ମୌସୁମୀ ଆସିବାରେ ବିଳମ୍ବ: ଧୋକା ଦେଲା ପ୍ରାକ୍ ମୌସୁମୀ; ଡହଳବିକଳ ହେଉଛନ୍ତି ସମସ୍ତେ

ଜୁନ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ହେଲା ନିଅଣ୍ଟିଆ ବର୍ଷା। ହୋଇପାରେ ଗଜା ମରୁଡି। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା। ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଉପରେ ପାରା।

ମୌସୁମୀ ଆସିବାରେ ବିଳମ୍ବ

ମୌସୁମୀ ଆସିବାରେ ବିଳମ୍ବ

  • Share this:
News18 Odia Digital

ଭୁବନେଶ୍ବର: ବିଳମ୍ବ ହେଉଛି ମୌସୁମୀ। ଧୋକା ଦେଲା ପ୍ରାକ୍ ମୌସୁମୀ। ରାଜ୍ୟରେ ଏବେ ମରୁଡି ଆଶଙ୍କା। ଚିନ୍ତାରେ ଚାଷୀକୁଳ। ଜୁନ ୧ ରୁ ୭ ତାରିଖ ସୁଦ୍ଧା ସ୍ୱାଭାବିକ ଠାରୁ ୭୩ ପ୍ରତିଶତ କମ ବର୍ଷା ହୋଇଛି। ଆଗକୁ ମୌସୁମୀ ବି ଦେଇପାରେ ଧୋକା। ହୋଇପାରେ ଗଜା ମରୁଡି।

କାରଣ ମୌସୁମୀ ସକ୍ରିୟ ହେଲେ ବି ଏବେ ବଡ଼ ବର୍ଷା ପାଇଁ ନାହିଁ ଅନୁକୂଳ ବାତାବରଣ। ଫଳରେ ବୁଣାଯାଇଥିବା ଧାନ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଜଳୁଛି ପଶ୍ଚିମ ଓଡ଼ିଶା। ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଉପରେ ପାରା। ଦୁଇ ଦିନ ପର୍ଯ୍ୟନ୍ତ ନାହିଁ ନିସ୍ତାର। ୪ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି। ୧୨ ତାରିଖ ପରେ ବଢ଼ିପାରେ କାଳବୈଶାଖୀ ବର୍ଷା।

ସଠିକ୍ ହେଉନି ଆଇଏମଡ଼ିର ଆକଳନ। ଏବର୍ଷ ଗଜା ମରୁଡ଼ି ସମ୍ଭାବନା ରହିଛି। ଜୁନ ୨୨ ଯାଏଁ ନାହିଁ ବଡ଼ ବର୍ଷା। ମୌସୁମୀ ଆସିଲେ ବି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷିବ ବର୍ଷା। ଜୁନ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ବଡ଼ ବର୍ଷା ହେଲେ ପ୍ରଥମେ ଭିଜିବ ଉପର ମାଟି। ପରେ ହୋଇପାରେ ଚାଷ ଉପଯୋଗୀ। ଚଳିତ ବର୍ଷ ପ୍ରକ୍ ମୌସୁମୀ ବର୍ଷା କମିବା ପରେ ଏବେ ଆଶା ଆଶଙ୍କାରେ ଚାଷୀ। କାଳବୈଶାଖୀ ବର୍ଷା ପରେ ବୁଣାଯାଇଥିବା ଧାନ ଗଜା ମରୁଡ଼ି ହେବାର ସମ୍ଭାବନା ଅଧିକ ରହିଛି। କାରଣ ଯେତିକି ପରିମାଣରେ ବର୍ଷା ହୋଇଛି ସେଥିରେ ମାଟି ସମ୍ପୂର୍ଣ୍ଣ ଓଦା ହୋଇନାହିଁ। ଏହାସହ ୨୦ ତାରିଖ ମଧ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି।

ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭.୧ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୭୩ ପ୍ରତିଶତ କମ। କୋରାପୁଟରେ ୯୭ ପ୍ରତିଶତ କମ ବର୍ଷା ହୋଇଛି। ସେହିପରି କନ୍ଧମାଳରେ ୯୬ ପ୍ରତିଶତ, ଗଞ୍ଜାମରେ ୯୩ ପ୍ରତିଶତ, ଖୋର୍ଦ୍ଧାରେ ୮୯ ପ୍ରତିଶତ, ଯାଜପୁରରେ ୮୯ ପ୍ରତିଶତ, ଗଜପତିରେ ୮୬ ପ୍ରତିଶତ, କଟକରେ ୮୫ ପ୍ରତିଶତ, ବଲାଙ୍ଗୀରରେ ୮୫ ପ୍ରତିଶତ କମ ବର୍ଷା ହୋଇଛି।

ସେହିପରି ମାର୍ଚ୍ଚ ୧ ରୁ ମେ ୩୧ ଯାଏ ରାଜ୍ୟରେ ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଜଗତସିଂହପୁରରେ ୭୦% କମ ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୬୩%, ସୋନପୁରରେ ୬୨%, ବାଲେଶ୍ୱରରେ ୬୦% କମ ବର୍ଷା ହୋଇଛି। ମୟୁରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ, ପୁରୀ ଭଳି ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।

ସେପଟେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା ତିନି ଦିନ ଯାଏ ତାତିରୁ ମିଳିବନି ତ୍ରାହି। ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ନୂଆପଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱର୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିବ ବୋଲି କହିଛି ପଣିପାଗ କେନ୍ଦ୍ର। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ରୋଗୀ, ବୟସ୍କ ଓ ଶିଶୁଙ୍କୁ ଖରା ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ହୋଇଛି।

ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପ୍ରବାହ କରୁଛି। ତା'ସହ ଉପକୂଳ ଅଞ୍ଚଳରେ ଜଳୀୟବାଷ୍ପ ଅଧିକ ରହୁଥିବା କାରଣରୁ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଓଡ଼ିଶା ବାୟୁମଣ୍ଡଳର ୨.୧ କିଲୋମିଟର ଉପରେ ଏହି ଉଷ୍ମ ବାୟୁ ରହିଥିବା କାରଣରୁ ଆର୍ଦ୍ରତା ଅଧିକ ରହୁଛି। ଫଳରେ ପ୍ରାକ-ମୌସୁମୀ ବର୍ଷାରେ ବିଳମ୍ବ ହେଉଥିବା କହିଛି ପଣିପାଗ କେନ୍ଦ୍ର।

ପଶ୍ଚିମ ଜଳୁଥିବା ବେଳେ ଉପକୂଳ ଓଡ଼ିଶାରେ ନାହିଁ ନଥିବା ଗୁଳୁଗୁଳି ଅନୁଭୁତ ହେଉଛି। ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିଲେ ମଧ୍ୟ ଆର୍ଦ୍ରତା ୭୦ ରୁ ୯୦ ପ୍ରତିଶତ ରହୁଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ଜୁନ ୧୨ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। କିନ୍ତୁ ଭାରି ବର୍ଷାର କୌଣସି ସମ୍ଭାବନା ନାହିଁ। ୨୦ ତାରିଖ ବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି। ଫଳରେ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ପଣିପାଗ ବିଶେଷଜ୍ଞ। ତେବେ ଆରବ ସାଗରରୁ ଆସୁଥିବା ଫ୍ଳୋ ପାଇଁ ଏବେ ବାତାବରଣ ଅନୁକୂଳ ରହିଛି। କେରଳ ପରେ ତାମିଲନାଡୁ, ଆନ୍ଧ୍ର, ରୟାଲସୀମା ଦେଇ ୧୨ ରୁ ୧୩ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।
Published by:Lipina Das
First published: