ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ; ରଥ ଉପରକୁ ମୋବାଇଲ ନେବା ମନା

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ନେଇ ଜାରି ହେଲା ବ୍ୟବସ୍ଥାବଳୀ। ରଥ ଉପରେ ମୋବାଇଲ ନେବା କି ସେଲ୍ଫି ନେବା ଉପରେ ଲାଗିଛି କଟକଣା।

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ

  • Share this:
News18 Odia Digital

ପୁରୀ: ଜୁଲାଇ ୧ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୁଇବର୍ଷ ପରେ ହେଉଛି ଭକ୍ତମୟ ରଥଯାତ୍ରା। ଏଥି ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ପ୍ରସ୍ତୁତି। ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାକୁ ନେଇ ରାପିଡ ଆକ୍ସନ ଫୋର୍ସ ସହିତ ଓଡ଼ିଶା ପୋଲିସର ହୋଇଛି ମକ ଡ୍ରିଲ।

ଶ୍ରୀମନ୍ଦିର ଚତୁପାର୍ଶ୍ୱର ସୁରକ୍ଷା ବ୍ୟବସ୍ଥା ଓ ତିନି ରଥର ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଆରଏଫ୍ ସହ ଆଲୋଚନା କରିଛନ୍ତି ପୁରୀ ଏସପି। ସେପଟେ ପରିଚାଳନା କମିଟିରେ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ନୀତି ସଅଳ କରିବା ପାଇଁ ପ୍ରସ୍ତୁତ ହେଲେଣି ସେବାୟତ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, "ରାଜେନ୍ଦ୍ରାଭିଷେକ ଠାରୁ ଶୃଙ୍ଖଳିତ ନୀତି କରିଛନ୍ତି ସେବାୟତ ନିଯୋଗ। ଜୁନ ୧୪ ସ୍ନାନ ପୂର୍ଣ୍ଣିମାରେ ଭୋର ୪ଟାରେ ପହଣ୍ଡି, ଆଠଟା ସୁଦ୍ଧା ଅବକାଶ ସାରି ଜଳ ବିଜେ ଓ ଜଳଲାଗି। ଅପରାହ୍ନ ୪ଟା ସୁଦ୍ଧା ଗଜାନନ ବା ହାତୀବେଶ ଆଉ ଭକ୍ତମାନେ ଚାରିଘଣ୍ଟା ଧରି ରାତି ୯ଟା ପର୍ଯ୍ୟନ୍ତ ସ୍ନାନବେଦୀ ଉପରେ କରିବେ ସାହାଣମେଲା ଦର୍ଶନ। ଆଉ ସେହି ଦିନ ଅଣସର ନୀତି ଆରମ୍ଭ ହେଉଥିବାରୁ ଉତ୍ତମ ସମନ୍ୱୟରୁ ନୀତି କରାଯିବ। ତେବେ ଜୁନ ୧୧ ଅର୍ଥାତ୍ ଆଜି ରୁକୁଣା ହରଣ ଏକାଦଶୀ, ରବିବାର ଦିନ ଚମ୍ପକ ଦ୍ୱାଦଶୀ ଓ ଦଇତାପତି ପ୍ରବେଶ ନୀତି ରହିଛି। ଜୁନ ୧୩ରେ ମହାପ୍ରଭୁଙ୍କ ଚତୁର୍ଥୀ ହୋମ ଓ ସେନାପଟା ଲାଗି ନୀତି ହେବ। ଆଉ ଜୁନ ୧୪ରେ ଦେବସ୍ନାନ ପୂର୍ଣ୍ଣିମା ନେଇ ନୀତି ଶୃଙ୍ଖଳିତ ପାଇଁ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଚାଲିଛି କାର୍ଯ୍ୟ।’’

ସେପଟେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଜୁନ ୧୪ରେ ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଚିରେ ରଖି ଚାଲିଛି ପ୍ରସ୍ତୁତି। ଭକ୍ତମୟ ପରିବେଶରେ ହେଉଥିବାରୁ ଭକ୍ତଙ୍କ ଶ୍ରୀମନ୍ଦିରରେ ସ୍ନାନବେଦୀ ନିକଟରେ ଦର୍ଶନ ଓ ବଡ଼ଦାଣ୍ଡରୁ ସ୍ନାନବେଦୀରେ ଗଜାନନ ବେଶ ଦର୍ଶନ ନେଇ କରାଯାଇଛି ପ୍ରସ୍ତୁତି। ମରଚିକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଗୋଟିଏ ଦର୍ଶନ ପାଇଁ ବ୍ୟାରିକେଡ ଓ ବଡ଼ ଦାଣ୍ଡରୁ ସ୍ନାନବେଦୀ ଦର୍ଶନ ପାଇଁ ଜିଗଜାଗ ବ୍ୟାରିକେଡ କରାଯାଉଛି। ପୁଣି ବ୍ୟାରିକେଡ ଉପରେ ଛାମୁଣ୍ଡିଆ ପକାଯାଉଥିବା ବେଳେ ଅସ୍ଥାୟୀ ସେଡଟି ମଧ୍ୟ ରଖାଯାଇଛି। ଭକ୍ତମାନେ ବ୍ୟାରିକେଡ ଦେଇ ଦର୍ଶନ କରି ଶ୍ରୀମନ୍ଦିର ଚତୁପାର୍ଶ୍ବ ଦେଇ ବୁଲିକି ମନ୍ଦିର ଅଫିସ ଦେଇ ପ୍ରସ୍ଥାନ କରିବେ। ଶୁକ୍ରବାର ଏସପି ଓ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଅନୁଧ୍ୟାନ ସହ ବ୍ୟାରିକେଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୁଣି ସ୍ନାନ ପୂର୍ଣ୍ଣିମା ନେଇ ସହରରେ ୭ଟି ପାର୍କିଂ ବ୍ୟବସ୍ଥା କରାଯାଇଛି।’’

