IAS ବିଜୟ କେତନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ; ପାଞ୍ଚଟିରେ ₹୭୨ ଲକ୍ଷ ଟଙ୍କା କାରବାର ହୋଇଛି

ବିଜୟ ଡିସେମ୍ବର ୩୧ ଠାରୁ ଜେଲରେ ରହିଲେଣି । ରିମାଣ୍ଡରେ ନେଇ ଭିଜିଲାନ୍ସ ଟିମ ତାଙ୍କୁ ଜେରା କରି ସାରିଛି । ସେ ଚାକିରିରୁ ବି ସସପେଣ୍ଡ ହୋଇ ସାରିଲେଣି । ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟକୁ ଏ ସବୁ ତଥ୍ୟ ଦେଇ ବିଫଳ ହେଇଛନ୍ତି ବିଜୟଙ୍କ ଓକିଲ ଦେବାଶୀଷ ପଣ୍ଡା ।

ନିଲମ୍ବିତ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟ୍ୟାୟ

ନିଲମ୍ବିତ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟ୍ୟାୟ

  • Share this:
News18 Odia Digital
ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇ ଡିସେମ୍ବର ୩୧ ତାରିଖ ଠାରୁ ଜେଲରେ ଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଛଅଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ସ୍ୟାଲେରି ଆକାଉଣ୍ଟକୁ ଛାଡ଼ି ଦେଲେ ଅନ୍ୟ ପାଞ୍ଚଟି ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କା କାରବାର ହୋଇଛି ।

ପବ୍ଲିକ ପସିକ୍ୟୁଟର ହେମନ୍ତ କୁମାର ସ୍ବାଇଁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ କହିଛନ୍ତି ଯେ ଏବେ ବି ବିଜୟ କେତନଙ୍କ ବିରୋଧରେ ତଦନ୍ତ ଚ଼ାଲିଛି । ତାଙ୍କୁ ଜାମିନ ଦିଆ ଗଲେ ସେ ଏ କେସ୍‌ର ସାକ୍ଷୀଙ୍କୁ ଓ ତାଙ୍କ ତଳିଆ କର୍ମଚାରୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି କୋର୍ଟକୁ କହିଥିଲେ ସ୍ୱାଇଁ । ଏ ସବୁ ତଥ୍ୟକୁ ବିଚ଼ାର କରି ମାନ୍ୟବର କୋର୍ଟ ସୋମବାର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

କୋର୍ଟରେ ଜାମିନ ଆବେଦନର ଶୁଣାଣି ବେଳେ ଉଭୟ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ । ପବ୍ଲିକ ପସିକ୍ୟୁଟର ହେମନ୍ତ କୁମାର ସ୍ବାଇଁଙ୍କ ଯୁକ୍ତି ସବୁକୁ ଖାରଜ କରିଥିଲେ ପ୍ରତିପକ୍ଷ ଓକିଲ ଦେବାଶୀଷ ପଣ୍ଡା ।

‘‘ଏହି ଆଇଏଏସ୍‌ ଅଫିସରଙ୍କୁ ଫସେଇ ଦିଆଯାଇଛି । ୩୧ ତାରିଖ ଠାରୁ ସେ ଜେଲରେ ରହିଲେଣି । ରିମାଣ୍ଡରେ ନେଇ ଭିଜିଲାନ୍ସ ଟିମ ତାଙ୍କୁ ଜେରା କରି ସାରିଛି । ସେ ଚାକିରିରୁ ବି ସସପେଣ୍ଡ ହୋଇ ସାରିଲେଣି । ତେଣୁ ସେ ଏବେ କୌଣସି ପ୍ରକାରେ ମାମଲାକୁ ପ୍ରଭାବିତ କରିପାରିବେ ନାହିଁ । ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ,’’ କହିଥିଲେ ପଣ୍ଡା ।

ଉଭୟ ଓକିଲଙ୍କ ପକ୍ଷ ଶୁଣିବା ପରେ ସନ୍ଧ୍ୟାରେ ରାୟ ପ୍ରକାଶ କରି କୋର୍ଟ ବିଜୟ କେତନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଜାମିନ ଆବେଦନ ଖାରଜ ହେବା ପରେ ସେ ଏବେ ହାଇକୋର୍ଟ ଯିବେ ।

ଗିରଫ ହେବା ପର ଦିନ, ଅର୍ଥାତ ଡିସେମ୍ବର ୩୧ରେ, ପ୍ରଥମ ଥର ପାଇଁ ବିଜୟ କେତନ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ପୁଣି ଥରେ ଜାନୁୟାରୀ ୫ ତାରିଖରେ ସେହି କୋର୍ଟରେ ବିଜୟ ଜାମିନ ପାଇଁ ଆବେଦନ କରିଥିଲେ । ସୋମବାର ଥିଲା ତା’ର ଶୁଣାଣି ।

ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଗିରଫ ହେଇଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟ । ବିଲ୍‌ ପାସ୍‌ କରାଇବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହେଇଥିଲେ । ନିଜ ଅଫିସରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ହିଁ ବିଜୟ କେତନଙ୍କୁ ଗିରଫ କରାଯାଇଥିଲା । ଭିଜିଲାନ୍‌ସ ଜାଲରେ ପଡ଼ି ଜଣେ ଆଇଏଏସ୍‌ ଅଫିସର ଗିରଫ ହେବାର ଏହି ଘଟଣା ଓଡ଼ିଶାରେ ପ୍ରଥମ ।
Published by:Anand Shankar Thankur Das
First published: