News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଜଣେ ରସିକିଆ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲା ୬୫ ବର୍ଷୀୟ ରମେଶ ଚନ୍ଦ୍ର ସ୍ଵାଇଁ। ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଫ୍ଲାଟରୁ ତାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼।
ସେ ବିବାହକୁ ମାଧ୍ୟମ କରି ଠକେଇ କରୁଥିଲା। ରମେଶ ୭ ରାଜ୍ୟରେ ୧୪ଜଣଙ୍କୁ ବିବାହ କରିଥିବା ଜଣା ପଡ଼ିଛି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କମିଶନରେଟ ପୋଲିସ।
୨୦୨୧ ଜୁଲାଇରେ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ରମେଶ ତାଙ୍କୁ ଗତ ୨୦୧୮ରେ ନୂଆ ଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ , ଜନକପୁରୀରେ ବିବାହ କରିଥିଲେ। ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ବର ଆଣି ରଖିଥିଲେ ମଧ୍ୟ। ପରେ ସେ ଜାଣିବାକୁ ପାଇଥିଲେ ଯେ ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଓ ଏହା ପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି। ତେଣୁ ସେ ମହିଳା ଥାନାରେ ଏତଲା ଦାୟର କରିଥିଲେ। ଏହି ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କ୍ୱାର୍ଡ଼ ସହାୟତାରେ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଖଣ୍ଡଗିରିର ଏକ ଭଡ଼ାଘରରୁ କାବୁ କରାଯାଇଛି।
ଅଭିଯୁକ୍ତ କୌଣସି ଗୋଟିଏ ସ୍ଥାନରେ ନରହି ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ଓ ଅଧିକାଂଶ ସମୟରେ ଗୌଆହାଟି, ଆସାମରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ। ଅଭିଯୁକ୍ତ ଜଣକ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERT, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ matrimonial siteରେ ଭିନ୍ନ ଭିନ୍ନ ପରିଚୟରେ ତାଙ୍କର ବାୟୋଡ଼ାଟା ପୋଷ୍ଟ କରୁଥିଲେ। ସେ ମୁଖ୍ୟତଃ ଅଧିକ ବୟସର ଏକାକୀ ରହୁଥିବା କର୍ମଜୀବୀ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ନିଜର ଲାଭ ପାଇଁ ସେମାନଙ୍କର ପଇସା ହଡ଼ପ କରିବା। ଏହି ପ୍ରକ୍ରିୟାରେ ୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଯେଉଁଥୁରୁ କମିଶନରେଟ ପୋଲିସ ୯ ଜଣ ମହିଳାଙ୍କୁ ସମ୍ପର୍କ କରିଛି ଓ ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଥିବା," କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ।
ଅଭିଯୁକ୍ତ ଜଣ କେନ୍ଦ୍ରାପଡ଼ା କଲେଜରୁ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିଂ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଓ ଲାବୋରେଟୋରୀ ଟେକ୍ନୋଲୋଜି ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ । ସେ Alternative ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରୀ ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୋଲିସ ଜେରା ବେଳେ ସ୍ବୀକାର କରିଛନ୍ତି ଯାହାକୁ ଭବିଷ୍ୟତରେ ଯାଞ୍ଚ କରାଯିବ।
ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି। ଏଥି ସହିତ ମହାଠକର ୫ ରାଜ୍ୟରେ ୧୩ ପତ୍ନୀ ରଖିଥିବା ଜଣାପଡ଼ିଛ। ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାଁନ୍ତି। ଉକ୍ତ ୧୩ ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ। ବିଭିନ୍ନ ଠକେଇ ମାମଲାରେ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିବା ଜଣାପଡ଼ିଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ମିଳିଛି। ତେବେ ଏହି ରସିକିଆ ଡାକ୍ତରଙ୍କୁ ବାନ୍ଧିବାରେ କମିଶନରେଟ୍ ପୋଲିସ୍ ସଫଳ ହୋଇଛି। ଏ ବାବଦରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି।
ସେ ପୂର୍ବରୁ ଏର୍ନାକୁଲମ୍ କ୍ରାଇମ୍ ନଂ 433/06 u 1S 4067420/468/471/472/479/120 ( B ) / 34 IPC ଦଫାରେ ଏସ.ବି.ଆଇ., କୋଚି ସମେତ ୧୩ଟି ବ୍ୟାଙ୍କରେ ୧୨୮ଟି ଜାଲ କ୍ରେଡିଟ୍ କାର୍ଡ଼, ଜାଲ୍ ପରିଚୟ ପତ୍ର ଓ ଦରମା ପ୍ରମାଣପତ୍ର ଦେଇ ଠକାମି କରି ଋଣ ନେଇ ଗିରଫ ହୋଇଥିଲେ। ସେ ନିଜକୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ ଉଚ୍ଚ ପଦାଧିକାରୀ ଭାବରେ ନିଜର ପରିଚୟ ଦେଇଥିଲେ। ପୁନର୍ବାର ସେ ଅନେକ ବେକାର ଯୁବକ ଓ MBBS ଛାତ୍ରଙ୍କୁ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERI ଭାବରେ ପରିଚିତ କରାଇ ଆଡମିଶନ ଓ ଚାକିରି କରାଇବା ନାମରେ ସେମାନଙ୍କଠାରୁ ୨ କୋଟି ଟଙ୍କା ହଡ଼ପ କରିବା ଅପରାଧରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଦ୍ବାରା ଗିରଫ ହୋଇଥିଲେ।
ସୂଚନାଯୋଗ୍ୟ, ଠକ ରମେଶ ଓଡ଼ିଶାରେ ୩ ଜଣ, ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ଛତିଶଗଡରେ ଜଣେ, ଦିଲ୍ଲୀ ଓ ମଧ୍ୟ ପ୍ରଦେଶରେ ଦୁଇ ଜଣ ଲେଖାଏଁ ଯୁବତୀଙ୍କୁ ବିବାହ କରିଥିଲା ରମେଶ। ଏବେ ତାକୁ ପୁଣିଥରେ ରିମାଣ୍ଡରେ ଆଣି ଜେରା କରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।