ଦେବସ୍ନାନ ପୂର୍ଣ୍ଣିମାର ନୀତି ଶୃଙ୍ଖଳିତ କରିବା ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହୋଇଛି ବୈଠକ। ଜିଲ୍ଲାପାଳ, ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ ଉପସ୍ଥିତ ଥିଲେ। ସ୍ନାନପୂର୍ଣ୍ଣିମା ପହଣ୍ଡି, ଅଣସର ନୀତି ଉପରେ ହୋଇଛି ଆଲୋଚନା। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ୧୧ ତାରିଖରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସମସ୍ତ ଆୟ , ଦାନ ସବୁକୁ ଦଇତାପତି ନିଯୋଗ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ତେବେ ସେବାୟତଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର।

"ଶ୍ରୀଜିଉଙ୍କର ରଥ ନିର୍ମାଣର ଆଉ ଏକ ବିଧି ଆରମ୍ଭ ହୋଇଛି। ତିନି ରଥର ଦଣ୍ଡା ଉପରେ ଭୁଇଁ ବସିବା ପରେ ଶୁକ୍ରବାର ଚାରିନାହାକା ଡେରା ହୋଇଛି। ପ୍ରତ୍ୟେକ ରଥରେ ଚାରିଗୋଟି ନାହାକା ଲେଖାଏଁ ମୋଟ ୧୨ଟି ନାହାକା ଠିଆ କରାଯାଇଛି। ଏହାପରେ ୧୪ଟି ନାହାକା ଠିଆ କରାଯିବ। ସେପଟେ ବଦଳିଲା ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ। ଅଖରେ ଫାଟ ଥିବା ଯୋଗୁ ଏହାକୁ ବଦଳାଯିବା ପାଇଁ ନିଆଗଲା ନିଷ୍ପତ୍ତି। ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗୁରୁବାର ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ। ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ବଦଳାଯାଉଛି। ଶୁକ୍ରବାର ଏ ନେଇ ରଥ ନିର୍ମାଣ ବୌଷୟିକ କମିଟି ଅନୁଧ୍ୟାନ ପରେ ନନ୍ଦିଘୋଷ ରଥର ସାନ ଉଛୁଳା ଅଖଟି ପରିବର୍ତ୍ତନ କରାଯାଇଛି। ଆଉ ଏକ ଅଖ କାଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ତେବେ ରେଳ ବିଭାଗର ସ୍ୱତନ୍ତ୍ର ବୈଷୟିକ ଟିମ ପକ୍ଷରୁ ଜ୍ୟାଗ୍ ଅଣାଯାଇ ଅଖ ବଦଳାଯାଇଥିଲା,’’ କହିଛନ୍ତି ନନ୍ଦିଘୋଷ ରଥର ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର।

"ରଥ ଉପରେ ସେଲ୍ଫି ହେଉ କି ମହାପ୍ରଭୁଙ୍କର ରଥ ଉପରେ ନୀତିକୁ ସେବାୟତମାନେ ଭାଇରାଲ କରୁଥିଲେ। ତେଣୁ ରଥ ଉପରେ ମୋବାଇଲ କଟକଣା ଲାଗୁ କରାଯାଇଛି। ଆଉ ଏନେଇ ରଥଯାତ୍ରା ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର।

ଭକ୍ତମୟ ପରିବେଶରେ ହେବ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା। ଆଉ ଶ୍ରୀକ୍ଷେତ୍ରରେ ୧୫ରୁ ୨୦ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକ ଡ୍ରିଲ। ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ ବଜ୍ରବାହନ ବଡ଼ ଦାଣ୍ଡ ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ମକ ଡ୍ରିଲ। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ ଓ ରଥଟଣା ସମୟରେ ରଥ ସୁରକ୍ଷା ପାଇଁ ପୁରୀ ପୋଲିସ ସହାୟତାରେ କରାଯାଇଥିଲା ଫ୍ୟାମିଲିଆର ସିମୁଲେସନ ଏକ୍ସରସାଇଜ। ତେବେ ରଥଯାତ୍ରା ବେଳେ ୨୪୦ଜଣ ଆରଏଏଫ ଯବାନ ନିୟୋଜିତ ହେବାକୁ ଥିବା ବେଳେ ୧୨୦ଜଣ ରଥ ସମ୍ମୁଖ ଭାଗରେ ଭିଡ଼ ନିୟନ୍ତ୍ରଣ କରିବେ। ତେବେ ଆରଏଏଫ ଯବାନମାନେ କୌଣସି ଅସ୍ତ୍ରଶସ୍ତ୍ର ନୁହେଁ ଖାଲି ହାତରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ଆରଏଏଫ ଡେପୁଟି କମାଣ୍ଡାଣ୍ଟ ଶୈଳେନ୍ଦ୍ର କୁମାର।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ,ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ପାଇଁ ଜୁନ ୧୦ରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହେଲା ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ।
Published by:Lipina Das
First published: