News 18 Odia Digital
ଭୁବନେଶ୍ୱର; ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନକୁ ଖାରଜ କରାଯାଇଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ ଆବେଦନ ଶୁଣାଣି କରି ଜାମିନକୁ ନାମଂଜୁର କରିଛନ୍ତି । ଏବେ ଅର୍ଚ୍ଚନାଙ୍କ ଠିକଣା ଝାରପଡା ଜେଲ୍ ହିଁ ରହିବ ।
ଅନେକ ରାଜନେତା ଓ ବ୍ୟବସାୟୀ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ଅଶ୍ଲୀଳ ଭିଡିଓ ସୁଟ୍ କରିବା ସହ ସେମାନଙ୍କୁ ବ୍ଲାକମେଲ୍ ଓ ହତ୍ୟା ଧମକ ଦେବାର ସଙ୍ଗୀନ ଅଭିଯୋଗ ଅର୍ଚ୍ଚନାଙ୍କ ନାମରେ ରହିଛି । ଚଳଚିତ୍ର ପ୍ରଯୋଜକଙ୍କ ଅଭିଯୋଗ ଏବଂ ଅର୍ଚ୍ଚନାଙ୍କ ସହକର୍ମୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।
ସେପଟେ, ପୋଲିସ ତଦନ୍ତ ସହ ଘଟଣାର ଅନୁସନ୍ଧାର କରି ସମ୍ପୁର୍ଣ୍ଣ ତଥ୍ୟ ଗଣମାଧ୍ୟମ ସାମ୍ନାରେ ନଖିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ପଷ୍ଟ ସୂଚନାକୁ ସଭିଏଁ ଅପେକ୍ଷା କରିଥିବାବେଳେ ଘଟଣା ଦବିଯିବାର ଆଶଙ୍କା ମଧ୍ୟ ରହିଛି । ଅର୍ଚ୍ଚନାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗାଯୋଗରେ ଥିଲେ ଯାହା ଫଟୋରୁ ସ୍ପଷ୍ଟ ହୋଇଛି । ତେବେ ହାଇପ୍ରୋଫାଇଲ ଲୋକଙ୍କ ଗୁମର ସାଧାରଣରେ ପ୍ରକାଶ ହେବା ନେଇ ଭୟ ରହିଛି ବୋଲି ଚର୍ଚ୍ଚା ଜାରୀ ରହିଛି ।
ରାଜ୍ୟ ପୋଲିସ ଉପରେ ବଡବଡିଆ ଅଧିକାରୀମାନେ ଚାପ ପକାଉଥିବା କୁହାଯାଉଛି । ଯେଉଁ କାରଣରୁ ପୋଲିସର ତଦନ୍ତ ଶିଥିଳ ପଡିଛି । ରାଜଧାନୀର ଛାତି ଉପରେ ଏତେ ବଡ କଳା ସାମ୍ରାଜ୍ୟ ରଚିଥିବା ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଆଉ କିଏ ଏଥିରେ ସଂପୃକ୍ତ ସେନେଇ ଏପର୍ଯ୍ୟନ୍ତ ସସ୍ପେନ୍ସ ରହିଛି ।
ଶୁକ୍ରବାର ଦିନ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଜାମିନ ଆବେଦନ କରିଥିଲେ । ଜାମିନ ନମିଳିବାରୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ସସ୍ପେନ୍ସ ହଟାଇବାକୁ ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ପୋଲିସ । ରିମାଣ୍ଡ ମିଳିବା ପରେ ଅର୍ଚ୍ଚନା ନାଗଙ୍କୁ ଥାନାରେ ପୋଲିସ ପଚରାଉଚୁରା କରିବ ନା ଝାରପଡା ଜେଲ ମଧ୍ୟରେ ଜେରା କରିବ ସେ ପ୍ରଶ୍ନ ଏବେ ଅନେକଙ୍କ ମନରେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।