆସି ରହିବା ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି । ଗାଁ ଗାଁରେ ପୁଣି ଶୁଭୁଛି ପକ୍ଷୀଙ୍କ କଳରବ ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପାଟନାଳୀ ଗାଁର ପିଲାମାନେ ବିଭିନ୍ନ ସ୍ଥାନରୁ କୁଟା, କାଠି, ଘାସ, ପତ୍ର ଆଦି ସଂଗ୍ରହ କରୁଛନ୍ତି । ଏସବୁକୁ ଏକାଠି କରି ପକ୍ଷୀମାନଙ୍କ ପାଇଁ ଅତି ସୁନ୍ଦର ଭାବେ କୃତ୍ରିମ ବସା ତିଆରି କରୁଛନ୍ତି । ଏହି ଚଢେଇ ବସାକୁ ଗାଁ ପାଖ ଗଛ ଡାଳରେ ସୁରକ୍ଷିତ ଭାବେ ସ୍ଥାପନ କରୁଛନ୍ତି । କିଛି ଦିନର ବ୍ୟବଧାନରେ ଏହି କୃତ୍ରିମ ବସା ପକ୍ଷୀମାନଙ୍କୁ ଆକୃଷ୍ଟ କରିବା ସହ ପକ୍ଷୀମାନେ ସେଠାରେ ବାସ କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଉତ୍ସାହତି ହୋଇ ପଡ଼ିଛନ୍ତି ଯୁବଗୋଷ୍ଠୀ ।

‘‘ପୂର୍ବରୁ ଗାଁରେ ଅନେକ ଚଢେଇ ଥିଲେ, ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁଥିଲା। ଧୀରେ ଧୀରେ ଗଛ କଟା ହେବା ଫଳରେ ଚଢେଇମାନେ ଜଙ୍ଗଲକୁ ଚାଲିଗଲେ । ଆମେ ଏବେ ଚଢେଇ ବସା ତିଆରି କରି ଗଛମାନଙ୍କରେ ରଖୁଛୁ । ଧୀରେ ଧୀରେ ଏହି ବସାମାନଙ୍କରେ ଚଢେଇମାନେ ଆସି ଅଣ୍ଡା ଦେଉଛନ୍ତି । ଯାହା ଦେଖି ଆମକୁ ଖୁସି ଲାଗୁଛି । ଭାବୁଛୁ, ପୂର୍ବରୁ ଯେମିତି ଗାଁରେ ପକ୍ଷୀମାନେ ବାସ କରୁଥିଲେ, ଏହାଦ୍ବାରା ପକ୍ଷୀମାନଙ୍କର ବଂଶବୃଦ୍ଧି ଘଟିବ,’’ କହିଛନ୍ତି ପାଟନାଳୀ ଗାଁର ଗୋପବନ୍ଧୁ ଇକୋ ସେଭର୍ ୟୁଥ୍ ନେଟୱାର୍କର ସଦସ୍ୟ ସସ୍ମିତା ନାଏକ।

ପକ୍ଷୀମାନଙ୍କ ପାଇଁ କେନ୍ଦୁଝରରେ ନୂଆ ପ୍ରାୟସ କରୁଛନ୍ତି ଯୁବପିଢ଼ି


ପାଟନାଳୀ ଗୋପବନ୍ଧୁ ଇକୋ ସେଭର୍ ୟୁଥ୍ ନେଟୱାରର୍କ ସଦସ୍ୟ ଅବିନାଶ ମହାନ୍ତ କହିଛନ୍ତି, ‘‘ଘାସ, ନଡ଼ା, ପତ୍ର ଆଦି ଏକାଠି କରି ଆମେ ପକ୍ଷୀ ବସା ତିଆରି କରୁଛୁ । ଏହାକୁ ନେଇ ଆମେ ଗଛ କୋରଡରେ ରଖୁଛୁ । ଯେପରି ପକ୍ଷୀମାନେ ସେଠାରେ ଆସି ରହି ତାଙ୍କର ବଂଶବୃଦ୍ଧି କରିବେ ପାରିବେ । ପରିବେଶରେ କେବଳ ମନୁଷ୍ୟ ରହିଲେ ହେବ ନାହିଁ, ପକ୍ଷୀମାନେ ମଧ୍ୟ ଏଠାରେ ରହିବା ଜରୁରୀ । ଯେଉଁଥି ପାଇଁ ଆମେ ଯୁବଗୋଷ୍ଠୀ ଏହି କାମରେ ଲାଗିପଡ଼ିଛୁ ।’’

ସ୍ବେଚ୍ଛାସେବୀ ସଙ୍ଗଠନ ପିକକ୍ ଦ୍ବାରା ୨୦୧୨ ମସିହାରେ ପରିବେଶ ସନ୍ତୁଳନ ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା । ଗତ ଦୁଇ ବର୍ଷ ଧରି ବିଲୁପ୍ତ ପ୍ରାୟ ପକ୍ଷୀଙ୍କ ବଂଶବୃଦ୍ଧି ଦିଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ କୃତ୍ରିମ ଚଢେଇ ବସା ତିଆରି ପାଇଁ ପାଟଣା ବ୍ଲକର ୨୫ଟି ଗାଁର ୪୭୫ ଜଣ ଯୁବକ-ଯୁବତୀମାନଙ୍କୁ ସଂସ୍ଥା ତରଫରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି ।

ଏଥିରେ ଅନୁପ୍ରାଣିତ ହୋଇ ପିଲାମାନେ ୧,୦୦୦ରୁ ଅଧିକ କୃତ୍ରିମ ଚଢେଇ ବସା ତିଆରି କରି ବିଭିନ୍ନ ଗଛରେ ସ୍ଥାପନ କରି ପକ୍ଷୀମାନଙ୍କୁ ଆକୃଷ୍ଟ କରିପାରିଛନ୍ତି । ଯାହା ମୁଖ୍ୟ ମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହେବା ସହ ପରିବେଶ ସନ୍ତୁଳନ ଦିଗରେ ଏହା ଏକ ଦୃଢ ପଦକ୍ଷେପ ରୂପେ ପରିଗଣିତ ହୋଇପାରିଛି । ୨୦୧୨ ମସିହାରେ ୧୬ ରୁ ୨୫ ବର୍ଷ ବୟସର ପିଲାମାନଙ୍କୁ ନେଇ ଇକୋ ସେଭର୍ ୟୁଥ୍ ନେଟୱାର୍କ ଆମେ ଗଠନ କଲୁ । ଏହାର ଉଦ୍ଦେଶ୍ୟ ହେଲା, ଏହି ଯୁବକ ଯୁବତୀମାନଙ୍କ ପ୍ରଚେଷ୍ଟାରେ ପରିବେଶ ସନ୍ତୁଳନ ଦିଗରେ କାର୍ଯ୍ୟ କରିବା । ଏହି କ୍ରମରେ ପ୍ରଥମେ ଆମେ ଚଢେଇ ବସା ତିଆରି କରିବା ଆରମ୍ଭ କଲୁ । ସେଥିରେ ଆମକୁ ସଫଳତା ମିଳିଲା । ଚଢେଇ ବସାରେ ଚଢେଇ ଆସି ରହିବା ଆରମ୍ଭ କଲେ । ଏହାପରେ ଆମେ ପାଟଣା ବ୍ଲକର ୨୫ଟି ଗାଁର ପାଖାପାଖି ୪୭୫ ଜଣ ପିଲାଙ୍କୁ ଏସମ୍ପର୍କରେ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କଲୁ । ଫଳରେ, ପିଲାମାନେ ଆଜିଯାଏ ଏକ ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ବସା ତିଆରି କରି ଗଛରେ ସ୍ଥାପନ କରି ସାରିଲେଣି । ଯେହେତୁ ପକ୍ଷୀବସା ତିଆରି ବ୍ୟୟସାପେକ୍ଷ ନୁହେଁ, ଆଖପାଖରୁ ଘାସ, ପତ୍ର, କୁଟା, କାଠି ଆଦି ଏକାଠି କରି ପିଲାମାନେ ପକ୍ଷୀବସା ତିଆରି କରିପାରୁଛନ୍ତି, ଓ ପକ୍ଷୀମାନେ ଏଠାରେ ଆସି ବଂଶବୃଦ୍ଧି କରିବା ଦ୍ବାରା ପିଲାଙ୍କ ଆଗ୍ରହ ବଢୁଛି । ଫଳରେ, ଅଧିକରୁ ଅଧିକ ଯୁବପିଢ଼ି ଏଥିରେ ଅନୁପ୍ରାଣିତ ହୋଇ କାମରେ ଯୋଗ ଦେଉଛନ୍ତି ବୋଲି କହିଛନ୍ତି ପିକକ୍ ସ୍ବେଚ୍ଛାସେବୀ ସଙ୍ଗଠନର କୋର୍ଡିନେଟର୍ ସତ୍ୟନାରାୟଣ ମହାନ୍ତ ।

କେନ୍ଦୁଝରରେ କୃତ୍ରିମ ଚଢେଇ ବସା ତିଆରି କରୁଛନ୍ତି ଯୁବଗୋଷ୍ଠୀ


ପରିବେଶ ସନ୍ତୁଳନ ଦିଗରେ ଯୁବପିଢ଼ିଙ୍କର ଅଭିନବ ପ୍ରୟାସ । ପକ୍ଷୀମାନଙ୍କୁ ଗାଁ ମୁହାଁ କରିବାକୁ ଯୁବପିଢ଼ିଙ୍କ ଏଭଳି ଚେଷ୍ଟା ସମଗ୍ର ଜିଲ୍ଲା ପାଇଁ ସୃଷ୍ଟି କରିପାରିଛି ଉଦାହରଣ ।
Published by:Lipina Das
First published: