ଭୁବନେଶ୍ୱରରେ ୫ମ କରୋନା ପଜିଚିଭ ବ୍ୟକ୍ତିଙ୍କ ଘର ଚାରି ପାଖ ଅଞ୍ଚଳ ସିଲ୍ କଲା ପୋଲିସ୍

ସୂର୍ଯ୍ୟ ନଗର ଆଖପାଖର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ସିଲ୍ କରାଯାଇଛି । ଜଗି ରହିଛନ୍ତି ପୋଲିସ । ଘରକୁ ଘର ବୁଲି ଡାକ୍ତରମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ତା’ ପୂର୍ବରୁ ନା କେହି ବାହାରକୁ ଯାଇ ପାରିବେ ନା ବାହାରୁ କେହି ସେଠାକୁ ଆସି ପାରିବେ ।

ଭୁବନେଶ୍ୱରରେ ୫ମ କରୋନା ପଜିଚିଭ ବ୍ୟକ୍ତିଙ୍କ ଘର ଚାରି ପାଖ ଅଞ୍ଚଳ ସିଲ୍ କଲା ପୋଲିସ୍
ସୂର୍ଯ୍ୟ ନଗରରେ ଏକ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ସୂର୍ଯ୍ୟ ନଗରର ବାସିନ୍ଦା ହୋଇଥିବାରୁ ଓ ସେ ସହର ଛାଡ଼ି କେଉଁଆଡ଼େ ନ ଯାଇ ବି ଏହି ସଂକ୍ରମଣର ଶିକାର ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯିବାର ଆଶଙ୍କା କରି ତାଙ୍କ ଘର ଥିବା ଅଞ୍ଚଳକୁ ପ୍ରଶାସନ ଚାରି ଆଡ଼ୁ ସିଲ୍‌ କରିଛି ।

ବିଏମସିର ନିର୍ଦେଶ ପରେ ଏବେ ସିଲ ହୋଇଛି ସୂର୍ଯ୍ୟ ନଗର । ସେହି ଅଞ୍ଚଳରୁ ନା କେହି ବାହାରକୁ ଯାଇ ପାରିବେ ନା ବାହାରୁ କେହି ସୂର୍ଯ୍ୟ ନଗରକୁ ଆସି ପାରିବେ । ଏ ନେଇ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ସିଲ୍‌ ହୋଇଛି। ଜଗି ରହିଛନ୍ତି ପୋଲିସ । ଜରୁରୀକାଳୀନ ସେବା ପାଇଁ କେବଳ ଶିରିପୁର ବଜାର ସମ୍ମୁଖ ରାସ୍ତାକୁ ଖୋଲା ରଖାଯାଇଛି । ସବୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ପୋଲିସ ଜଗି ରହିଛନ୍ତି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ନିୟମିତ ଭାବେ ଘରକୁ ଘର ବୁଲି ଡାକ୍ତରମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ତେବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

‘‘ଭୟ ଲାଗୁଛି ଏବେ ଘରୁ ବାହାରିବାକୁ । ହେଲେ ପ୍ରଶାସନ ପକ୍ଷରୁ ଯେଉଁ ସିଲ୍‌ କରାଯାଇଛି ତାକୁ ଆମେ ସ୍ୱାଗତ କରୁଛୁ । ତା’ ଦ୍ୱାରା ହୁଏତ ସଂକ୍ରମଣ ବ୍ୟାପିବାରୁ ରୋକା ଯାଇ ପାରିବ,’’ କହିଛନ୍ତି ସୂର୍ଯ୍ୟ ନଗର ବାସିନ୍ଦା ପଙ୍କଜ କୁମାର ସାହୁ । ଅନ୍ୟ ଜଣେ ବାସିନ୍ଦା ବି.ବି. ମିଶ୍ର କହିଛନ୍ତି, ‘‘ଘରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇ ଦିଆଯିବ ବୋଲି କୁହାଯାଇଛି । ତେଣୁ ଆମକୁ ବାହାରକୁ ଆସିବାକୁ ପଡ଼ିବନି । ସମସ୍ତେ ମିଳିମିଶି ନିୟମ ପାଳନ କଲେ କରୋନା ମୁକାବିଲା କରିପାରିବା’’ ।

ସୂର୍ଯ୍ୟ ନଗରରେ ବଡ଼ ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି ।


ବିଏମସି ପକ୍ଷରୁ ମୋବାଇଲ ଭ୍ୟାନ ଜରିଆରେ ଲୋକଙ୍କୁ ପରିବା ଓ ସଉଦା ଯୋଗାଇ ଦିଆଯାଇଛି । ଅଗ୍ନିଶମ ବିଭାଗ ଦ୍ଵାରା ରାସ୍ତା କଡ଼ରେ ବ୍ଲିଚିଂ ପକାଯିବା ସହ ସାନିଟାଇଜ କରାଯାଇଛି । ‘‘ଏ ସବୁର ତଦାରଖ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ପ୍ରତି ଦିନ କେଉଁ ସମୟରେ ଗାଡ଼ି ଆସିବ ଯିବ ଓ ଲୋକଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବ କମିଟି,’’ କହିଛନ୍ତି ବିଏମସିର ସାଉଥଇଷ୍ଟ ଜୋନ ଡେପୁଟି କମିଶନର ରବିନାରାୟଣ ଜେଠି ।

ବର୍ତ୍ତମାନ ଗୋଷ୍ଠି ସଂକ୍ରମଣର ଭୟ ଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ନିଜ ଘରେ ରହି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି ପୋଲିସ । ସୂର୍ଯ୍ୟ ନଗରର ସମସ୍ତ ପ୍ରବେଶ ପଥରେ ପୋଲିସ ପକ୍ଷରୁ ପ୍ରହରା ଦିଆଯାଇଛି । କେବଳ ମୁଖ୍ୟ ରାସ୍ତା ନୁହେଁ, ସୂର୍ଯ୍ୟ ନଗରକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାକୁ ମଧ୍ୟ ସିଲ କରାଯାଇଛି । ଜଗି ରହିଛନ୍ତି ପୋଲିସ ।

‘‘ସମସ୍ତେ ଜାଣିଛନ୍ତି ବର୍ତ୍ତମାନ କରୋନାର ସ୍ଥିତି କଣ । ତେଣୁ ଲୋକେ ନିଜେ ସତର୍କ ହୋଇ ରହିବ କଥା । ତଥାପି ଆମେ ସେମାନଙ୍କୁ ବୁଝାଉଛୁ ଘରୁ ନ ବାହାରିବା ପାଇଁ । ତଥାପି ଯଦି ଲୋକେ ନିୟମ ଉଲ୍ଲଙ୍ଘନ କରିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଡିସିପି ସିକ୍ୟୁରିଟି ନିର୍ମଳ ଶତପଥି ।

ପୂର୍ବରୁ ଚାରି ଜଣ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି । ହେଲେ ପଞ୍ଚମ ଆକ୍ରାନ୍ତଙ୍କ ପ୍ରଦୀପ୍ତ ଦଳବେହେରାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ କ୍ଲିନିକ ଓ ହସ୍ପିଟାଲ ଯାଇ ଚିକିତ୍ସିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଯିଏ ଆସିଥିବ ସେମାନଙ୍କୁ ସଂକ୍ରମଣ ହୋଇଥିବାର ଆଶଙ୍କା ରହିଛି । ତେଣୁ ସେମାନଙ୍କୁ କ୍ବାରେଣ୍ଟଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ୧୦୪ ନମ୍ବରକୁ କଲ୍‌ କରି ୧୪ ଦିନ କ୍ବାରେଣ୍ଟଇନରେ ରହିବାକୁ ପରାମର୍ଶ ଦେଇଛି ବିଏମସି ।
First published: April 3, 2020, 6:48 PM IST
corona virus btn
corona virus btn
Loading